Unknown

 

 

 

 

 

 

 

 

 

 

ଯେ ପକ୍ଷୀ ଉଡ଼େ ଯେତେ ଦୂର

ନୀଳାଦ୍ରିଭୂଷଣ ହରିଚନ୍ଦନ

 

ସୂଚୀପତ୍ର

 

ଦର୍ଦୁର

ମନୋଜ ଦାସ

୨.

ନୈରାଶ୍ୟ ପୁନଶ୍ଚ

ମହାପାତ୍ର ନୀଳମଣି ସାହୁ

୩.

କ୍ୟାଲେଣ୍ଡର ଛବି

ବିଭୂତି ପଟ୍ଟନାୟକ

୪.

ଅସତୀ

ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

୫.

ରକ୍ତବୀଜ

ଅଚ୍ୟୁତାନନ୍ଦ ପତି

୬.

ତୃପ୍ତୌଽହଂ

ଦୁର୍ଗାମାଧବ ପତି

୭.

ଛବିର ଅନ୍ୟପାଖ

ବିଜୟକୃଷ୍ଣ ମହାନ୍ତି

୮.

ଭୁଲଜ

ଗଦୀଶ ମହାନ୍ତି

୯.

ଅନ୍ୱେଷଣ

ଜ୍ୟୋତ୍ସ୍ନା ରାଉତରାୟ

୧୦.

ମନ୍ତ୍ର

ଦଶରଥ ସାମଲ

୧୧.

ରାଗିଣୀ

ପୂର୍ଣ୍ଣାନନ୍ଦ ଦାନୀ

୧୨.

ଯୌବନ

ପଦ୍ମଜ ପାଳ

୧୩.

ଶୂନ୍ୟର ତରଙ୍ଗ

ପ୍ରସନ୍ନକୁମାର ମିଶ୍ର

୧୪.

କିଛିଟା ବ୍ୟକ୍ତିଗତ ବା ତାର ଜାତି

ପ୍ରଫୁଲ୍ଲ କୁମାର ତ୍ରିପାଠୀ

୧୫.

ସଂପର୍କ

ବିଶ୍ୱରଂଜନ

୧୬.

ନଦୀ ସାଳନ୍ଦୀ, ମାସ ଶ୍ରାବଣ

ବିଶ୍ୱରଂଜନ

୧୭.

ଅନନ୍ତ ଶୟନ

ରତ୍ନାକର ଚଇନି

୧୮.

ଶୂନ୍ୟତାର ପୂର୍ଣ୍ଣତା

ଯଦୁନାଥ ଦାଶ ମହାପାତ୍ର

୧୯.

ମର୍ଯ୍ୟାଦାବନ୍ତ

ଯଶୋଧାରା ମିଶ୍ର

୨୦.

ମହାରାଜା

ରମେଶଚନ୍ଦ୍ର ଧଳ

୨୧.

ସହାନୁଭୂତି

ଶୁଭେନ୍ଦୁ ମୁଣ୍ଡ

୨୨.

ଦୁଇଟି ଛୋଟଗପ

ସଚ୍ଚିଦାନନ୍ଦ ମିଶ୍ର

୨୩.

କ୍ଷତ

ହୃଦାନନ୍ଦ ପାଣିଗ୍ରାହୀ

୨୪.

କବିତା ବନାମ ଗପଟିଏ

ବନଜ ଦେବୀ

୨୫.

କ୍ୟାଲେଣ୍ଡର

ହୃଷୀକେଶ ପଣ୍ଡା

୨୬.

ଅନ୍ୱେଷଣ

ନିୟତି ସେନାପତି

୨୭.

ଦକ୍ଷିଣ ପବନ

କଇଳାସ ପଟ୍ଟନାୟକ

୨୮.

ଓଡ଼ିଆର ଜାତୀୟତା

ଗିରୀବାଳା ମହାନ୍ତି

୨୯.

ଘରସଂସାର ଶକ୍ତି

ଡକ୍ଟର କୃଷ୍ଣଚରଣ ବେହେରା

୩୦.

ଶିଶିର ବିନ୍ଦୁ

ଗିରୀଶ ଦାସଗୁପ୍ତ

୩୧.

ଆବହ ସଙ୍ଗୀତ

ବଳରାମ ଦାସ

୩୨.

ଶୁଭଚିନ୍ତକ

ନାରାୟଣ ପଣ୍ଡା

୩୩.

ସୃଷ୍ଟିହର

ପ୍ରସନ୍ନ ଦାସ

୩୪.

ବେଲାଳ ସେନର ଆତ୍ମଲିପି

ନିରଞ୍ଜନ ପଣ୍ଡା

୩୫.

ପ୍ରତୀକ୍ଷିତ ଦୁର୍ଘଟଣା

ବିଜୟ ମିଶ୍ର

୩୬.

କରୁଣ ବିନୋଦର

ବୀନ୍ଦ୍ର ଶତପଥି

୩୭.

ବନାନୀର ଆତ୍ମପରିଚୟ

ଦେବେନ୍ଦ୍ର ନାୟକ

୩୮.

ପଞ୍ଚପର୍ଣ୍ଣି

ଗୋପାଳକୃଷ୍ଣ ଦାସ

୩୯.

ଆତ୍ମନିର୍ବାସନ

କ୍ଷୀରୋଦଚନ୍ଦ୍ର ବେହେରା

୪୦.

ପେଟେଣ୍ଟ ମେଡ଼ିସିନ

ଜଗନମୋହନ ସାହୁ

୪୧.

ମୁହୂର୍ତ୍ତର ଆବେଗ

ପ୍ରସନ୍ନକୁମାର ନାୟକ

୪୨.

ହାମ୍‌ଲେଟୀୟ ନାୟକ

ସନ୍ତୋଷକୁମାର ରଥ

୪୩.

ଜ୍ୱଳନ

କିରଣମୟୀ ମହାପାତ୍ର

Image

 

ଦର୍ଦୁର

ଶ୍ରୀ ମନୋଜ ଦାସ

 

ସୂର୍ଯ୍ୟାସ୍ତ ପୂର୍ବରୁ, ଗୃହ ପ୍ରତ୍ୟାବର୍ତ୍ତନ ପଥରେ, ଯଦି କ୍ୟାଣ୍ଟନ୍‌ମ୍ୟାଣ୍ଟ୍‍ ରାସ୍ତା ଉପରେ ଅସରାଏ ବର୍ଷାର ଅବତରଣ ହୁଏ, ତେବେ ସେ ଘଟଣାକୁ ମନେ ମନେ ମୁଁ ଉଷମ ସ୍ୱାଗତ ଜଣାଏ-। ଦୀର୍ଘ ରାସ୍ତାର କେନ୍ଦ୍ରବିନ୍ଦୁରେ ଅବସ୍ଥିତ ଏକମାତ୍ର ରେସ୍ତୋରାଁ ଭିତରକୁ ପଶିଯିବା ନିମନ୍ତେ ସେଭଳି ବର୍ଷା ଯୋଗାଇ ଦେଉଥିଲା ଅଖଣ୍ଡନୀୟ ଯୁକ୍ତି ।

 

ଭିତରେ, ଝରକା କଡ଼ରେ ଥିଲା ମୋର ସୁନିର୍ବାଚିତ ଆସନ । ସେଠାରୁ, ସେପଟର ଅନତି ବୃହତ୍‌ ପ୍ରାନ୍ତର ଭିତରେ ଅବସ୍ଥିତ ଫୁଲଭରା କୃଷ୍ଣଚୂଡ଼ା ଗଛଟିମାନ ବର୍ଷାରେ ଭିଜି ଅତ୍ୟଧିକ ଲାଲ୍‌ ଓ ଅତ୍ୟଧିକ ସବୁଜ ଦିଶୁଥାନ୍ତି । ପ୍ରାନ୍ତର ଭିତରେ ସେଅବଧି ନିଜର ସ୍ଥିତି ବଜାୟ ରଖିଥିଲା ଜଳାଶୟଟିଏ । ଯଦିଓ ଚତୁର୍ଦ୍ଦିଗରୁ ତାକୁ ସଂକୁଚିତ କରି ଆଣୁଥିଲା କ୍ରମ-ବିସ୍ତାରଶୀଳ ଏକ ଏକ ଅପରିଚ୍ଛନ୍ନ ବସ୍ତି । ବର୍ଷାବେଳେ କଳରବ କରିବା ନିମନ୍ତେ ସେ ଜଳାଶୟରେ ଅବଶିଷ୍ଟ ଥିଲେ ସହରର ଶେଷ କେତୋଟି ବେଂଗ ।

 

ସେଠାରେ ପ୍ରାୟ ଭେଟୁଥିଲି ଦୀର୍ଘକାୟ କ୍ଷୀଣତନୁ ଭଦ୍ରଲୋକଙ୍କୁ, ଯାହାଙ୍କ ଛତା ସହ ଖେଳିବା ଥିଲା, ସେ ଅଞ୍ଚଳରେ ବହମାନ ପବନର ଏକ ବଦଭ୍ୟାସ । ଛତାଟି ଓଲଟି ପଡ଼ୁଥିଲା । କିନ୍ତୁ ଚତୁର ଭଦ୍ରଲୋକ ସେ ଗୋଟିକୁ ହାୱାର ଗତି ବିରୁଦ୍ଧରେ ରାଇଫେଲ୍‌ ଭଳି ବାଗେଇ ଧରି ତାକୁ ତାର ସ୍ୱାଭାବିକ ଅବସ୍ଥା ଫେରାଇ ଦେବା ପାଇଁ ହାୱାକୁ ହିଁ ବାଧ୍ୟ କରୁଥିଲେ । ବିଜୟସୂଚକ ହସହସି ତାପରେ ସେ ରେସ୍ତୋରାଁ ଭିତରେ ପ୍ରବେଶ କରୁଥିଲେ । ଛତାଟିକୁ ଯତ୍ନଭରେ ଏପରି ଢଙ୍ଗରେ ଝୁଲାଇ ରଖୁଥିଲେ, ଯାହାଦ୍ୱାରା ତା’ର ନିମ୍ନାଂଶରୁ ଜଳ ଝରି ଝରକା ବାହାରେ ପ୍ରାନ୍ତର ଭିତରେ ପଡ଼ୁଥିବ । ତା’ପରେ ସାମ୍‌ନାସାମନି ବସିପଡ଼ିବା ଅବସ୍ଥାରେ ମୋ ଆଡ଼କୁ ଅନାଇ ସେ ଭୌଗୋଳିକ ଅଥବା ରାଜନୈତିକ ଜଳବାୟୁ ସଂପର୍କରେ ଦେଉଥିଲେ ଗୋଟାଏ କୌଣସି ମନ୍ତବ୍ୟ–ସାଧାରଣତଃ ଜ୍ଞାନଗର୍ଭକ । ସେ ମନ୍ତବ୍ୟ ମୁଁ ଶ୍ରଦ୍ଧାଭରେ ଗ୍ରହଣ କରୁଥିଲି, ଯେହେତୁ ତାଙ୍କ ଚେହେରା ସହ ଥିଲା ମୋର ଜଣେ ବାଲ୍ୟ ଶିକ୍ଷକଙ୍କ ଚେହେରାର ସାମଞ୍ଜସ୍ୟ ।

 

ରେସ୍ତୋଁରାର ବାରାନ୍ଦାରେ ବିକ୍ଷିପ୍ତ ଥିଲା କେତୋଟି ଷ୍ଟୁଲ୍‌ । ବର୍ଷାର ଫୁତ୍କାର ସତ୍ତ୍ୱେ କେତେଜଣ ବାରାନ୍ଦାରେ ହିଁ ବସି ଚାହାପାନ ଶେଷ କରିବାକୁ ପସନ୍ଦ କରୁଥିଲେ । କହିବା ବାହୁଲ୍ୟ, ସେମାନେ ସମସ୍ତେ ଥିଲେ ଅତି ବ୍ୟସ୍ତ ମଣିଷ । ତେବେ, ଧୋବଧାଉଳିଆ ୟୁନିଫର୍ମ ପରିହିତ ଜଣେ ବ୍ୟକ୍ତିଙ୍କୁ ଦେଖୁଥିଲି ଯିଏ କି ନିଶ୍ଚିନ୍ତରେ ବସି ରହି ପ୍ରତିବିନ୍ଦୁ ଚାହା ପ୍ରତି ଯଥାର୍ଥ ସମ୍ମାନଜ୍ଞାପନ କରୁଥିଲେ । ସେ ଯେ ଭିତରକୁ ଆସୁ ନଥିଲେ, ତା’ର ହେତୁ ଯେଉଁ ମୂଲ୍ୟବାନ ବିଦେଶୀ କାର୍‌ର ସେ ଥିଲେ ଚାଳକ, ତାକୁ ଦୃଷ୍ଟିରେ ଅନ୍ତରାଳ କରିବା (ବରଂ କାର୍‌ର ଦୃଷ୍ଟିର ଅନ୍ତରାଳକୁ ଚାଲିଯିବା ହେବ ଯଥାର୍ଥତାର ଅଭିବ୍ୟକ୍ତି) ବିଜ୍ଞତାର ପରିଚୟ ହୁଅନ୍ତା ନାହିଁ ।

 

“ସେ ଲୋକଟିକୁ ଦେଖୁଛନ୍ତି ?” ଦିନେ ଛତ୍ରପତି ମୋତେ ପଚାରିଲେ । ତାଙ୍କ ଚାପା କଣ୍ଠରେ ଥିଲା ରହସ୍ୟର ଆଭାସ । “ସାମ୍‌ନାର ସେଇ ଅଟ୍ଟାଳିକାରୁ ତା’ମାଲିକକୁ ନେଇ ଯିବାପାଇଁ ଅପେକ୍ଷା କରୁଛି ।

 

“ଓ !” ମୁଁ ଲୋକଟି ସଂପର୍କରେ ପରବର୍ତ୍ତୀ କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ରହସ୍ୟର ଉନ୍ମୋଚନ ନିମନ୍ତେ ଉଦ୍‌ଗ୍ରୀବ ହୋଇ ରହିଲି ।

 

“ଆମେ ଥିଲୁ ସହପାଠୀ । ସେଇଟା ଅବଶ୍ୟ ବହୁକାଳ ତଳେ । ଆପଣ ବୋଧହୁଏ ସେତେବେଳେ ଜନ୍ମି ନାହାନ୍ତି ।”

 

“ଓ !”

 

ମୁଁ ତାକୁ ଦେଖିବା ମାତ୍ରେ ଚିହ୍ନିଛି । କିନ୍ତୁ ପରିଚୟ ଦେବାକୁ ଆଗଭର ହୋଇନାହିଁ । ସେ ହୁଏତ ଟିକିଏ ଅଶ୍ୱସ୍ତି ଅନୁଭବ କରିବ । ବିଚରା ପରର ଗାଡ଼ି ଚଳାଇ ଜୀବନ ନିର୍ବାହ କରୁଛି । ଅବଶ୍ୟ ମୋର କୌଣସି ଇଏମାନେ ଇଏ ନାହିଁ । ମୁଁ ଶିକ୍ଷକ ହେଲେ କ’ଣ ହେଲା, ସବୁ କାମହିଁ କାମ । ତେବେ ମୋ ମନରେ ସିନା ଇଏ ନାହିଁ, କିନ୍ତୁ ତା’ମନକଥା ତ ଜାଣେନା ! ଶିକ୍ଷକ ବୁଝାଇଦେଲେ । ମୁଁ ଚମକୃତ ହେଲି । ଦୁଇ ସପ୍ତାହ ପରବର୍ତ୍ତୀ ଗୋଟିଏ ସରକାରୀ ଛୁଟିଦିନ । କିନ୍ତୁ ଗାଡ଼ିର ମାଲିକ ତାଙ୍କ ଅଫିସକୁ ଆସିଥିଲେ ଓ ତାଙ୍କ ଧୋବଧାଉଳିଆ ଚାଳକ ତାଙ୍କୁ ନେବାପାଇଁ ଆଗତୁରା ଆସି ଯଥାରୀତି ଚାହାପାନ କରୁଥିଲେ । ତେବେ ଆଜି ସେ ବାହାରେ ନ ବସି ବସିଥିଲେ ଭିତରେ । ହୁଏତ ଛୁଟିଦିନର ଜନବିରଳ ରାସ୍ତାରେ ଗାଡ଼ି ପ୍ରତି ବିପଦର ଆଶଂକା ନଥିଲା ।

 

ମୁଁ ପଶି ଆସିବା ବେଳକୁ ସେ ମୋତେ ଅଳ୍ପ ହସି ଅଭିବାଦନ କଲେ । ଅତୀତ ସହିତ ଆଜିର ଚାହାର ଗୁଣାତ୍ମକ ପାର୍ଥକ୍ୟ ସଂପର୍କରେ ଆମ ଭିତରେ କିଛି ମତାମତ ଆଦାନ ପ୍ରଦାନ ହୋଇସାରିବା ପରେ ସେ ହଠାତ୍‌ ମୋତେ ପଚାରିଲେ, “ଆଚ୍ଛା, ସେଇ ଯେଉଁ ରୁଗ୍‌ଣ ଭଦ୍ରଲୋକ ପୁରୁଣା ଛତାଟିଏ କୁଣ୍ଢେଇ ଧରି ଆସି ଏଇଠି ବସେ, ସେ ମାଷ୍ଟରି କରେ, ନୁହେଁ ?”

 

“ହଁ । କିନ୍ତୁ ଆପଣ ଜାଣିଲେ କେମିତି ?”

 

“ସତ କହିଲେ ମୁଁ ତାକୁ ଭଲ ଭାବରେ ଜାଣେ । ପିଲାବେଳେ ଏକା ସାଥିରେ ପଢ଼ୁଥିଲୁଁ-। ସେ ଅବଶ୍ୟ ମୋତେ ଚିହ୍ନି ପାରିବ ନାହିଁ । ମୁଁ ପରିଚୟ ଦିଅନ୍ତି ଯେ କିନ୍ତୁ କାଳେ ସେ ଅଶ୍ୱସ୍ତି ଅନୁଭବ କରିବ । ବିଚରା ମାଷ୍ଟରି କରି ଚଳୁଛି; ଆଉ ମୁଁ ଚଢ଼ି ବୁଲୁଛି ଚକ୍‌ ଚକ୍‌ ବିଦେଶୀ ଗାଡ଼ି ! ଅବଶ୍ୟ ମୋର କୌଣସି ଇଏ ନାହିଁ । କିନ୍ତୁ... ।”

Image

 

ନୈରାଶ୍ୟ ପୂନଶ୍ଚ

ଶ୍ରୀ ମହାପାତ୍ର ନୀଳମଣି ସାହୁ

 

ସେଇ ଅନ୍ଧ, ଆଉ କେଂପା ଭିକାରୀଟି ଆମ କାମେରା ଭିତରକୁ ପଶିଆସିଲା । ସେ ଗୋଟିଏ ହାତରେ ବାଡ଼ିଟିଏ ଧରିଥାଏ ଓ ଆଠ ନଅବର୍ଷର ପିଲାଟିଏ ସେଇ ବାଡ଼ିଟିକୁ ଧରି ବାଟ କଢ଼େଇ ଆଣୁଥାଏ । ସାନପିଲାଟି ତା’ପାଖରେ ଚାକିରୀ କରିଥାଏ ଓ ଅନ୍ଧଟି ପ୍ରତିଦିନର ଭିକ୍ଷାଲବ୍‌ଧ ଧନରୁ ତାକୁ କିଛି ମଜୁରୀ ଦିଏ ।

 

ଆମ କାମେରାଭିତରେ ବେଶୀ ଲୋକ ନଥିଲେ । ଟ୍ରେନ୍‌ଟା ବାଟରେ ଚେନ୍‌ଟଣା ଯୋଗୁଁ ଅଟକି ରହିଥିଲା । ବାହାରେ ଖୁବ୍‌ ଖରାଯୋଗୁଁ ଟ୍ରେନ୍‌ଭିତରଟା ତାତି ଯାଉଥାଏ । ଯାତ୍ରୀମାନେ ସମସ୍ତେ ତାତିରେ ଝାଉଁଳି ପଡ଼ିଥାନ୍ତି । କାହାପାଟିରୁ କିଛି କଥା ବାହାରୁ ନଥାଏ । ଆମମାନଙ୍କୁ ଖୁବ୍‌ ଭୋକ ଲାଗିଲାଣି ଓ ଏ ଚେନ୍‌ଟଣା ଯେଉଁରୀତିରେ ଚାଲିଛି—ଆମକୁ ଅନ୍ତତଃ ଆଉ ଦୁଇଘଣ୍ଟା ଏମିତି ସନ୍ତୁଳିହେବାକୁ ପଡ଼ିବ । ମୁଁ ଗୋଟିଏ ଏକୁଟିଆ ସିଟ୍‌ରେ ବସି ବିଭୁତି ପଟ୍ଟନାୟକଙ୍କର ସଦ୍ୟତମ ଉପନ୍ୟାସଟି ପଢ଼ୁଥାଏ । ବହିଟିରେ ମୋର ମନ ଲାଗିଯାଇଥାଏ । ବିଭୂତିବାବୁଙ୍କ ଲେଖାର ବିଶେଷତ୍ୱ ହେଲା—ତାକୁ ଧରିବାକୁ ମନ ହୁଏ ନାହିଁ—କିନ୍ତୁ ଥରେ ଧରିଲେ ଶେଷ ନକରି ଛାଡ଼ି ହୁଏ ନାହିଁ ।

 

ଅନ୍ଧ ଆଉ କେଂପା ଭିକାରୀଟିକୁ କାମେରା ଭିତରକୁ ପଶିବା ଦେଖି ମୁଁ ଖୁବ୍‌ ଚିଡ଼ିଗଲି । ମୁଁ ଭିକାରୀମାନଙ୍କୁ ଘୃଣାକରେ । ନା-ନା-ଠିକ୍‌ ଘୃଣା କରେନାହିଁ—ମତେ ଭାରୀ ବିରକ୍ତ ଲାଗେ—ଚିଡ଼ିଲାଗେ । ଭିକାରୀପଣିଆ ଦେଖିଲେ ମୋ ମନ ଉତ୍ତ୍ୟକ୍ତ ହୋଇଯାଏ । ମଣିଷ ଗୋଟାଏ ଭିକାରୀ ହେଉ—ଏହା ମୁଁ ଆଦୌ ଚାହେ ନାହିଁ । କେହି କାହା ପାଖେ ହାତ ନପତାଉ-ଏପରିକି ଭଗବାନଙ୍କ ପାଖେ ବି । ଅବଶ୍ୟ, ମୋର ଭଗବାନଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ ନାହିଁ । କିନ୍ତୁ ମୁଁ ଜାଣେ—ଏ ପୃଥିବୀକୁ ସଇତାନ ତାର ଦଳ ଦଳ ବନ୍ଧୁ କୁଟୁମ୍ବ ଧରି ଅତି ପ୍ରଚଣ୍ଡରେ ଚଳାଉଛି । ତା’ନହେଲେ ଏଠି ଏତେ ଦୁଃଖ ଯଂନ୍ତ୍ରଣା କାହୁଁ ଆସନ୍ତା ? ଛାଡ଼ନ୍ତୁ—ଏଠି ମୋ ବିଶ୍ୱାସ ଅବିଶ୍ୱାସ କଥା ପଡ଼ିନି । ଅସଲ କଥା ହେଲା—ସେଇ ରାସ୍‌କେଲ ଅନ୍ଧ ଭିକାରୀଟା କାମେରାରେ ପଶୁ ପଶୁ ଗୋଟାଏ ଭଜନ ବୋଲିବା ଆରମ୍ଭ କରିଦେଲା । ସେଥିରେ ସେ ଜଗନ୍ନାଥ ବୋଲି କାହାକୁ ଜଣେ ସମ୍ବୋଧନ କରି କହୁଥାଏ—ହେ ଜଗନ୍ନାଥ, ଲୀଳାନିଧି ! ତୁମେ ମତେ ଏତେ ଦୁଃଖ ଦେଇଛ ବୋଲି ମୁଁ ତୁମଙ୍କୁ ଦାୟୀ କରୁନାହିଁ । ଯଦି ମତେ ଦୁଃଖ ଦେଇ ତୁମେ ଲୀଳାସୁଖ ପାଉଥାଅ—ତେବେ ତାହାହିଁ ହେଉ । ତୁମେ ସୁଖରେ ଥାଅ । ବଡ଼ଦେଉଳରେ ଆନନ୍ଦରେ ଥାଅ । ତୁମର ସୁଖ ହିଁ ମୋର ସୁଖ ।

 

ରାସକେଲ୍‌ ଭିକାରୀଟାର ଏଇ ନନ୍‌ସେନ୍‌ସ ପ୍ରାର୍ଥନା ମୁଁ ଆଦୌ ମୂଳରୁ ଶେଷ ଯାଏ ଶୁଣି ନଥାନ୍ତି । ମତେ ଭଜନ ପଂଜନ ଭଲ ଲାଗେ ନାହିଁ । କିନ୍ତୁ ଭିକାରୀଟାର ଗଳା ଖୁବ୍‌ ଚମତ୍କାର ଥିଲା । କାନରେ ଶୁଣୁ ଶୁଣୁ ମନଭିତରକୁ ଶୁଭିଗଲା । ଏପରିକି ବିଭୂତିବାବୁଙ୍କର ସେହି ଚମତ୍କାର ଉପନ୍ୟାସଟି ମଧ୍ୟ ଛାଏଁ ଛାଏଁ ମୋ ହାତରେ ବୁଜି ହୋଇଗଲା । କିନ୍ତୁ ଭିକାରୀମୁହଁରୁ ସେ ଭଜନଟା ଶେଷଯାଏ ଶୁଣିଲା ପରେ ମୋ ମୁଣ୍ଡ ବିଗିଡ଼ି ଗଲା । ମୋ ରକ୍ତ ଗରମ ହୋଇ ମୋ ମୁଣ୍ଡକୁ ଉଠିଗଲା । କଣ୍‌ବେ ଏ ଗୀତ ? ଶଳା ! ଏତେ କଷ୍ଟ ପାଉଛି ! କହୁଛି କଣ ନା; ଯେ ଏତେ କଷ୍ଟ ଦେଇଛି—ସେ ସୁଖରେ ଥାଉ ! ଆନନ୍ଦରେ ଥାଉ । ଶଳା ପ୍ରଚଣ୍ଡ ମାସୋକିଷ୍ଟ ଟାଏ ! ସବୁ ଦୁଃଖୀ ଭକ୍ତଗୁଡ଼ାକ ଗୋଟାଏ ପ୍ରଚଣ୍ଡ ଅନ୍ଧାଧୁନିଆ ନିଷ୍ଟୁର ସାଡ଼ିଷ୍ଟ ଭଗବାନ ପାଖେ ମସୋକିଷ୍ଟ ପାଲାଟିଯାନ୍ତି । ନିଜକୁ ଦୁଃଖ ଦେଇ, ଯଂନ୍ତ୍ରଣାଦେଇ ଅନ୍ୟପ୍ରଦତ୍ତ ଯଂନ୍ତ୍ରଣାକୁ ସହନ କରି ଖୁସି ହେବା ଓ ଅତ୍ୟାଚାରୀକୁ ଖୁସି କରାଇବା ! ଇସ୍‌ ! କି ଭୟଙ୍କର !

 

ମୁଁ ଏକଥା ସହିପାରେନା । ସେତେବେଳେ ମଧ୍ୟ ସହିପାରିଲି ନାହିଁ । ମୁଁ ସେଇ ବେକୁଫ୍‌ ରାସ୍‌କେଲ ଅନ୍ଧ ହାତକୁ ଟଙ୍କାଟିଏ ବଢ଼େଇ ଦେଲି । ସେ ମହାଖୁସିରେ ତାକୁ ହାତରେ ଅନୁଭବ କରି କାନିରେ ବାନ୍ଧିଲା । ଏବଂ ସେଥିରେ ଉତ୍ସାହିତ ହୋଇ ସେହି ଗୀତଟାର ମୂଳ ଘୋଷା ପଦଟାକୁ ପୁନଶ୍ଚ ଗାଇବାକୁ ଆରମ୍ଭକଲା । ଏବଂ ଏଥର ତା ସ୍ୱରରେ ଦୁଃଖ ପାଉଥିବା ଲାଗି ଭଗବାନଙ୍କ ପାଖେ କୃତଜ୍ଞତାର ଭାବ ଆହୁରି ସ୍ପନ୍ଦନମୟ ହୋଇଉଠିଲା । ଏଥିରେ ମୋ ମୁଣ୍ଡ ନିଆଁ ହୋଇଗଲା । ମୁଁ କ୍ରୋଧରେ ଅନ୍ଧ ହୋଇ ସେ ଅନ୍ଧଟାର ପାଟିକୁ ଚାପିଧରିଲି । ଚୋପ୍‌ବେ ! ଚୁପ୍‌କର । କୋଉ ଶଳାଟାକୁ ଖୁସୀ କରିବାକୁ ଏ ଗୀତ ଗାଉଛୁ ବେ ?

Image

 

ଅସତୀ

ଡକ୍‌ଟର କୃଷ୍ଣପ୍ରସାଦ ମିଶ୍ର

 

ଅବିଶ୍ରାନ୍ତ ବରଫ ବର୍ଷା । ଇଉନିଭରସିଟିର କ୍ୟାଫେଟେରିଆର ଉଷ୍ଣ ପରିବେଶ ଛାଡ଼ି ବରଫ ଝଡ଼ ଭିତରକୁ ଯିବାକୁ ଆଦୌ ଇଚ୍ଛା ହେଉ ନଥାଏ । ଶୀତାଭ କବି ମଗ୍‌ଟା ଧରି ଥରେ ବାହାରକୁ ଚାହିଁ ପୁଣି ସେ ତରୁଣୀଟି ଆଡ଼କୁ ମୁହଁ ବୁଲାଇ ଆଣୁଥାଏ, ଯାହାର ଜିନ୍ ପ୍ୟାଣ୍ଟ ପଛପଟେ ବଡ଼ ବଡ଼ ଅ‌କ୍ଷରରେ ଲେଖାଯାଇଥିବା କିଛି ସମୟ ତଳେ ସେ ପଢ଼ିଥିଲା, I am a bad girl follow me. କଟୀ ପାଖରେ ପ୍ୟାଣ୍ଟର କିଛି ଅଂଶ ଜାଣତରେ ହେଉ ବା ଅଜାଣତରେ ହେଉ ଚିରି ମଧ୍ୟ ଯାଇଥାଏ । ଝିଅଟି ଦେଖିବାକୁ କାନାଡ଼ିଆନ୍ ମାପକାଠିରେ ଏ ପ୍ଳସ୍ ପାଇବ । କିନ୍ତୁ ଆଶ୍ଚର୍ଯ୍ୟକଥା । ସବୁ ଟେବୁଲ ପାଖରେ ତରୁଣ ତରୁଣୀ ଯୋଡ଼ୀ ହୋଇ ଗପ ଜମାଇଥିଲେ ମଧ୍ୟ ତା ପାଖ ଚେୟାର କେତୁଟା ଅତ୍ୟନ୍ତ ବିଷର୍ଣ୍ଣ ଭାବେ ଖାଲି ପଡ଼ିଥାନ୍ତି । ତାକୁ ପ୍ରତ୍ୟେକ ଥର ଚାହିଁବା ପରେ ଶୀତାଭର ଶରୀରରେ ଏକ ଅଭୁତ ବେଦନା ସୃଷ୍ଟି ହେଉଥିଲା ।

 

ଦ୍ଵିତୀୟ କପ୍ କଫି ଓ ଡୋନଟ୍ ଧରି ଶୀତାଭ ତାର ଅନୁମତି ନେଇ ତା ଟେବୁଲ୍ ପାଖରେ ବସିଲା । ଆଗ ଆଗ କିଛି ଔପଚାରିକ କଥାବାର୍ତ୍ତା । ତରୁଣୀଟି ଭାରତୀୟ ସଭ୍ୟତା ଓ ସଂସ୍କୃତିର ସ୍ନାତକୋତ୍ତର ଛାତ୍ରୀ ବୋଲି ଶୀତାଭ ବୁଝିଲା । “ଭାରତୀୟ ଲୋକ ମତେ ଭଲ ଲାଗନ୍ତି-। ମୁଁ ସେଇଥି ପାଇଁ ଆପଣଙ୍କ ଆଡ଼କୁ ଚାହୁଁ ଥିଲି । Bad girl ବୋଲି ନୁହେଁ ।” ଧରା ପଡ଼ିଥିବା ପରି ଶୀତାଭର ମୁହଁ ଲାଲ୍ ପଡ଼ିଗଲା, ଡୋନଟ୍‌ରୁ କିଛି ତୋଟିରେ ଲାଗିଯିବାରୁ ସେ ଜାଣିବାକୁ ଲାଗିଲା । ସେ ପ୍ରକୃତିସ୍ଥ ହେବା ପରେ ତରୁଣୀଟି କହିଲା-“ଧରନ୍ତୁ ଆପଣଙ୍କ ଦେଶରେ ରାବଣ କି ଦୁର୍ଯ୍ୟୋଧନ ଯୁଦ୍ଧରେ ଜିତିଥାନ୍ତେ । ସେମାନଙ୍କ ରାଜୁତି ଚାଲିଥାନ୍ତା । ସେତେବେଳେ ଆପଣ ମାନେ-ଆପଣଙ୍କ ଦେଶର ଝିଅମାନେ କଣ କରିଥାନ୍ତେ ? ତମପରି ସ୍ଳାକପିନ୍ଧ ଏହି ପରି ଲେଖି ନଥାନ୍ତେ ?”

 

ଶୀତାଭର ପେଟ ଓ ଅଣ୍ଟା ପାଖରୁ ଉଠି ଆସୁଥିବା ବେଦନା ତିବ୍ରଦୃଷ୍ଟିରେ ରୂପାନ୍ତରିତ ହେଲା । ଆଉ ସେ ପ୍ରଥମ କରି ଦେଖିଲା, କେବଳ ଶାରୀରିକ ସୋନ୍ଦର୍ଯ୍ୟରେ ନୁହଁ, ବୁଦ୍ଧିରେ ମଧ୍ୟ ଏ ପ୍ଳସ ପାଉଥିବା ତରୁଣୀଟି ତା ସମ୍ମୁଖରେ ବସିଛି ।

Image

 

ରକ୍ତବୀଜ

ଶ୍ରୀ ଅଚ୍ୟୁତାନନ୍ଦ ପତି

 

ଚଢ଼େଇ ଉଡ଼ିଗଲା ଫୁର୍ ।

 

ତାପରେ ଫୁର୍ ।

 

ପୁଣି ଫୁର୍ ।

 

ଫୁର୍ ।

 

ଫୁର୍ ।

 

ଫୁର୍, ଫୁର୍, ଫୁର୍, ଫୁର୍…….

 

ଏ ଅନ୍ଧାର ଚଢ଼େଇଉଡ଼ାର ଶେଷ କେଉଁଠି ? ଏ ଅନ୍ଧାର ସରହଦ୍‌ର ମେଘନାଦ ପାଚେରୀ କେତେ ଯୋଜନ ଦୂରରେ ଆଲୋକର ରାଜୁତିକୁ କଂସାକବାଟ କିଳି ଅଟକାଇ ରଖିଛି ? ଏ ଦୁର୍ନୀତିର ପଥରକାନ୍ଥକୁ ଶାବଳ ମାରି ତାକୁ ଟଲାଇ ଦେବାକୁ ଆଲୋକ ରାଜ୍ୟର ପାଇକମାନଙ୍କର ହାତମୁଠା କେତେ କଠୋର ? ସେ ନିବୁଜ ପାଚେରୀର ଛାତି ଉପରେ ଯୁଦ୍ଧରବିଧା ମାରିବାକୁ ସେମାନଙ୍କ ବାହାର ମାଂସପେଶୀତଳେ ସତେ କଣ ପର୍ଯ୍ୟାପ୍ତ ତାକତ ମହଜୁଦ୍ ଅଛି ?

 

ସନ୍ନ୍ୟାସୀ ଚିନ୍ତାଗ୍ରସ୍ତ ଥିଲେ । ରାଜ୍ୟପ୍ରବର୍ଜ୍ୟାରୁ ଫେରି ଆସିବା ପରେ ଚିନ୍ତାର ଗୋଲକ ଭିତରେ ଖରାବେଳର ଭଅଁର ପରି ଭାବନା ତାଙ୍କର ଘୁଁ ଘୁଁ ହୋଇ ଘୁରି ବୁଲୁଥିଲା ।

 

ସେ କଣ ଦେଖିଲେ ? ସେ ଦେଖିଲେ ରାଜ୍ୟର ସବୁଲୋକଙ୍କ ଉପରେ ଅନ୍ୟାୟର ବୁଢ଼ିଆଣୀ ଜାଲବୁଣି ଦେଇଛି । ସେ ଜାଲରେ ଗୁଡ଼େଇ ହୋଇ ସମସ୍ତଙ୍କ ଦେହରେ ଅଂଧାରର ଅଳଂଦୁ ଓହଳି ପଡ଼ିଛି । ଅନୀତିର ତୂଳି ଚମଉପରେ କଳାର ପୋଛ ଦେଇ ସମସ୍ତଙ୍କୁ ଅନ୍ଧାରର ଅବୟବ ଦେଇଛି । ନିଜର କଳା ରୂପକୁ ଦେଖି ଦେଖି ସମସ୍ତେ ନିଜ ଦେହର ଅସଲ ରଙ୍ଗ କଥା ବିଲକୁଲ ଭୁଲି ଯାଇଛନ୍ତି । ଯୁଗର ନାହକ ଜମାନାର ପାଂଜି ପଢ଼ି ଶୁଣେଇ ଶୁଣେଇ ଯାଉଛି—ଏ ଶତାବ୍ଦୀର ଏ ପୃଥିବୀରେ ରଙ୍ଗରନାମ କଳା । ବ୍ଳଟିଙ୍ଗ ପେପର ଉପରେ କଳି ଚରିଗଲା ପରି ଏ ଜମାନାର ବିରି ବିରି ରଦିକାଗଜ ଉପରେ ଉପରେ କଳାର ସ୍ୟାହି ଚାରିଆଡ଼େ ମାଡ଼ିଯାଇ ଧଳା ତଣ୍ଟିକୁ ଚିପିଦେଇଛି । ସନ୍ନ୍ୟାସୀ ଦେଶ ପରିକ୍ରମା କରୁଁ କରୁଁ ଚାରିଆଡ଼େ କଳାର କାରାସାଦି ଦେଖି ଦେଖି ଥକିପଡ଼ିଲେ । ସବୁଠି ଅନ୍ଧାର ମାଉଛବର ଧୁମ୍ ଧାମ୍ ଚାଲିଛି । ଦୁର୍ନୀତି ଭୋଜୀଭାତର ଲମ୍ବା ଲମ୍ବା ଢକାର ଖଲାସ କରି ସମସ୍ତେ କଳା କଳା ବୋତଲ ମୁହଁରେ କାମୁଡ଼ି ଲଙ୍ଗଳାହୋଇ କଳାକାହ୍ନୁର କୀର୍ତ୍ତନ ପଡ଼ିଆରେ ଉର୍ଦ୍ଦଂଡ଼ ନାଚ ନାଚୁଛନ୍ତି । ସନ୍ନ୍ୟାସୀ ବ୍ୟଥିତ ହୋଇଥିଲେ । ସେ ସାମାଧିସ୍ଥ ହେଲେ ।

 

ସନ୍ନ୍ୟାସୀ କୁଚ୍ଛ୍ରସାଧନା କରି କ୍ଷୀରସିନ୍ଧୁ ତୀରରେ ତପସ୍ୟାରତ ହେଲେ । ତପସ୍ୟାବଳରେ ଅନନ୍ତ ଶୟନରୁ ଅନାଦିବ୍ରହ୍ମାଙ୍କୁ ଆକର୍ଷଣ କରି ଅନ୍ଧାର ଅସୁରର ନିଧନ ପାଇଁ ସ୍ତବ, ସ୍ତୁତି ଓ ଅଶ୍ରୁର ଅର୍ଘ୍ୟ ଢାଳିଦେଲେ । ଶ୍ରୀପତି ତୃପ୍ତହେଲେ ଏବଂ ମହାଶକ୍ତିଙ୍କୁ ପରମ୍ପରାକ୍ରମରେ ରାକ୍ଷସ ସଂହାର ପାଇଁ ନିଯୁକ୍ତି କଲେ ।

 

ଯୁଦ୍ଧର ହତ୍ୟାପର୍ବ ଆରମ୍ଭ ହେଲା । ମହାଚଣ୍ଡି ରାକ୍ଷସ ବଂଶଙ୍କ ମୁଣ୍ଡ ହାଣି ହାଣି ଚାଲିଲେ । କିନ୍ତୁ ସେମାନଙ୍କର କଟାମୁଣ୍ଡର ରକ୍ତଧାରରୁ ଲକ୍ଷ୍ୟ ଲକ୍ଷ୍ୟ ରାକ୍ଷସ ମୁଣ୍ଡଟେକିଲେ । ରକ୍ତବୀଜଙ୍କ ସଂହାର ଅସମ୍ଭବ ହୋଇପଡ଼ିଲା । ସେମାନଙ୍କ ପ୍ରତି ରକ୍ତବିନ୍ଦୁରୁ ଜୀବନ ସଂଚରି ଆସୁଛି । ପ୍ରତି ରକ୍ତଟୋପା ଦୁର୍ମଦ ରାକ୍ଷସ ହୋଇ ଯୁଦ୍ଧଂଦେହିର ଉଦ୍ଧତ ଆହ୍ୱାନ ଦେଉଛି । ମହାଶକ୍ତି ମ୍ରିୟମାଣ ହୋଇ ପଡ଼ିଲେ ।

 

ସନ୍ନ୍ୟାସୀଙ୍କ ଶ୍ୱାସରୁଦ୍ଧ ହେଲା । ତାଙ୍କ ଭଗୀରଥର ତପସ୍ୟା ନିଷ୍ଫଳ ହୋଇଛି । ଆଲୋକ ସ୍ୱରଧ୍ୱନୀ ହିମପର୍ବତର ନିରନ୍ଧ୍ର ବାହୁବନ୍ଧନ ଭିତରେ ବନ୍ଦିନୀ ହୋଇ ପଡ଼ିଛି ।

 

ସନ୍ନ୍ୟାସୀ ତ୍ରାହି ତ୍ରାହି ବୋଲି ଆକୁଳ କ୍ରନ୍ଦନ କଲେ । ପରମପୁରୁଷଙ୍କ ପୁରୁଷାର୍ଥ ବ୍ୟର୍ଥ ହୋଇଯାଇଛି । ସେ କ୍ଷୋଭ ଆଉ ଆକ୍ଷେପରେ ଆତ୍ମବଳି ଦେବାକୁ ତରବାରୀ ଉଠାଇଲେ ।

 

ଅନାଦି ପୁରୁଷ ଯୁଦ୍ଧରତା ମହାଶକ୍ତିଙ୍କୁ ରକ୍ତବୀଜଙ୍କୁ ହତ୍ୟାପାଇଁ ଏକ ନୂତନ କୌଶଳର ସଂକେତ ଦେଲେ । ମହାଚଣ୍ଡୀ ନିଜ ଅଙ୍ଗରୁ କୋଟି କୋଟି ପ୍ରେତିନୀଙ୍କୁ ସୃଷ୍ଟି କରି କଠୋର ଆଦେଶ ଦେଲେ—ରକ୍ତବିନ୍ଦୁ ରାକ୍ଷସର ରୂପନେବା ପୂର୍ବରୁ ରକ୍ତକୁ ଲହଲହ ଜିହ୍ୱାରେ ଚାଟି ଚାଟି ଅତିଶିଘ୍ର ନିଃଶେଷ କର । ତାପରେ ମହାମାୟୀ ମହାସମର ପାଇଁ ମହାବେଗରେ ଆଗେଇ ଗଲେ-

 

କାହିଁ ? ରକ୍ତବୀଜ ଗୋଷ୍ଠୀର ଗୋ-ଗୋଷ୍ଠୀ ତ ଗୋଧନ ଶୂନ୍ୟ ହେଉନି ? ପ୍ରଳୟଙ୍କରୀ ପ୍ରବଳ ଦେବଶକ୍ତି ଅସୁରକୁଳଙ୍କୁ ଯେତିକି ବିମୁକ୍ତ କରୁଛି, ରାକ୍ଷସପକ୍ଷର ସୈନ୍ୟସଂଖ୍ୟା ତାଠୁଁ ବହୁଗୁଣରେ ଯୁକ୍ତ ହୋଇ ମହାଶକ୍ତିଙ୍କ ଶକ୍ତି କୁ ବେଶୀ ବେଶୀ ଉପହାସ କରୁଛି । ମହାଦୁର୍ଗା ସଂଦିଗ୍‌ଧ ମନରେ ପଛକୁ ଚାହିଁଲେ ପ୍ରେତିନୀମାନେ ଅସୁର ଶିବିରକୁ ଘେରୀ ବସିଛନ୍ତି । ରାକ୍ଷସଙ୍କୁ ଗୁପ୍ତଚରମାନେ କୁତ୍ରିମ ରକ୍ତବୋତଲ ପ୍ରେତିନୀମାନଙ୍କ ହାତକୁ ବଢ଼ାଇ ଦେଉଛନ୍ତି । ସେମାନେ ବୋତଲର ରିସପତ୍ ରକ୍ତ ଢୋକି ଢୋକି ଅନ୍ଧାରର ମଦାନ୍ଧ ପୁତ୍ରମାନଙ୍କ ସାଙ୍ଗରେ ରତିକ୍ରୀଡ଼ା ପାଇଁ ନିଜକୁ ବିବସ୍ତ୍ର କରୁଛନ୍ତି ।

 

ମହାଶକ୍ତି ପ୍ରେତିନୀମାନଙ୍କୁ ଶାସ୍ତି ଦେବାକୁ ଅଭିଶାପ ପଠାଇଲେ । ଅଭସମ୍ପାତର ନିଆଁହୁଳା ରାକ୍ଷସର କଳାବ୍ୟୁହର ଅଗ୍ନିବାରଣ ଆଗରେ ସମୁଦ୍ରସ୍ନାନକରି ଅଂଗର ମୁଣ୍ଡା ହୋଇ ତଳକୁ ଗଡ଼ି ପଡ଼ିଲା । ଶ୍ରୀଶକ୍ତି ଦେଖିଲେ ତାଙ୍କର ଅସ୍ତ୍ରଶସ୍ତ୍ରମାନେ ରକ୍ତବୀଜଙ୍କ ଲାଂଚ ଢାଲ ପାଖରେ ଲାଳସାର ନିଶ୍ଚେତନ ଶୁଂଘି ଚୁପ୍ ଚାପ୍ ପୋଷା ବିଲେଇ ପରି ଘୁଡ଼ ଘୁଡ଼ ହୋଇ ଆଖି ବୁଜି ଦେଉଛନ୍ତି ।

 

ମହାଦୂର୍ଗା ଦୌଡ଼ୁଥିଲେ । ତାଙ୍କ ବହନର ଗୋଡ଼ଆଡ଼କୁ ଦୁର୍ନୀତିର କଳା କଳା ଲୁହାବେତିମାନେ ଗଡ଼ି ଗଡ଼ି ଆସୁଛନ୍ତି ।

 

ଆଦିବ୍ରହ୍ମ ଧାଉଁଥିଲେ । ତାଙ୍କର ଅନନ୍ତନାଗ ହୁଏତ ତାଙ୍କ ସହିତ ବିଶ୍ୱାସଘାତକତା କରି କ୍ଷୀରସିନ୍ଧୁ ତ୍ୟାଗ କରିଥିବ ।

 

ସନ୍ନ୍ୟାସୀ ଅସମ୍ଭାଳ ହୋଇ ପଲାଇଲେ । ତାଙ୍କ ତପସ୍ୟାର ପୁଣ୍ୟ ବେକକୁ ଲକ୍ଷ୍ୟ କରି ରକ୍ତବୀଜର ସେନାପତିମାନେ ଚମର ଦଉଡ଼ିଫାଶ ଫୋପାଡ଼ୁଛନ୍ତି ।‌‌‍

 

କଳାର କିମିଆ ଭିତରେ ବାଟବଣାହୋଇ ମିତ୍ରପକ୍ଷର ଶକ୍ତିମାନେ ଆପଣା ଆପଣାଭିତରେ ହାବୁଡ଼ ଖାଇ ଗୋଡ଼ହାତ ଛିଣ୍ଡାଇ ଅଣ୍ଡାଳି ଅଣ୍ଡାଳି ପଳାଇବାକୁ ବାଟ ପାଉନଥିଲେ-

 

ରକ୍ତବୀଜର ଅନ୍ଧାର ବାହିନୀ ସେମାନଙ୍କୁ ପଛୁଆଡ଼ୁ ହୁରୁଡ଼ାଇ ହୁରୁଡ଼ାଇ କିଳିକିଳା ରଡ଼ି ଛାଡ଼ି ମାଡ଼ି ମାଡ଼ି ଆସୁଥିଲେ ।

Image

 

ତୃପ୍ତୋଽହଂ

ଦୁର୍ଗାମାଧବ ମିଶ୍ର

 

ଇସ୍, କି ଗରମ !

 

କିନ୍ତୁ ଯେତେ ଚେଷ୍ଟା କଲେ ସାଔର୍‌ଟା ତ ଖୋଲୁନି ତଣ୍ଟି ଅଠା ଅଠା ହୋଇଗଲାଣି । ଦେହରୁ ଗଦଗଦ ଝଳ ବହି ଯାଇଛି ।

 

ଆଉ କୋଉଁଠି ଟୋପେ ପାଣିମଧ୍ୟ ନାଇଁ ।

 

ଗୋଟେ ଲୁହାଛଡ଼ ଧରି ସାୱାର୍‌ର ଟ୍ୟାପ୍‌ଟାକୁ ପିଟିଲେ ହେମବାବୁ । ଟ୍ୟାପ୍ କିନ୍ତୁ ନିର୍ବିକାର । ଟିକିଏ ଚେପା ହେଇଗଲା ସିନା, ଖୋଲିଲା ନାଇଁ।

 

ଅଥଚ ସାୱାର୍ ଖୋଲିଗଲେ କେତେ ପାଣି ତାଙ୍କ ଦେହସାରା ବର୍ଷିଯାଆନ୍ତା ! କି ତୃପ୍ତି ପାଆନ୍ତେ ସେ !

 

ପେଚ୍‌କଷ୍‌ଟିଏ କେଉଁଠି, ଖୋଜି ଖୋଜି ପାଇଲେ ହେମବାବୁ, ସେଥିରେ ମୋଡ଼ାମୋଡ଼ି କରିବାକୁ ଚେଷ୍ଟା କଲେ । ହେଲାନି । ମଟରଗାଡ଼ିରୁ ରେଞ୍ଚିଟିଏ ଆଣିଲେ । ସେ ମଧ୍ୟ ଟ୍ୟାପ୍ ଖୋଲିବାକୁ ସାହାଯ୍ୟ କରିପାରିଲାନି । ଟ୍ୟାପ୍‌ର ମୁହଁଟା ବଡ଼ । ରେଞ୍ଚିଟା ଛୋଟ ।

 

ଖୋଜିଲେ ତେଲ । କାଳେ ଶୀତଦିନେ ବ୍ୟବହାର ଅଭାବରୁ ଜଙ୍କ୍ ଲାଗିଯାଇଥିବ । ପୋଡ଼ା ମୋବିଲତେଲ ବୁନ୍ଦା ବୁନ୍ଦା କରି ଲଗାଇଲେ-ହେଲା ନାହିଁ । ଦେହଲଗା ନଡ଼ିଆ ତେଲ ଦେଲେ । ଟ୍ୟାପ୍ ଶୁଣିଲା ନାହିଁ । ମୁଣ୍ଡଲଗା ବାସନା ତେଲ ଦେଲେ । ଟ୍ୟାପ୍ କିନ୍ତୁ ମୂକ । ମୁହଁ ଲଗା ସ୍ନୋ ମାଖିଲେ । ଟ୍ୟାପ୍ କିନ୍ତୁ ଅନଡ଼ । ନିରୁପାୟ ହୋଇ ଧାଇଁଲେ ସତ୍ୟବାଦୀ ପାଖକୁ । ମିସ୍ତ୍ରୀ ସତ୍ୟବାଦୀ ନାଆଁ ଡାକ । ଆହା ସତ୍ୟବାଦୀ କାଲି ରାତିରେ ମାରିଯାଇଛି । ତା’ଘରେ କାନ୍ଦ ବୋବାଳି ।

 

ପାଗଳ ପରି ଦୁଆର ଦୁଆର ବୁଲିଲେ । କିଏ ଟିକିଏ ମୋ ସୱାର୍‌ଟା ଖୋଲିଦିଅ । ସମସ୍ତେ ମୁହଁ ମୋଡ଼ିଦେଲେ । ସାମାନ୍ୟ ସାୱାର୍‌ଟା ଖୋଲିପାରୁନି ଯେ, ଆମକୁ ଡାକୁଛି ।

 

ହତାଶ ହୋଇ ଫେରିଲେ ସେ ।

 

ଟ୍ୟାପ୍ ସମ୍ମୁଖରେ ପଦ୍ମାସନରେ ବସି ଯେତେ ସ୍ତୃତି ଯେତେ ସ୍ତବ ପିଲାଦିନେ ବାପା ଶିଖାଇଥିଲେ ସବୁ ଗୋଟି ଗୋଟି କରି ଗାଇଲେ । ଖାଲି ଠାକୁର ମାନଙ୍କର ନାଆଁ ବଦଳାଇଦେଲେ । ଉଦାହରଣ ସ୍ୱରୂପ, ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ ନ କହି କହିଲେ ଜଳାଧାର ସ୍ଵାମୀ ଟ୍ୟାପ୍ ପଥଗାମୀ ଭବତୁ ମେ ।

 

ତଥାପି ମୁକ, ଅଥବା, ନିଷ୍କ୍ରିୟ, ନିଦାରୁଣ ସେ ଟ୍ୟାପ୍ । ଟିକିଏ ହୋଇ ପାଣି ସେଥିରୁ ଝରିଲାନାଇଁ ।

 

କେତେ କାନ୍ଦିଲେ । କାନ୍ଦ ଦେଖିଲେ ଅବା ଟ୍ୟାପ୍ ଟିକିଏ ଦୟା କରିବ । ଅଭିମାନ କରି ମୁହଁ ଫୁଲେଇ ବସିଲେ ବଡ଼ ହାକିମଙ୍କୁ ଖୋଷାମଦ କଲାପରି କହିଲେ, ଆହା ଟ୍ୟାପ୍, ତୁମେ କେତେ ସୁନ୍ଦର, ବଳିଷ୍ଠ, ସୁପୁରୁଷ ! ତୁମ ଦେହର ପୀତ ରଙ୍ଗର କି ଜ୍ୟୋତି ଉଦ୍‌ଭାସିତ ହେଉଛି ! କିଛି କାଟୁ କଲାନି ।

 

ଅନ୍ୟ ଉପାୟ ନ ଦେଖି, ବଡ଼ ଗାଧୁଆ ତଉଲିଆ ଟାରେ ଫ୍ରିଜ୍‌ରୁ ବୋତଲେ ପାଣି ଆଣି ଓଦା ସର ସର କରି ଦେହରୁ ଝାଳତକ ପୋଛି ଦେଲେ । ଟିକିଏ ଟାଲକମ୍ ପାଉଡ଼ର ଲଗାଇ ଅଫିସକୁ ବାହାରିଗଲେ ହେମବାବୁ ।

 

ସନ୍ଧ୍ୟାବେଳେ ଫେରିଲା ବେଳକୁ ସାରା ଗାଧୁଆଘର, ଶୋଇବାଘର, ବୈଠକଖାନା ସବୁଥିରେ ଏତେ ପାଣି ଯେ, କାଗଜ ଡଙ୍ଗା ଭସାଯାଇ ପାରିବ । ଦାମିକା କାଶ୍ମୀରୀ ଗାଲିଚାଟି ପାଣି ପିଇ ପିଇ ଫୁଲିଯାଇ ଭାସୁଛି । କିନ୍ତୁ ଟ୍ୟାପରେ ପାଣି ଆସୁନାହିଁ ।

Image

 

ଛବିର ଅନ୍ୟପାଖ

ବିଜୟକୃଷ୍ଣ ମହାନ୍ତି

 

ରାତି ନଅଟା ।

 

କିଛି ସମୟ ପୂର୍ବରୁ ଅସରାଏ ବର୍ଷା ହୋଇ ଛାଡ଼ିଯାଇଛି । ତେଣୁ ଶୀତ ରାତିର ଶୈତ୍ୟ ଅଧିକ ଅନୁଭୂତ ହେଉଛି ।

 

କିରାସିନୀ ଦୁଷ୍ପ୍ରାପ୍ୟ ହେତୁ ଅନିରୁଦ୍ଧର ପାନ ଦୋକାନରେ ପେଟ୍ରୋମାକ୍‌ସ ଲାଇଟ୍ ପରିବର୍ତ୍ତେ ମିଞ୍ଜି ମିଞ୍ଜି ହୋଇ ଡିବିରିଟିଏ ଜଳୁଛି ।

 

ଏ ଜଳିବା ମୁଁ ଲକ୍ଷ୍ୟ କରି ଆସୁଛି ପ୍ରାୟ ସପ୍ତାହେ ହେଲା ।

 

ମୁଁ ପାନ ଦୋକାନ ପାଖେ ପହଞ୍ଚିବା ବେଳକୁ ସେଠାରେ ଉପସ୍ଥିତ କେତେ ଜଣ କୌତୁହଳୀ କଣ୍ଠରେ ପରସ୍ପର ମଧ୍ୟରେ କିଛି ଯେପରି ଆଲୋଚନା କରୁଥିଲେ ।

 

ଅନିରୁଦ୍ଧ ନତଦୃଷ୍ଟି ହୋଇ ପାନ ପ୍ରସ୍ତୁତ କରୁଥିଲେ ମଧ୍ୟ ମିଳିତ ଆଲୋଚନାରୁ ଆନନ୍ଦ ଆହରଣ କରୁଛି । ନଚେତ୍ ତା ଓଠରେ ଏ ଚାପାହସ କାହିଁକି ?

 

ମୁଁ ଉତ୍‌କର୍ଣ୍ଣ ହୋଇ ଜାଣି ପାରିଲି, ପାନ ଦୋକାନର ବାମ ପାର୍ଶ୍ୱରେ ଠିଆ ହୋଇଥିବା ତେଲେଙ୍ଗା ରିକ୍‌ସାବାଲାଟିକୁ କେନ୍ଦ୍ର କରି ଏତେ ଆଲୋଚନା । ମଞ୍ଚ ଉପରେ ଉପସ୍ଥିତ ବିଭିନ୍ନ ଅଭିନେତା ନିଜ ନିଜର ସଂଳାପ ବ୍ୟକ୍ତ କରିବାକୁ ଉତ୍କଣ୍ଠିତ ରହିଥିବା ଭଳି ପାନ ଦୋକାନ ନିକଟରେ ଦଣ୍ଡାୟମାନ ରହିଥିବା ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଆଲୋଚନା ଉପରେ ନିଜ ନିଜର ମନ୍ତବ୍ୟମାନ ପ୍ରକାଶ କରିବାକୁ ଉଦ୍‌ଗୀବ ହୋଇ ଉଠୁଛନ୍ତି ।

 

ସେମାନଙ୍କର ସମସ୍ତଙ୍କ ଆଖି ରିକ୍‌ସାବାଲା ଉପରେ ନିବଦ୍ଧ । ଦୃଷ୍ଟି ସେମାନଙ୍କର ଯେପରି କଥା କହୁଛି ।

 

ରିକସାବାଲାଟିର ବୟସ ବତିଶ କି ତେତିଶ ହେବ । କିପରି ଏକ ନିସହାୟ ଦୃଷ୍ଟି ମେଲି ଠିଆ ହୋଇ ରହିଛି ସେ ।

 

ମାତ୍ର ତା ସଂପର୍କରେ ଏମାନଙ୍କର ଏତେ କୌତୂହଳ କାହିଁକି ?

 

ମିଳିତ ଆଲୋଚନାର ହଠାତ୍ ସେ ଶରବ୍ୟ ହୋଇଉଠିଥିବା ସଂପର୍କରେ କଣ ଚିନ୍ତା କରାଯାଇପରେ ?

 

ମୁହୂର୍ତ୍ତ କେତେକ ଲାଗି ସ୍ଥଗିତ ରହିଥିବା ଆଲୋଚନାର ପୂତଃପ୍ରକାଶ ।

 

ବାଙ୍ଗରା ହୋଇ ଚନ୍ଦା ଭଦ୍ରଲୋକ । ଦେହରେ ଖଦଡ଼ର ପରିଧାନ, ନେତା ମନେ ହେଉଛନ୍ତି । ଅନିରୁଦ୍ଧ ନିକଟରୁ ଭଙ୍ଗା ପାନ ଖଣ୍ଡେ ନେଇ ପାଟିରେ ପୁରାଇ ଚୋବାଇବାକୁ ଆରମ୍ଭକରି ରିକ‌୍‌ସାବାଲାକୁ ଉଦ୍ଦେଶ୍ୟ କରି କହିଲେ, “ଏ ବୁଦ୍ଧି ତୋତେ ଦେଲା କିଏ ? କହୁଛୁ ସ୍ୱେଟରଟା ସତାବନ ଟଙ୍କା ନେଇଛି ? ଜାଣିଲୁ, ଟଙ୍କାତକ ତୋର ପାଣିରେ ପଡ଼ିଲା । ଶୀତରେ ଥର ଥର ହୋଇ ଥରୁଛୁ । ହାପ୍ ସ୍ଵେଟର ପିନ୍ଧି ବାବୁ ଲାଭ କ’ଣ ?

 

ଆଲୋଚନାର ବିଷୟବସ୍ତୁ କିଛିଟା ସ୍ପଷ୍ଟ ହୋଇ ଉଠିଛି ଏଥର ।

 

ତରୁଣ ଭଦ୍ରବ୍ୟକ୍ତି ଜଣେ ହସି ପକାଇ କହିଲେ, “ସଉକରେ କିଣିଛି ସେ, ଶୀତ ନରହୁ, କ’ଣ ଭାସିଗଲା ତହୁଁ ?” କଥା ଶେଷରେ ହସି ପକାଇ ଅର୍ଦ୍ଧଦୁଗ୍‌ଧ ସିଗାରେଟ୍ ପୁଣି ଟାଣିବାକୁ ଆରମ୍ଭ କଲେ ।

 

“ସେତିକି ଦାମରେ କି ତାଠାରୁ କମ୍ ଦାମ୍‍ରେ ମୋଟା ଚାଦରଟାଏ କିଣିଥିଲେ ଶୀତ ପାଖ ପଶନ୍ତାନି । ଦେଖ, ଗାମୁଛାଟାଏ ଦି’କାନ ଉପର ଦେଇ ଠେକା ଭଳି ମୁଣ୍ଡରେ ବାନ୍ଧିଛି’’ ଅନ୍ୟ ଜଣେ ଭଦ୍ରଲୋକ ଦାନ୍ତ ଖୁଣ୍ଟୁ ଖୁଣ୍ଟୁ ମନ୍ତବ୍ୟ ଦେଲେ ।

 

ନିଃସହାୟ ରିକ୍‌ସାବାଲା ନିରୁତ୍ତର ।

 

ମନ୍ତବ୍ୟ ପରେ ମନ୍ତବ୍ୟ ।

 

ପୌଢ଼ ଭଦ୍ରବ୍ୟକ୍ତି ଜଣେ ଯେ ଏଯାଏ ନିଜକୁ ଅବ୍ୟକ୍ତ ରଖି ଯଥେଷ୍ଟ ଧୌର୍ଯ୍ୟସହ ଠିଆ ହୋଇ ରହିଥିଲେ ହଠାତ୍ କହି ଉଠିଲେ, “ସତାବନ ଟଙ୍କା ସେ ସ୍ୱେଟରଟା ? କି ଉଲ୍ ଦେଖି ।”

 

ଆଗେଇ ଗଲେ ସେ ରିକ୍‌ସାବାଲା ପାଖକୁ ଓ ନଇଁପଡ଼ି ନିରେଖି ଅନାଇଲେ, “ଏକଦମ୍ ବାଜେ ଉଲ୍ । ଠକି ଦେଇଛି ତୋତେ । କୋଉଁ ଦୋକାନରୁ କିଣିଲୁ ?”

 

ଯେଉଁ ଦୋକାନରୁ ସେ କିଣିଥାଉ ଆମ୍ଭମାନଙ୍କର ତା ଜାଣି ଲାଭ କଣ ? ମୁଁ ଭଦ୍ରଲୋକଙ୍କ ପ୍ରଶ୍ନର ହଠାତ୍ ପ୍ରତିବାଦ କରି ଉଠିଲି ।

 

ମୋର ଏ ଅପ୍ରତ୍ୟାଶିତ ବିରୋଧରେ ସେ ବୁଲିପଡ଼ି ବିସ୍ମିତ ଦୃଷ୍ଟିରେ ଅନାଇଲେ ମୋତେ, ତା’ପରେ ମୋ ପାଖକୁ ଘୁଞ୍ଚିଆସି ଚୁପ୍ ଚାପ୍ କରି କହିଲେ ‘ଲୋକଟା ଡାହା ମିଛ କହୁନି-? ସେ କିଣିଛି କି କେଉଁଠୁ ମାରି ଆଣିଛି କିଏ ଜାଣେ ? କେଉଁ ଦୋକାନରୁ କିଣିଚି ବୋଲି ପଚାରିଲାରୁ ଦେଖୁ ନାହାନ୍ତି ମୁହଁ ତା’ର କିପରି ଶୁଖିଗଲାଣି ।’

 

ଭଦ୍ରଲୋକଙ୍କର ନିରତିଶୟ ରୁଗ୍‌ଣ ମନ୍ତବ୍ୟ ସମ୍ପର୍କରେ କିଛି ଚିନ୍ତା କରିବା ପୂର୍ବରୁ ରିକ୍‌ସାବାଲା ହଠାତ୍ ଦୃଢ଼ କଣ୍ଠରେ କହିଲା, “ମୁଁ କିଣିଛି ବାବୁ, ଝୁଟା କହୁନି ।”

 

କଣ୍ଠର ସତର୍କତା ସତ୍ତ୍ୱେ ରିକ‌୍‌ସାବାଲା ପାଖେ ସେ ଧରାପଡ଼ି ଯାଇଛନ୍ତି । ମୁଖ ମଣ୍ଡଳ ହଠାତ୍ ନିଷ୍‌ପ୍ରଭ ହୋଇ ଯାଇଛି ଭଦ୍ରଲୋକଙ୍କର ।

 

ତା’ପରେ ଅଖଣ୍ଡ ନିରବତା । ଚଳିତ ଆଲୋଚନା ଉପରେ ମୋର ମନ୍ତବ୍ୟ ଥିଲା ଏକ ବ୍ୟତିକ୍ରମ । ମୋର ପ୍ରତିବାଦଜନିତ କ୍ଷୋଭମାଦଙ୍କୁ ଉପଲବ୍‌ଧି କରି ପାରିଥିଲି । ଟିପ୍‌ପଣୀ ଦେଇ କହିଲି, “ତା ସ୍ଵେଟର, ତା’ ସଉକ ଏବଂ ତା’ଶୀତ ତା’ର । ସେଥିଲାଗି ଆମ୍ଭମାନଙ୍କର ଏତେ ମୁଣ୍ଡବ୍ୟଥା କାହିଁକି ?”

ମୋର ତିକ୍ତ ଟିପ୍‌ପଣୀ ଉପରେ କୌଣସି ପ୍ରତିବାଦ ଶୁଣାଯିବା ପରିବର୍ତ୍ତେ ସେ ସ୍ଥାନ ଅନତିବିଲମ୍ବେ କ୍ରମେ ଖାଲି ହୋଇ ଯାଇଥିଲା ।

 

ରିକ୍‌ସାବାଲା କତାନିଆଁରେ ବିଡ଼ି ଧରାଇଲା ।

 

ପୋଷ୍ଟାଲ କଲୋନୀ,

ଇଉନିଟ୍-୪, ଭୁବନେଶ୍ୱର

Image

 

ଅସତୀ

ଡକ‌୍ଟର କୃଷ୍ଣପ୍ରସାଦ ମିଶ୍ର

 

ଅବିଶ୍ରାନ୍ତ ବରଫ ବର୍ଷା । ଇଉନିଭରସିଟିର କ୍ୟାଫେଟେରିଆର ଉଷ୍ଣ ପରିବେଶ ଛାଡ଼ି ବରଫ ଝଡ଼ ଭିତରକୁ ଯିବାକୁ ଆଦୈ ଇଚ୍ଛା ହେଉନଥାଏ । ଶୀତାଭ କଫି ମଗ୍‌ଟା ଧରି ଥରେ ବାହାରକୁ ଚାହିଁ ପୁଣି ସେ ତରୁଣୀଟି ଆଡ଼କୁ ମୁହଁ ବୁଲାଇ ଆଣୁଥାଏ, ଯାହାର ଜିନ୍ ପ୍ୟାଣ୍ଟ୍ ପଛପଟେ ବଡ଼ବଡ଼ ଅ‌କ୍ଷରରେ ଲେଖା ଯାଇଥିବା କିଛି ସମୟ ତଳେ ସେ ପଢ଼ିଥିଲା ?

 

I am a bad girl, follow me. କଟିପାଖରେ ପ୍ୟାଣ୍ଟର କିଛି ଅଂଶ ଜାଣତରେ ହେଉ ବା ଅଜାଣତରେ ହେଉ ଚିରି ମଧ୍ୟ ଯାଇଥାଏ । ଝିଅଟି ଦେଖିବାକୁ କାନାଡ଼ିଆନ୍ ମାପକାଠିରେ ଏ ପ୍ଳସ୍ ପାଇବ । କିନ୍ତୁ ଆଶ୍ଚର୍ଯ୍ୟ କଥା । ସବୁ ଟେବୁଲ ପାଖରେ ତରୁଣ ତରୁଣୀ ଯୋଡ଼ି ହୋଇ ଗପ ଜମାଇଥିଲେ ମଧ୍ୟ ତା ପାଖ ଚେୟାର କେତୁଟା ଅତ୍ୟନ୍ତ ବିଷର୍ଣ୍ଣ ଭାବେ ଖାଲି ପଡ଼ିଥାନ୍ତା । ତାକୁ ପ୍ରତ୍ୟେକ ଥର ଚାହିଁବା ପରେ, ଶୀତାଭର ଶରୀରରେ ଏକ ଅଭୁତ ବେଦନା ସୃଷ୍ଟି ହେଉଥିଲା ।

 

ଦ୍ଵିତୀୟ କପ୍ କଫି ଓ ଓଡ଼ାନଟ୍ ଧରି ଶୀତାଭ ତା’ର ଅନୁମତି ନେଇ ତା ଟେବୁଲ୍ ପାଖରେ ବସିଲା । ଆଗ ଆଗ କିଛି ଔପଚାରିକ କଥାବାର୍ତ୍ତା । ତରୁଣୀଟି ଭାରତୀୟ ସଭ୍ୟତା ଓ ସଂସ୍କୃତିର ସ୍ନାତକୋତ୍ତର ଛାତ୍ରୀ ବୋଲି ଶୀତାଭ ବୁଝିଲା । “ଭାରତୀୟ ଲୋକ ମୋତେ ଭଲ ଲାଗନ୍ତି । ମୁଁ ସେଇଥି ପାଇଁ ଆପଣଙ୍କ ଆଡ଼କୁ ଚାହୁଁ ଥିଲି । Bad girl ବୋଲି ନୁହଁ ।” ଧରାପଡ଼ିଯିବା ପରି ଶୀତାଭର ମୁହଁ ଲାଲ ପଡ଼ିଗଲା ।

ଓଡ଼ାନଟ୍‌ରୁ କିଛି ତୋଟିରେ ଲାଗିଯିବାରୁ ସେ ଜାଣିବାକୁ ଲାଗିଲା । ସେ ପ୍ରକୃତିସ୍ଥ ହେବା ପରେ ତରୁଣୀଟି କହିଲା-“ଧରନ୍ତୁ ଆପଣଙ୍କ ଦେଶରେ ରାବଣ କି ଦୁର୍ଯ୍ୟୋଧନ ଯୁଦ୍ଧରେ ଜିତିଥାନ୍ତେ । ସେମାନଙ୍କ ରାଜୁତି ଚାଲିଥାଆନ୍ତା । ସେତେବେଳେ ଆପଣମାନେ-ଆପଣଙ୍କ ଦେଶର ଝିଅମାନେ କ’ଣ କରି ଥାଆନ୍ତେ ? ମୋପରି ସ୍ଲାକ ପିନ୍ଧି ଏହିପରି ଲେଖି ନଥାନ୍ତେ ?”

 

ଶୀତାଭର ପେଟ ଓ ଅଣ୍ଟାପାଖରୁ ଉଠି ଆସୁଥିବା ବେଦନା ତୀବ୍ର ଦୃଷ୍ଟିରେ ରୂପାନ୍ତରିତ ହେଲା, ଆଉ ସେ ପ୍ରଥମକରି ଦେଖିଲା, କେବଳ ଶାରୀରିକ ସୋନ୍ଦର୍ଯ୍ୟରେ ନୁହେଁ, ବୁଦ୍ଧିରେ ମଧ୍ୟ ଏ ପ୍ଲସ ପାଉଥିବା ତରୁଣୀଟି ତା ସମ୍ମୁଖରେ ବସିଛି ।

Image

 

ଭୁଲ

ଶ୍ରୀ ଜଗଦୀଶ ମହାନ୍ତି

 

କେଉଁଠି ଯେମିତି ଭୁଲ୍‌ଟିଏ ରହିଯାଏ । ଯେତେ ଭାବ ଚିନ୍ତା କାମ କଲେ ସୁଦ୍ଧା, ଅରୁଣାଭର କେଉଁଠି ନା କେଉଁଠି ଗଲ୍‌ତି ରହିଯାଏ । ବେଳେବେଳେ ମନେହୁଏ, ଜୀବନର ଏଇ ଯେ ଏତେବାଟ ଆଗେଇ ଆସିଲା ସେ, ତଥାପିତ କେଉଁଠି କେଜାଣି ନିଜ ଅଜାଣତରେ, ଭୁଲ କରି ଆସିଲା ।

 

ସେଦିନ ଅଫିସକୁ ଅରୁଣାଭ ବହୁତ ସଅଳ ପହଞ୍ଚିଯାଇଥିଲା । ଆଉ କି ଆଶ୍ଚର୍ଯ୍ୟ ଯୋଗାଯୋଗ ଦେଖ । ସେଇ ଦିନ ହିଁ ସକାଳରେ ସସ୍ମିତା ନାଁର ସେଇ ନୂଆ ଟାଇପିଷ୍ଟ ଝିଅଟିର ପହଞ୍ଚିବାର ଥିଲା, ବେଡ଼ିଙ୍ଗ୍ ପତ୍ର ଧରି, ନିଜ ବୁଢ଼ାବାପାଙ୍କ ସାଙ୍ଗରେ, ଆପଏଣ୍ଟମେଣ୍ଟ ଲେଟର ଧରି-

 

ତା’ପରେ ଯେମିତି ହେବାକଥା, ପ୍ରଥମ ପରିଚୟ ଅରୁଣାଭ ସଙ୍ଗରେ । ହୁଏତ ଟିକିଏ ବେଶୀ ଦରଦୀ ହେଇ ପଡ଼ିଥିଲା ସେ । ତେଣୁ ସସ୍ମିତା ପାଇଁ କ୍ୱାଟର ଠିକ୍ କରିବାକୁ ଆରମ୍ଭ କରି ଆଟେଷ୍ଟେସନ ଫର୍ମ କେଉଁ ଅଫିସ୍‌ରେ ମିଳିବ—ସବୁ ଦାୟିତ୍ଵ ନିଜ ଉପରକୁ ନେଇ ଯାଇଥିଲା ।

 

ସଂଧ୍ୟାବେଳେ, ସସ୍ମିତାର ବୁଢ଼ା ବାପା ହଜାର୍ ଅଫିସ୍‌ରେ, ଅନୁରୋଧ ନେଇ ଯେ ମହାନ୍ତିବାବୁ, ସକାଳ ଓଳିଟା ହୋଟେଲରେ ଖାଇ କଟିଗଲା । ସଂଧ୍ୟା ବେଳଟାର ବ୍ୟବସ୍ଥା କିଛି କରିବାକୁ ହେବ । ଚାଲନ୍ତୁ ଟିକେ ମାର୍କେଟକୁ ଯିବା ।

 

ଗୋଟେ ଅବିବାହିତ ଝିଅର ନୂଆ ଘର ବସାଇବାରେ ଏତେ ଦିକ୍‌କତ ? ସସ୍ମିତା ତା’ର ବୁଢ଼ା ବାପା ଓ ଅରୁଣାଭ ତିନିହେଁ ଗପ କରି ମାର୍କେଟ ଯାଇଥିଲେ । କ’ଣ କ’ଣ ବା ନ କିଣିଛନ୍ତି ? ଥାଳି, ଗିନା, ଡେକ୍‌ଚି, କରେଇ, ଚଟୁ, କୋଇଲା ଚୁଲି, ତାୱା, କୋଇଲା, କାଠ, ଚାଉଳ, ଡାଲି, ତେଲ, ମସଲା, ଅଣ୍ଡା, ପରିବା, ହର୍ଲିକସ, ବ୍ୟାଟରୀ, ମିକ୍‌ସଚର, ଲୁଣିଆ ବିସ୍କୁଟ, ଡିଆସିଲି କିରୋସିନ ତେଲ, ନଡ଼ିଆ ତେଲ ଡିବା, ଚିରୁଣି, ଅଇନା-ସବୁ କିଛି କିଣି ଦିଟା ରିକ୍‌ସା ବୋଝେଇ କରି ସେମାନେ ଫେରି ଆସିଲେ ।

 

ତା’ପରଦିନ, ସକାଳରେ, ଅଫିସ୍‌କୁ ପହଞ୍ଚି ଅରୁଣାଭ ଦେଖିଲା ସସ୍ମିତା ବହୁତ ଆଗରୁ ହଜାର ହେଇଯାଇଛି ।

 

ଆଗ୍ରହରେ ପଚାରିଲା କାଲି ରାତିରେ କ’ଣ ସବୁ ରୋଷେଇ କଲେ ?

 

ସୁସ୍ମିତା ଲାଜେଇଗଲା । ଟିକେ ହସିଲା । ତଥାପି ଅରୁଣାଭ କଳ୍ପନା କରି ପାରି ନ ଥିଲା ଯେ, ଗୋଟେ ଭୁଲ ବାଛି ଦେବ ସୁସ୍ମିତା । କିନ୍ତୁ ତାକୁ ଆଶ୍ଚର୍ଯ୍ୟରେ ପକାଇ ସୁସ୍ମିତା କହିଲା, ସବୁ ଠିକ୍ ଥିଲା ଯେ, କିନ୍ତୁ ଲୁଣ ନ ଥିଲା ।

 

ଅରୁଣାଭ ହତବାକ୍ । କେଉଁଠି ନା କେଉଁଠି, ଯେମିତି ହେଉ, ଭୁଲ୍‌ଟା ରହିଯିବ ହିଁ ରହିଯିବ । ଏଇଟା କଣ ତା’ର ନିୟତି ?

Image

 

ଅନ୍ୱେଷଣ

ଜ୍ୟୋତ୍ସ୍ନା ରାଉତରାୟ

 

ଝିଅଟିକୁ ମୁଁ ଚାହିଁଲି । କେତେ ବୟସ ହେବ ତାର ! ଏସବୁ ଝିଅମାନଙ୍କର ବୟସ ସହଜରେ ଜଣା ପଡେ଼ନାହିଁ । ତା’ର ଅର୍ଦ୍ଧ ଉଲଗ୍ନ ବକ୍ଷ । ତାର ହସ, ତାର ଚାହାଣୀ ଭିତରେ ଅସଂଖ୍ୟ କଦମ୍ବର ରୋମାଞ୍ଚ ।

 

ଆଉ ପଶଟା ବର୍ଷ ପରେ ଏକଣ ଏମିତି ରହିଥିବ !! ସହର ତଳିର ସେ ନିଛାଟିଆ ଆଲୁଅ ଝଲମଲ ଘରେ ତାକୁ ମୁଁ ଦେଖୁଥିଲି ।

 

ମଣିଷର କୌଣସି ଆଶା ପୂର୍ଣ୍ଣ ହୁଏନା । କେବଳ ଉପାୟର ସଂଧାନ । ତାହାବି ତ ଦୁରାଶା ମାତ୍ର ।

 

ତମେ ଜଗନ୍ନାଥଙ୍କୁ ଭଲପାଅ ?

 

ନା—କଣପାଇଁ ଭଲପାଇବି ? ତାଙ୍କର ତ କାନ ନାହିଁ । କେବଳ ଦୁଇଟା ବଡ଼ ବଡ଼ ଚକା ଆଖି । ସେଥିରେ କଣ ସେ ଶୁଣିପାରନ୍ତି ?

 

ଆଜି କି ତିଥି ! ବାହାରେ ଜ୍ୟୋସ୍ନା ନାହିଁ । କେବଳ ଅସଂଖ୍ୟ ଜୁଳୁଜୁଳିଆ ପୋକ ପରି ତାରା ସବୁ । ଅମାବାସ୍ୟା–

 

ମଣିଷ ବଡ଼ ଅଦ୍‌ଭୁତ । ଆଶାରେ ଆଶାରେ ଭରସା କରି ସାରା ଜୀବନ କଟେଇ ଦିଏ-

 

ସାମନାରେ ମୋର ଦର୍ପଣ ନାହିଁ । ନିଜ ମୁଁହଟା ସେଥିରେ ଏବେ କେମିତି ଦିଶନ୍ତା ? ଭିକ୍ଷୁ କାଙ୍ଗାଳ ପରି ! ସାତ୍ତ୍ୱିକ ପରି !! ଋଷି ପରି ନା ନିର୍ବୋଧ ବାଳକଟିଏ ପରି !!!

 

ସୁଖୀ ସୁଖୀ ମୁହଁର ଝିଅଟି ହସୁଛି ହସୁଛି…! ଏବଂ ହୁଏତ କହୁଛି ତମେ ଭାଙ୍ଗି ପଡ଼ନା । ଜୀବନ, ଜନ୍ମ ଓ ମୃତ୍ୟୁର କଥା କିଛି ବୁଝା ପଡ଼େନା । କେବଳ ବଂଚିବା…କିଏ ଯିବ, କିଏ ରହିବ କେହି କହିପାରିବେନି ।

 

ଏବେତ ସମୟ ପର୍ଯ୍ୟାପ୍ତ । ବର୍ଷ, ମାସ, ଯୁଗ, ମନ୍ୱନ୍ତର ଆଲୋକ, ଅନ୍ଧାର । ଏକ ଅସଂଭବ ସ୍ଥାଣୁତ୍ଵ, ଗତି ରହିତି, ତରଙ୍ଗହୀନ ହେମାଲଜଡ଼ତାରେ ଆକ୍ରାନ୍ତ ଦେହଟାକୁ ନେଇ ମୁଁ ଉଠି ପଡ଼ିଲି ।

 

ଆଗରେ ଧୁଧୁ ବାଲି । ପଛରେ ମୋର ପାଦଚିହ୍ନ । ଉପରେ ହାୱାର ରାତି । ହେ ଈଶ୍ୱର ! ମୁଁ କେବଳ ଚାଲୁଛି ।

Image

 

ମନ୍ତ୍ର

ଦଶରଥ ସାମଲ

 

ଏଇ ଗତ କେତେଦିନ ତଳେ, ସୂର୍ଯ୍ୟୋଦୟ ପୂର୍ବରୁ ଆମ ବସତିକୁ ଜଣେ ବୟସ୍କ ଲୋକ ଆସିଥିଲେ । ବଡ଼ିଭୋଅରୁ ତାଙ୍କ ସବାରୀ ଆମ ବସତିରେ କିପରି ପହଞ୍ଚିଲା ଓ କିଏ ତାଙ୍କୁ କାନ୍ଧେଇ ଆଣି ଏଠାରେ ଛାଡ଼ିଦେଲା, ସେକଥା ଏବେ ମଧ୍ୟ ରହସ୍ୟା ବୃତ୍ତ ।

 

ଖୁବ୍ ଗୌର ଓ ଛଅଫୁଟ ଉଚ୍ଚର ବିଶାଳକାୟ ପୁରୁଷ, କପାଳ ଓ ଚକ୍ଷୁର ଦାର୍ଶନିକତାର କିଛି କିଛି ସଂଙ୍କେତ । ତାଙ୍କର ଶାଣିତ ନାକରେ ଆତ୍ମପ୍ରତ୍ୟୟର ଏକ ସ୍ପଷ୍ଟ ଦସ୍ତଖତ୍ ।

 

ଆମେ ସବୁ ତାଙ୍କ ଆସିବା ଖବର ପାଇ ସେଠାରେ ପହଞ୍ଚିଲାବେଳକୁ ଲୋକ ଭିଡ଼ ଖୁବ୍ ବଢ଼ିଯାଇଥିଲା । ଆମ ଆଖପାଖ ବସତିର ହଜାର ହଜାର ଲୋକ ଏଠାକୁ ଏତେ ଭୋରୁ କିପରି ଚାଲି ଆସିପାରିଲେ, ତାହା ଆମେ ଦେଖି ଅବାକ୍ ହୋଇଗଲୁ । ମାତ୍ର ଦୁଇ ମିନିଟ୍ ଭିତରେ ସମବେତ ଜନତାକୁ ସେ ତାଙ୍କର ବକ୍ତବ୍ୟ ଶୁଣାଇ ପୁଣି ସବାରୀ ଭିତରେ ବସିଗଲେ । ସବାରୀ ଚାଲିଗଲା ସକାଳର କୁହୁଡ଼ିଭିଜା ଧୂଲିଧୂଆଁ ରାସ୍ତାରେ ।

 

ସମବେତ ଜନତା ତା’ପରେ ନିଜ ନିଜ ବାଟ ଧରିଲେ ।

 

ଆମ ବସତିର ଜନଚେତନାରେ ସେହିଦିନଠାରୁ ଡାହାଣୀ ଲାଗିଲା । କିଏ ପ୍ରଳାପ କଲା, ଗୁଣୁଗୁଣୁ ଗୀତ ଗାଇଲା ଓ କିଏ କିଆଁ ବିଳରୁ ସାପକାତି ସଂଗ୍ରହ କରି ବେକରେ ଝୁଲାଇଲା-। ବୟସ ପୁରୁଷ ଲୋକ ତେର ଚଉଦ ବର୍ଷର ବରପକ୍ଷିଆ ଝିଅମାନଙ୍କୁ ଶ୍ରଦ୍ଧାରେ ତରଭୁଜ ଖାଇବାକୁ ଦେଲେ । ବୟସ ନାରୀମାନେ ସଦ୍ୟ କୈଶୋର ଅତିକ୍ରାନ୍ତ ପୁରୁଷ ପିଲାମାନଙ୍କୁ ମସଲାଦିଆ ପାନ ଖୁଆଇଲେ ।

 

କେଉଁ ପଣଗୋସବାପ ଅମଳରୁ ଆମ ବସତିରେ ନଳିଆସୁଥିବା ଦୋଅଣୀ ଏବଂ ଚାରଣି ଅଚଳ ଧରିଲା ଏବଂ ତାହା ବଦଳରେ ନୂଆ ଚକଚକ ମୁଦ୍ରାସବୁ ଟଂ ଟାଂ ନାଚିବାକୁ ଲାଗିଲା ।

 

ବାପାମାନେ ପୁଅମାନଙ୍କୁ ଭାରି ଶ୍ରଦ୍ଧା କରୁଥିଲେ । ସେମାନଙ୍କ ନାଁରେ ସମ୍ପତ୍ତି କିଣୁଥିଲେ ଓ ଯୁଦ୍ଧକ୍ଷେତ୍ରରେ ପୁଅମାନଙ୍କୁ ଯୁଝିବାକୁ ନେଉଥିଲେ ।

 

ଆଉ ବାପାମନେ ପୁଅମାନଙ୍କୁ ସାଙ୍ଗରେ ନେଉନାହାନ୍ତି । ଝିଅମାନଙ୍କୁ ସାଙ୍ଗରେ ଧରି ବଜାର ଯାଉଛନ୍ତି ଓ ହରେକ୍ ରକମର ରବର କଣ୍ଢେଇକିଣି ଦେଉଛନ୍ତି । ବାପମନେ ସେମାନଙ୍କ ପାଇଁ ବେସିଅର, ସ୍କାର୍ଫ ଓ ମିନିଫ୍ରକ୍ କିଣୁଛନ୍ତି ଓ ସାଙ୍ଗ ହୋଇ ଆମ ବସତିର କିଛି ଦୂରରେ ଥିବା ଏକ ପେକ୍ଷାଗୃହକୁ ଯାଉଛନ୍ତି ।

 

ଆଉ ମାଆମନେ ! ସେମାନେ ତାଙ୍କ ଜନ୍ମିତ ଝିଅମାନଙ୍କୁ ଘୃଣା କରୁଛନ୍ତି ସୁପ୍ରଚୁର ! ଝିଅମାନେ ପାଖକୁ ଆସିଲେ ନାନା କାମର ଫରମାସ ଦେବାରେ ଲାଗିଛନ୍ତି ଏବଂ ଦୂରସ୍ଥାନକୁ ଯିବାପାଇଁ ଟ୍ରାମ ଓ ବସ୍‌ଭଡ଼ା ଦେଉଛନ୍ତି ।

 

ମାଆମନେ ପୁଅମାନଙ୍କର ଚଡ଼ି ତିଆରି କରୁଛନ୍ତି ଓ ନିଜେ ସେମାନଙ୍କୁ ପିନ୍ଧାଇ ଦେଉଛନ୍ତି । ଆମ ବସତିର ମାଆମନେ ଏକ ଏକ ସିଲାଇ ମେସିନ୍ ପକାଇ ପୁଅମାନଙ୍କର ପ୍ୟାଣ୍ଟ୍, ସାର୍ଟ ତିଆରି କରୁଛନ୍ତି । ସେମାନେ ବାଳ କୁଣ୍ଡାଇ ଦେଉଛନ୍ତି ।

 

ଯେହେତୁ ପୁଅମାନଙ୍କ ନିଶ ସବୁ କହରା ଧରିଛି, ମାଆମାନେ ପ୍ରତିଦିନ ନିଶର ଟିକିଟିକି ରୁମାରୁମା କହରା ବାଳରେ ଜଡ଼ାତେଲ ଘଷୁଛନ୍ତି ।

 

ବୟସ୍କ ଝିଅମାନେ ଦେଉଳରୁ ଫେରି ମୂର୍ଚ୍ଛା ଯାଉଛନ୍ତି ଓ ବିଳିବିଳେଇ ଉଠୁଛନ୍ତି ଅନେକ ସମୟରେ । ଏସବୁର ମାନେ କ’ଣ ?

 

ଦୁଇଦିନ ଦୁଇରାତି ମୂର୍ଚ୍ଛା ଯିବାପରେ ସେମାନେ ସଷ୍ଟାମ ହେଉଛନ୍ତି ଓ ଦେଖାଯାଉଛନ୍ତି କିଶୋରଚନ୍ଦ୍ରାନନ ଚରୂ ‘ଲ’ ଅକ୍ଷରରେ ଚିତ୍ରିତ ରାଧାଙ୍କ ପରି !

 

ଆଉ ପୁଅମାନେ ! ସେମାନେ ବୟସ୍କା ନାରୀମାନଙ୍କୁ ବିବାହ କରିବାପାଇଁ ସମ୍ମତି ଦେଇଛନ୍ତି, ଯଦିବା ଆମ ବସତିରେ ଲୋକ ଅଥବା ସେମାନଙ୍କ ବାପା ଓ ମାଆମାନେ ପୁଅମାନଙ୍କ କଥାରେ ପର୍ଦ୍ଦାଟିଏ ଟାଣିଦେଲେ, ସେମାନେ ସବୁ ଅଭିମାନରେ ଘରୁ ଚାଲିଯାଇ ରେଳ ଧାରଣାରେ ଅଳସ ଭାଙ୍ଗିଲେ । କାହାର କଲିଜା ସବୁ ଉଡ଼ିଲା ଝରାପତ୍ର ପରି ଟ୍ରେନ୍ ଲାଇନ୍‌ର ଧାରେ ଧାରେ ଅଥବା କାହାର ହାତଲେଖା ଶେଷପତ୍ର, ଦଲିଲ୍ ହୋଇ ରହିଗଲା କେଉଁ ପୋଲିସ୍ ଷ୍ଟେସନ୍‌ର ଲୁହା ସିନ୍ଦୂକରେ ।

 

ଆମ ବସତିର ବୟସ୍କା ନାରୀମାନେ, ଯେଉଁମାନେ ତିନିପୁରୁଷର ପୁନ୍ନାଦି ପକାଇ, ହରେକୃଷ୍ଣ ହରେରାମ ଜପୁଥିଲେ, ସେମାନଙ୍କ ମଧ୍ୟରୁ କେତେକ ଅଳ୍ପବୟସ୍କ ଯୁବକଙ୍କ ସହିତ ରାତାରାତି ଗାଏବ ହେବାକୁ ଆରମ୍ଭ କଲେ ।

 

ଆମ ବସତିର ଧୂଳିଧୂଆଁ ରାସ୍ତାରେ ଏବେ ଖାଲି ଉଡ଼ିବାକୁ ଲାଗିଛି ବହୁ ବର୍ଣ୍ଣର ମନ୍ତ୍ରବୋଳା ଅବିର । କାଳକାଳ ଧରି ଆମ ବସତିରେ ଯାହା ଦେଖା ନଥିଲା ଓ ଶୁଣାଯାଇ ନଥିଲା, ଏବେ ସବୁ ଡାଆଁଣୀ ଲାଗିଲା ପରି ଆଶ୍ଚର୍ଯ୍ୟଜନକ ଭାବରେ ତାହା ଘଟିଯାଉଛି ।

 

ସେଦିନ ଖୁବ୍ ଭୋଓରୁ ଯେଉଁ ସଂଭ୍ରାନ୍ତ ଗୋରୀବର୍ଣ୍ଣର ବୟସ୍କ ଲୋକଟି ଦୁଇ ମିନିଟ୍ ମଧ୍ୟରେ ଏକ ମନ୍ତ୍ରର କୁହୁକ ହାବେଳି ଛୁଟାଇ, ସବାରୀ ନେଇ କୁହୁଡ଼ିଭିଜା ସକାଳରେ ବରଫପରି ମିଳାଇ ଯାଇଥିଲେ କ୍ରମେକ୍ରମେ ଓ ଗଲାବେଳେ ସବାରୀ ବାଲାମାନଙ୍କର ଯେଉଁ ଡାକ ସେଦିନର ସେଇ ନିରୁପଦ୍ରବ ସକାଳକୁ କରିଦେଇଥିଲା ଆହୁରି ମୌନ ଓ ନିସ୍ତବ୍‌ଧ, ତାହାର ପ୍ରତିଧ୍ଵନି ଆମ ବସତିରେ ପ୍ରତ୍ୟେକ ମଣିଷର ଚେତନାରେ ଏବେ ମଧ୍ୟ ପ୍ରତିଦିନ ପ୍ରତିଧ୍ଵନିତ ହେଉଛି ।

Image

 

ରାଗିଣୀ

ପୂର୍ଣ୍ଣାନନ୍ଦ ଦାନୀ

 

ପୂର୍ବରାଗ

(୧)

 

ସୂର୍ଯ୍ୟ ଉଇଁବେ । ସାରା ଆକାଶରେ ପୂର୍ବରାଗରେ ମହୋତ୍ସବ । ପ୍ରାଚୀ ଦିଗ୍ ବାରୁଣୀରେ ବହୁ ବର୍ଣ୍ଣାଳୀ । ସୂର୍ଯ୍ୟ ‘ଉଇଁବେ’ ‘ଉଇଁବେ’ ହେଉଛନ୍ତି, ଉଇଁ ନାହାନ୍ତି, ଏଯାଏଁ ।

 

ଗୀତ ଆଉ ସବିତା ବାହାରି ପଡ଼ିଲେ ଆମ୍ବ ଗୋଟେଇବାକୁ । ଡେରି କଲେ, କାଳେ କିଏ ନେଇଯିବ । ଗାଁରେ ଯେଉଁ ଉ ପ୍ରା. ବିଦ୍ୟାଳୟ ଅଛି, ସେଇଠି ତିନି ବର୍ଷ ହେଲା ସେମାନଙ୍କ ନାଁ ଲେଖା ହୋଇଛି । କଞ୍ଚା ଆମ୍ବ ଖାଇବାକୁ ଭାରି ମଜ୍ଜା ଲାଗେ । ଲକ୍ଷ୍ମୀ, ସୁରେଖା, ଶାନ୍ତି ପ୍ରଭୁତି ଝିଅମାନେ ଗତକାଲି ଇସ୍କୁଲରେ କଅଣ ଆମ୍ବ ଚୋବେଇ ଭାରି ଚହଁରେଇ ହେଉଥିଲେ । ଗତକାଲି ସଞ୍ଜରେ ଗୀତା ଆଉ ସବିତା ଠିକ୍ କଲେ ଯେ ବଡ଼ିଭୋରରୁ ଉଠି ଆମ୍‍ବୁରେଇରୁ ସେମାନେ ଆମ୍ବ ଗୋଟେଇବେ; ଇସ୍କୁଲରେ ସେମାନଙ୍କୁ ଚହଁରେଇବେ ଆଉ ଆଚାର କରିବେ । ଆଚାର ଖାଇଲାବେଳକୁ ଲକ୍ଷ୍ମୀ କିଏ କି ଶାନ୍ତି କିଏ ?

 

ଆମ୍ବ ଗୋଟାଉଁ ଗୋଟାଉଁ ଗୀତା କହିଲା ସବିତାକୁ “ହଇଲୋ ସବିତା ! ଆମେ ଦୁହେଁ ତ କେତେ ସାଙ୍ଗ ! ‘ଆମ୍ବ-ବଉଳ’ ବସନ୍ତାନି !”

 

ହଁ ଲେ…. ଭାରି ବଢ଼ିଆ ହୁଅନ୍ତା….ଚାଲ ଗୀତା, ଆଜିଠୁଁ ତୋର ମୋର ଆମ୍ବ-ବଉଳ ।

 

ସୂର୍ଯ୍ୟ ଉଇଁ ସାରିଥିଲେ । ଟୋକେଇରେ ଆମ୍ବ ଅଧାରୁ ବେଶୀ ଭର୍ତ୍ତି ହୋଇ ସାରିଥିଲା । ଗୀତା କହିଲା; ବଉଳ, ଚାଲ ଯିବା, କାଳେ କିଏ ଆସିଯିବ ଦେଖି ପକେଇବ । ସବିତା କହିଲା: “ହଁ, ବଉଳ…ଚାଲ ଯିବା ।”

 

ଆକାଶରେ ତଥାପି ଲାଗି ରହିଥିଲା ପୂର୍ବରାଗର ରଙ୍ଗ ।

 

ଅନୁରାଗ

(୨)

 

ମଧ୍ୟାହ୍ନରେ ସୂର୍ଯ୍ୟ ସେତେବେଳକୁ ଜଳୁଥିଲେ କହ । ପୌଷମାସ ନ ହୋଇ ବୈଶାଖ ହୋଇଥିଲେ, ଜଳିବାର ସୂର୍ଯ୍ୟ ହିଁ ଥାନ୍ତେ । ହେଲେ ଏ ପୌଷମାସରେ ମଧ୍ୟାହ୍ନରେ ସୂର୍ଯ୍ୟ ତଥାପି ତାତିଥିଲେ, ପୋଖରୀ ତୁଠରେ ଗୀତା ଗୋଡ଼-ପାଦରୁ ରଗଡ଼ି ରଗଡ଼ି ମଳି ପୋଛୁଥିଲେ, ଆଉ ସବିତା ନାକ-କଡ଼ ନାଲି କରୁଥିଲା ପଣତ କାନିରେ । ମୁଣ୍ଡରେ ସେମାନଙ୍କର ନଥିଲା ଓଢ଼ଣା । ଡର ଭୟ କାହାକୁ ? ଏ ତ ନିଜ ଗାଁ । ଏ’ ଠିନା ଅଛନ୍ତି ଶାଶୁ ନା ଅଛନ୍ତି ନଣନ୍ଦ-ଯେ ଓଢ଼ଣାକୁ ଡର । ହେଲେ ସୀମନ୍ତର ସିନ୍ଦୂର ଚକ୍ ଚକ୍ କରୁଛି । ପୁଷମାସିଆ ନିଜ ଗାଁକୁ ଆସିଛନ୍ତି । ଗତ ସନ ବାହାଘର ହୋଇଥିଲା ଦୁହିଁଙ୍କର । ନିଜ ଗାଁ, ନିଜ ଘର ତ; ଖାଇବାରେ, ପିଇବାରେ, ଗାଧୋଇବାରେ, ଗପିବାରେ ଡେରି ହେଲେ, ଯାଏ କେତେ, ଆସେ କେତେ !

 

“ବଉଳ !” —ସବିତା କହିଲା—“ଯାହା କହ, ଆମର ‘ସିଏ’ ମଣିଷ ଗୋଟେ । ମୁଁ ଖୁଁ କଲେ ଡାକ ବଇଦ । ଭଗବାନଙ୍କୁ ଶହ ଶହ ଜୁହାର, ମଥାର ସିନ୍ଦୂର, ହାତରେ ଶଙ୍ଖା ଶକ୍ତ ହୋଇଥାଉ… ।”

 

“ବଉଳା !” –ଗୀତା ସବିତାଠୁଁ କଥା ପ୍ରାୟ ଛଡ଼େଇ ନେଇ କହିଲା “ମୋର ବି ସେଇ ପ୍ରାର୍ଥନା, ପ୍ରଭୋ ମଥାର ସିନ୍ଦୂର, ହାତରେ ଶଙ୍ଖା ଶକ୍ତ ରଖିଥାନ୍ତି । ବଉଳ, ଆମର ‘ସିଏ’ ବି ମଣିଷ ଗୋଟେ । ମାଛିକି ମ’ କହନ୍ତି ନାହିଁ….”

 

କଥା ବଢ଼ୁଥିଲା ମଧ୍ୟାହ୍ନର ସୂର୍ଯ୍ୟଙ୍କ ତେଜ ବି ବଢ଼ୁଥିଲା । ଦୁଇ ବଉଳଙ୍କ ଅନୁରାଗ ବି ବଢ଼ୁଥିଲା ।

 

କେତେବେଳ ପରେ କେଜାଣି, ସବିତା କହିଲା–“ହେଇ ବଉଳ, ମାଆ ଡାକ ଆସିଲାଣି କାମ ସଅଳ କର… !”

 

ଅସ୍ତରାଗ

(୩)

 

ପଶ୍ଚିମ ପଟେ ସୂର୍ଯ୍ୟ ଅସ୍ତ ଯାଉଥିଲେ । ଅସ୍ତରାଗ ବିଛାଡ଼ି ପଡ଼ିଥିଲା । ଅସ୍ତରାଗର ବର୍ଣ୍ଣାଳା-କେତେ ସୁନ୍ଦର । କେତେ ଉଜ୍ଜଳ…

 

ପୋଖରୀ ହୁଡ଼ାରେ ଗୀତା ଆଉ ସବିତା ଗୁଡ଼ାଖୁ ଘଷୁଥିଲେ । ପଦାଆଡ଼ୁ ଫେରିଥିଲେ ତ ! ପାଣିରେ ବୁଡ଼ି ପଡ଼ି ଫେରିବେ । ମାଘ ସରିଆସୁଛି । ଆମ୍ବ ଗଛରେ ବଉଳ ଧରିଲାଣି । ପଦାଆଡେ଼ ଗଲେ, ଏଣିକି ପାଣିରେ ଟିକେ ବୁଡ଼ି ନ ପଡ଼ିଲେ, ଦେହ ଆଉ ମନ ସଫା ଲାଗୁନାହିଁ । ବୟସ ତ ହେଲାଣି ନା ! ଅଧାଅଧି ବାଳ ତ ଝୋଟ ହେଲାଣି । ବାକି ଅଧିକ ଆଉ କେତେଦିନ ? ଏଣିକି ସଞ୍ଜବେଳେ ଅଧାଏ ଲେଖେଁ ଭାଗବତ ନବୋଲିଲେ, ମନ ଭଲ ଲାଗୁ ନାହିଁ । ପାଣିରେ ବୁଡ଼ି ପଡ଼ି ସେମାନେ ଘରକୁ ଫେରିବେ । ଭାଗବତ ସମୟ ଯେ ହୋଇଗଲା ।

 

ଗୁଡ଼ାଖୁ ଘଷୁଁ ଘଷୁଁ ସବିତା କହିଲା : “ବଉଳ ! ସଅଳ କର, ତେଣେ ସମୟ ହୋଇଗଲା… ।”

 

“ହଁ ବଉଳ !” —ଗୀତା କହିଲା—“ସମୟ’ ହୋଇଗଲା । ଦେଖ୍ କେମିତି ସୂର୍ଯ୍ୟ ବୁଡ଼ି ଯାଉଛନ୍ତି । ସଅଳ କାମ ସାର– ।”

 

“ବଉଳ! ତମ ଝିଅ ପାଇଁ ପାତ୍ର ଠିକ୍ ହେଲାଣି ତ ?”

 

“ହେଇଛି ଆଉ କେଉଁଠି ? ଜବାବ ଆସି ନାହିଁ । ବଉଳ, ମୋ’ କଥା ଗୋଟେ ରଖିବ ଯଦି କହିବି ?”

 

“କହୁନ ! କଅଣ କହିବ, ମୁଁ ଜାଣିଲିଣି ଯେ !”

 

“ବଉଳ ! ତମ ଝିଅ କ’ଣ ମୋ’ ଝିଅ ନୁହେଁ ? ମୁଁ ଆଉ କେଉଁଠି ଖୋଜିବି ? ସେ ହିଁ ମୋର ବୋହୂ ହେଉ ।”

 

“ମୁଁ କଅଣ ମନାକଲି ବଉଳ ? ଆମେ ଆଉ କେତେଦିନ ? ପୁଅ ଝିଅ ହେଲେ ଏକାଠି ଥାଆନ୍ତୁ..”

 

ସୂର୍ଯ୍ୟ ଅସ୍ତ ଯାଉଥିଲେ । ପଶ୍ଚିମ ଆକାଶ କାହିଁକି ସାରା ଆକାଶରେ ଅସ୍ତରାଗର ମଧୁର ବର୍ଣ୍ଣାଳୀ ରଙ୍ଗର ମହୋତ୍ସବ ।

 

ସୂର୍ଯ୍ୟ ତଥାପି ଅସ୍ତ ଯାଇନାହାନ୍ତି । ତଥାପି ହସୁଛି ଅସ୍ତରାଗର ରଙ୍ଗ-ଅଧାର ।

Image

 

ଯୌବନ

ଶ୍ରୀ ପଦ୍ମଜ ପାଳ

 

ପୁଣି ଥରେ ପକ୍ଷୀଟି ବୁଝାଇବାକୁ ଚେଷ୍ଟାକଲା । ଭାଇ, ତୁମକୁ କ’ଣ ଏ ପରିବେଶରେ କ୍ଳାନ୍ତି ଆସୁନି ? କେବେ ବି ଅନ୍ୟ ଏକ ପୃଥିବୀର ମୋହ ତୁମକୁ ଆକର୍ଷିତ ଅଥୟ କରୁନି ?

 

:ଏବେ ବି ତ ଫୁଲରେ ମହୁଅଛି । ଫଳରେ ସ୍ଵାଦ ଅଛି । ପତ୍ରରେ କୋମଳ ସ୍ପର୍ଶ ଅଛି । ଅଛି ଏଠି ଆଉ ଏକ ବନ୍ଧନ—ଆମ ଜନ୍ମର ସଂକ୍ଷିପ୍ତ ଇତିହାସରେ ପରିଚିତ ଏ ପରିବେଶ । ଏହାକୁ ଛାଡ଼ି ଆଉ ଯିବା କୁଆଡ଼େ ?

 

ନୀଳ ଆକାଶକୁ ଦେଖ ।

 

କିଏ ଜାଣେ ତାରି ଭିତରେ ନାହିଁ ଅନ୍ୟ ଏକ ପୃଥିବୀ । ଯାହା ଅଧିକ ସଫଳ ଭାବେ ପୂରଣ କରିବ ଆମର ସମସ୍ତ କାମନାକୁ । ସ୍ୱପ୍ନକୁ ।

 

: ଏ ପୃଥିବୀ ଆମର ଭଲ । ଆମେ ଏଠି ନିଶ୍ଚିନ୍ତ ।

 

ତୁମେ ସବୁ-ଅତି ସାଧାରଣ । ଅପାଠକତେୟ । ମୁଁ କିନ୍ତୁ ଏମିତି ପାରିବି ନାହିଁ । ଚାଲିଲି ମୁଁ ଏକ ବୃହତ୍ତର ଜୀବନର ଅନ୍ୱେଷଣରେ ।

 

ନିଜର ଛୋଟ ଛୋଟ ଡେଣା ଦୁଇଟି ହଲାଇ ହଲାଇ ପକ୍ଷୀଟି ଆକାଶକୁ ଉଠିଗଲା ।

 

ନିର୍ମିମେଷ ନୟନରେ ବନ୍ଧୁମାନେ ତାକୁ ଚାହିଁଥିଲେ—ଆଉ ଦେଖା ନଯିବା ପର୍ଯ୍ୟନ୍ତ ।

 

ବୃଦ୍ଧ ପକ୍ଷୀଟିଏ ଗମ୍ଭୀର ସ୍ୱରରେ ଦୀର୍ଘଶ୍ଵାସ ପକାଇ କହିଲା—ପାଗଳାଟାଏ ! ବିଚରା ଜାଣିନି, ତା’ ପୂର୍ବରୁ ଏମିତି ଅନେକ, ଯୌବନରେ ଅନ୍ୟ ପୃଥିବୀର ଅନ୍ୱେଷଣ କରି ବ୍ୟର୍ଥ ଭାବେ ଫେରି ଆସିଛନ୍ତି ।

 

କାରଣ ଆଉ ପୃଥିବୀ ନାହିଁ ।

 

ଯଦି ତୁମର କିଛି ସ୍ୱପ୍ନ ଅଛି—ଏ ପୃଥିବୀକୁ ନେଇ ତାକୁ ଦେଖିପାର, ବା ଚେଷ୍ଟା ବି କରିପାର ଏ ପୃଥିବୀକୁ ସେଇ ସ୍ୱପ୍ନରେ ସାକାର କରିବାକୁ ।

ପକ୍ଷୀମାନେ ସେଇ ଦିନଠୁଁ ଚିତ୍ରଗ୍ରୀବର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି ।

 

ସେ ଫେରିନି ।

 

ନିଜ ନିଜ ଜୀବନର ସ୍ୱଭାବିକ ବ୍ୟସ୍ତତା ଭିତରେ ଦିନେ ଦିନେ ପକ୍ଷୀମାନେ ନିଜ ନିଜକୁ ପ୍ରଶ୍ନକରନ୍ତି-କୁଆଡ଼େ ଗଲା ସେ ? ଚିତ୍ରଗ୍ରୀବ !

Image

 

ଶୂନ୍ୟର ତରଙ୍ଗ

ପ୍ରସନ୍ନ କୁମାର ମିଶ୍ର

 

ତଥାପି ଯାହାକିଛି ବାକୀ ରହିଗଲା, ତାହା ଯେତେର ଫେଡ଼ାଙ୍କ ହେଉନା କାହିଁକି, ଶୂନ୍ୟ ନୁହେଁ । ତାହା ହିଁ ହୁଏତ ଶେଷ ଶବ୍ଦ, ଶେଷ ଝଙ୍କାର, ଅଥବା କୌଣସି ନିର୍ଗୁଣ ଆତ୍ମାର ଶେଷ ଦୃଷ୍ଟି-। (କୌଣସି କ୍ଷୟକାଶ ରୋଗୀର ଅନ୍ତିମ ଓ ଶେଷ ପ୍ରାର୍ଥନା କଣ କେବେ ଶୂନ୍ୟ ହୋଇପାରେ-।)

 

ପ୍ରସନ୍ନ ଶୋଇଚି । ପବନରେ ତଳେ ଖସି ପଡ଼ିଥିବା ଏକ ଚଳନ୍ତି ବର୍ଷର କାଲେଣ୍ଡର ପରି :

 

ଝରକାର ପର୍ଦ୍ଦାଟା ଉଡ଼ିବାକୁ ଆରମ୍ଭ କରିଛି ଏହି ଅଳ୍ପ କେତେକ୍ଷଣ ହେଲା—ଯେମିତି କି ତାହା ମୁକ୍ତି ଚାହେଁ । ଅଳ୍ପାୟୁ ଶୀତ ଖୁବ୍‌ ଦଗା ଦେଲା ।

 

ତଥାପି ଲୁହ ଶେଷ ହୋଇନାହିଁ ସେ ଅପେକ୍ଷା କରିଛି, ଯଦି ତାକୁ ପୁଣି କିଏ ଗୋଟାଇ ନେଇ ସଜାଇ ଦିଏ... ।

 

ତା କୋଟ୍‌ର ଗୋଲାପ କେହି ନେଇ ମୁଣ୍ଡରେ ଖୋସିଛି। ଭାଗ୍ୟବାନ୍‌ ଗୋଲାପ । ଦୁର୍ଭାଗା କୋଟ୍‌, ତୁ ଜଳିଯା, ଜଳି ପୋଡ଼ି ପାଉଁଶ ହୋଇଯା ।

 

ଆଉ ବା କି ସରାଗ ଅଛି ଏ ମନରେ, କାହାଲାଗି ବା ସେ ଆଉ ଧ୍ୟାନ କରିବ । ସତେ କାହାଲାଗି ?

 

ପ୍ରସନ୍ନ ଭାବୁଛି, ନିଜକୁ ଚାହୁଁଛି, ତଉଲୁଛି, ଘୋଡ଼ା ଦୌଡ଼ରେ ଜିତି ପାରିନାହିଁ ସେ, ତଳେ ପଡ଼ି ଯାଇଛି । ବହୁତ ତଳେ ।

 

ପିମ୍ପୁଡ଼ି ବି ଦୀପରୁଖା ଉପରକୁ ଚଢ଼େ । ପ୍ରସନ୍ନ ତାହାଠୁ ବି ହୀନ । ଆଉ ଉଠିବାକୁ ତାର ବଳ ନାହିଁ ।

 

ପ୍ରସନ୍ନ ଚିତ୍‌ ହୋଇ ଶୋଇଚି ।

 

ତା ଆଖି ଆଗରେ ଥିବା ଶୂନ୍ୟର ଏକ ଅପରିମିତ ଇଲାକାରେ ତାହାରି କୋଟ୍‌ ପେଣ୍ଟ, ଟାଇମାନ ଝୁଲୁଛନ୍ତି । କିନ୍ତୁ ସେଇ ଗୋଲାପଟି ନାହିଁ । କେଡ଼େ ଅସୁନ୍ଦର ଦିଶୁଛି କୋଟ୍‌ଟା ।

 

ଶୂନ୍ୟରୁ ତୋଫାନ ଆସେ, ପ୍ରବଳ ତୋଫାନ । ସତେ ଯେମିତି ପ୍ରସନ୍ନର ମୁଣ୍ଡ ଉପରେ ଗୋଟାଏ ବାରହାତିଆ ଖଣ୍ଡା ଝୁଲୁଛି, ଶ୍ମଶାନର ଖରା ଭଳି ତେଜ ତାର । ସେ ଚିତ୍‌କାର କରି ଉଠିଲା—’ମୋତେ ବଞ୍ଚାଅ । ମୁଁ ବଞ୍ଚିବାକୁ ଚାହେଁ । ହଁ ମୋତେ ବଞ୍ଚିବାକୁ ଦିଅ !’

 

ଭୂମିକମ୍ପ । ଘର ଦୋହଲୁଚି, ଭାଙ୍ଗିଯିବ କି ? ଯାଉ । ଘର ପଛେ ଭାଙ୍ଗୁ, କିନ୍ତୁ ବେକ ନକଟୁ !

 

ପ୍ରସନ୍ନ କଡ଼ ଲେଉଟାଇଲା ।

 

ରାକେଟ୍‌ରେ କୋଟ୍‌ଟା ଝୁଲୁଛି । ଗୋଲାପ ନାହିଁ । ବିନା ଗୋଲାପରେ ବଞ୍ଚିବା ଅସୁନ୍ଦର । ଏକ ଅଭିଶାପ ମଧ୍ୟ ।

 

ଶୂନ୍ୟରେ ଏ କୋଟ୍‌ କଣ ଝୁଲି ପାରିବ ? ? ସେ ତରବରରେ ଚିଠି ଲେଖି ବସିଲା ।

 

“ବନ୍ଧୁ !

 

ମୋର ଗୋଲାପ ଫେରାଇ ଦିଅ ।”

Image

 

କିଛିଟା ବ୍ୟକ୍ତିଗତ ବା ତାର ଜାତି

ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

ଯେମିତି ପ୍ରତ୍ୟେକ ନଦୀର ଗୋଟିଏ ନାଁ-ବ୍ରାହ୍ମଣୀ, ବୈତରଣୀ, ବ୍ରହ୍ମପୁତ୍ର ବା ଅନ୍ୟକିଛି-। ସେମିତି ।

 

ଝରଣାର କୌଣସି ନାଁ ନାଇଁ । ତାର ପରିଚୟ ନାଇଁ, ଏଣୁ ତାର ଆଦି ନାଇଁ । ଏକ ବିପୁଳ ରହସ୍ୟର ବିଭିନ୍ନ ବିବରଣୀ ସେ ।

 

ସେ କେବଳ ଗୋଟିଏ ଭୂଖଣ୍ଡକୁ ବିଭକ୍ତ କରି ଦୁଇଭାଗ କରେ ନାହିଁ......ସେ ଗୋଟିଏ କଲିଜାକୁ, ଗୋଟିଏ ମନକୁ ଏବଂ ଗୋଟିଏ ଆତ୍ମାକୁ ମଧ୍ୟ ଐନ୍ଦ୍ରିଜାଲିକ ଭାବରେ ଦୁଇଖଣ୍ଡ କରି ଏଭଳି କାଟିଦିଏ ଯେ, ତାହା ଅଯୋଡ଼ା ରହିଯାଏ...ସାରା ଜୀବନ । କିସ୍ତିୱାରୀ ବକ୍ତବ୍ୟର ଶେଷ ପର୍ଯ୍ୟାୟରେ ମୋତେ ତା ସମ୍ବନ୍ଧରେ କିଛି କହିବାର ସୁଯୋଗ ଦିଅ ।

 

ପୁରୁଷୋତ୍ତମ କହିଲା—ଏଇ ଝରଣାର ଅପର ପାଖରେ ଯେଉଁ ଗାଁ... ସେଇଠି, ହଁ, ସେଇଠି ରହେ ଗୋଟିଏ ଝିଅ । ବୟସ ଅଠର । ଡଉଲ ଡାଉଲ । ବାରହାତ ବାଳ । ହରିଣୀର ଆଖି । ଭଲ କାମ ଆସେ । ଗୀତ ଗାଇ ଜାଣେ । ଆପଣଙ୍କ ଯୋଗ୍ୟ । କ୍ଷୀରପରି ଦେହ । ଆଉ-

 

ମୁଁ କହିଲି—ଥାଉ । ଏଇ ଝରଣାର ପ୍ରଖର ଜଳସ୍ରୋତ ଡେଇଁ ଆମେ ସେ ଗାଁକୁ ଯିବା କିପରି ? ଯାଇ ପାରିବା ନାହିଁ ।

 

[ସେ ଝିଅ ସହିତ ମୋର ସଂପର୍କକୁ ଯୋଡ଼ିବା ପାଇଁ ଏକ ପୋଲ ଦରକାର, ଯେହେତୁ ଏତେ ପ୍ରଖର ଜଳ ସ୍ରୋତରେ ଡଙ୍ଗା ଚାଲେ ନାହିଁ । ଆଚ୍ଛା ଯଦି ମୁଁ ପହଁରି ଯାଇପାରନ୍ତି ?]

 

ନା—ପୁରୁଷୋତ୍ତମ ମନା କଲା । ଏଇ ଛାର ଝରଣାଟା ପୁଣି ଆମ ଆଗରେ ବାଧା ହୋଇ ଛିଡ଼ା ହେବ ? ଆଜ୍ଞାଁ, ୟାର ଗର୍ବ ଏଇ ବର୍ଷ ଦୁଇମାସ ପାଇଁ । ତା ପରେ ଯେଉଁ ଶୁଖିଲାକୁ ସେଇ ଶୁଖିଲା ।

 

ଗ୍ରୀଷ୍ମରେ...ଝରଣାର ଏଇ ଧୂସର ରାଜଧାନୀରେ କାହାର ଖପୁରୀ ? ଏ କାହାର ବୁଟ୍‌ ଚିହ୍ନ ? ଏ କାହାର ଭଙ୍ଗାମାଠିଆ ? ଏବଂ ଏ... ?

 

ଝରଣାର ଜାତି ନାହିଁ...ଯେମିତି ଗଙ୍ଗାର ଏକ ଜାତି ଅଛି, ତାର ଜନ୍ମ ପଛରେ ଏକ କାହାଣୀ ଅଛି । ଉତ୍ପତ୍ତି ପଛରେ ଏକ ଆଖ୍ୟାୟିକା ଅଛି । ଗଙ୍ଗାଯାଇ ସିଧା ମିଶିଛି ସମୁଦ୍ରରେ । ଏଇ ଝରଣାଟା ସେତକ ପାରିବ ?

 

ମୁଁ ପଚାରିଦେଲି—ଯଦି ଏଇ ଝରଣାଟା ଓଲଟା ଦିଗକୁ ବହି ପାରନ୍ତା ?

 

ପୁରୁଷୋତ୍ତମ ହସିଲା—ପାଗଳ ହେଲେ ଆଜ୍ଞା...ଏକଥା କେବେ ହେଇଚି ନା ହେବ ?

 

ହଁ ରେ...ତାରି କଥା ଯିଏବି ଭାବିଚି ପ୍ରଥମ ଥର ପାଇଁ ପାଗଳ ହିଁ ହୋଇଚି, ଅଥଚ ମୁଁ କେଉଁ ଅପଭ୍ରଂଶର ମୂଳ ଶବ୍ଦ ଖୋଜୁ ନଖୋଜୁ ପାଇବାର ପରାଜୟକୁ ବିନୀତ ଭାବରେ ମାନି ନେଇଛି ।

 

ତାର ଶୂନ୍ୟ ଜଳହୀନ ନକ୍‌ସା ଉପରେ ଠିଆ ହୋଇ ମୁଁ ବି ଦିନେ ନିଜକୁ ନିଜେ ପଚାରିଥିଲି—ମୋର ପାଦତଳୁ ଚେର ବାହାରି ପଡ଼ୁନି ତ ?

 

ସେଠି ରହିହେଲା ନାଇଁ । ମନେ ହେଲା ମୁଁ ହୁଏତ ଏହାରି ପ୍ରବଳ ସ୍ରୋତରେ ଭାସି ଯାଉଁ ଯାଉଁ ଖଣ୍ଡିଆ ଖାବରା ହେବି, ଜଖମ ହେବି, ଅକାରଣେ ରକ୍ତ ବହିବ ।

 

ଏବଂ ଏସବୁ ମନେହେଲା ବୋଲି ମୁଁ ଏଇ ମାଟି, ପଥର, କାଠ ବା ରବରର କଣ୍ଢେଇ ନ ପାଲଟି ଏକ ମଣିଷ ହେଲି ।

Image

 

ସଂପର୍କ

ବିଶ୍ଵରଂଜନ

 

ଏଇ ସେ ସାଳନ୍ଦୀ ସହର ।

ଏଇଠି ମୋର ବାପା ବାହାହେଲେ । କିନ୍ତୁ ବାପା ଯାହାକୁ ବାହାହେଲେ, ସେ ମୋର ମା ହେଲା ନାହିଁ—ମାଉସୀ ହେଲା ।

ଏଇଠି ପୁଣି ମୁଁ ବାହା ହେଲି । କିନ୍ତୁ ମୁଁ ଯାହାକୁ ବାହା ହେଲି ସେ ମୋର ପ୍ରିୟା ହେଲା ନାହିଁ—ପ୍ରେମିକା ହେଲା ।

ଘରଟିଏ ତୋଳି ବାପା ସେ ଘର ଭିତରେ ରହି ପାରିଲେ ନାହିଁ । ଘରଭିତରେ ରହିବାର ପ୍ରବଳ ଆଗ୍ରହ ସତ୍ତ୍ୱେ ବି ଘରଟିଏ ମୁଁ ତିଆରିକରି ପାରିଲି ନାହିଁ ।

ସମୁଦ୍ର କୂଳରେ ବସି ବାପା ଏବେ ତାଙ୍କର ନୂଆଘରକୁ ଦେଖୁଛନ୍ତି । ନିଜେ ତୋଳିଥିବା ଘର ଭିତରକୁ ନିଜେ ପଶିବାକୁ ସେ ଭୟ କରୁଛନ୍ତି । ସାଳନ୍ଦୀ ବାଲିରେ ବସି ମୁଁ ଦେଖୁଛି, ଘରଟିଏ ତିଆରି କରିବାର ସବୁ ଉପକରଣ ଥାଇ ବି ଘରଟିଏ ମୁଁ ତିଆରି କରିପାରୁନାହିଁ ।

ଘରତିଆରି କରିବାର କଳା ମୁଁ ଶିଖିଲି ନାହିଁ ।

ଘର ଭିତରେ ରହିବାର କୌଶଳ ବାପା ଜାଣିଲେ ନାହିଁ।

ସମୁଦ୍ର ବେଳାରେ ବାପା ସମୁଦ୍ରର ଏକ ଅସ୍ଥିର ତରଙ୍ଗ ପାଲଟି ଯାଇଛନ୍ତି ।

ସାଳନ୍ଦୀ କୂଳରେ ମୁଁ ସାଳନ୍ଦୀର ଏକ ତୁଠ ପଥର ହୋଇଯାଇଛି ।

ମୁଁ ଆଉ ମୋ ବାପା–

କେତେ ବା ଦୂରତ୍ୱ ସତେ ଆମ ସଂପର୍କର !

ନଦୀ ସାଳନ୍ଦୀ: ମାସ ଶ୍ରାବଣ

ଏଇ ଗଲା ଫଗୁଣର ହୋରିବେଳେ ‘ଭଦ୍ରକ’ ମୋ ଦେହରେ ରଙ୍ଗ ବୋଳି ଦେଇଗଲା । କହିଲା: ଆମ ସାଳନ୍ଦୀ ପାଣିରେ ବି ରଙ୍ଗ ଲିଭିବ ନାହିଁ । ଏ ହେଉଛି ଅସଲି ରଙ୍ଗ । ସବୁଦିନ ପାଇଁ ଅଲିଭା ହୋଇ ରହିଯିବ ।

ସେଇ ରଙ୍ଗୀନ ଦେହରେ ମୁଁ ଯାଇ ସାଳନ୍ଦୀ ବାଲିରେ ବସିଲି । ଉଜ୍ଜ୍ୱଳ ଖରାରେ ସେ ରଙ୍ଗ ଆହୁରି ଉଜ୍ଜ୍ୱଳ ଦିଶିଲା । ମନେ ମନେ ମୁଁ ଆତ୍ମ-ସନ୍ତୋଷ ଅନୁଭବ କଲି ।

କିନ୍ତୁ ଏ କଣ !

ହଠାତ୍‌ ଆସିଲା ବର୍ଷା । ଜଳଶୂନ୍ୟ ସାଳନ୍ଦୀ ପୂର୍ଣ୍ଣଗର୍ଭା ହୋଇ ତାର ଜଳରେ ମୋ ଦେହର ସବୁ ରଙ୍ଗକୁ ଧୋଇ ନେଲା । ହସି ହସି କହିଦେଇଗଲା—ନକଲି ରଙ୍ଗ ଇଏ । ଏ ରଙ୍ଗ ରହିବ ନାହିଁ ।

 

ବିସ୍ମୟରେ ମୁଁ ସାଳନ୍ଦୀକୁ ଚାହିଁଲି । ହସି ହସି ସାଳନ୍ଦୀ କିନ୍ତୁ ବହି ଚାଲିଥିଲା ଆଗକୁ—ଆଗକୁ । ଅନୁଭବ କଲି, ମୋ ଆଖିରେ ଜମିଥିବା ବର୍ଷାସବୁ ତଳକୁ ଡେଇଁ ସାଳନ୍ଦୀରେ ମିଶି ବହିଯିବା ପାଇଁ ଅସ୍ଥିର ହେଉଛନ୍ତି ।

Image

 

ଅନନ୍ତ ଶୟନ

ରତ୍ନାକର ଚଇନି

 

ମୋ ମନର ସମସ୍ତ ଆବେଗକୁ ପୁଂଜିକରି

ତାକୁ

ଫୁଲ ହୋଇ ଫୁଟିବାକୁ ଅନୁରୋଧ କଲି ।

ମାତ୍ର ସେ ସର୍ପ ହୋଇ ମତେ ଦଂଶନ କଲା ।

ମୋ ମନର ସମସ୍ତ ଯନ୍ତ୍ରଣାକୁ ଏକାଠି କରି

ମୁଁ/ ଏବଂ ମୁଁ ମାନେ

ତା’ ଆଖିରେ ଗୋଟାଏ ବ୍ୟାଧିତ ମନର

ରଙ୍ଗ ବୋଳିବାକୁ ଚାହିଲି/ଲୁ ।

ସେ ତା ହସରେ ଲୀଳାୟିତ ପଦ୍ମ ଫୁଟାଇ

ସର୍ବଂସହାର ପ୍ରତିଶ୍ରୁତି ଦେଲା ।

ଆଶ୍ଚର୍ଯ୍ୟ !

ମୁଁ ଏଥର ସମୟର ବଟପତ୍ର ଉପରେ

ବୟସ୍କ ବିଷ୍ଣୁ/ଶିଶୁ ସାଜି

ଦୁଃଖ-ସୁଖର ଯନ୍ତ୍ରଣାରେ

ଛଟପଟ ହେବାକୁ ଲାଗିଲି ।

Image

 

ଶୂନ୍ୟତାର ପୂର୍ଣ୍ଣତା

ଯଦୁନାଥ ଦାଶମହାପାତ୍ର

 

ଜହ୍ନରାତି ପରେ ଅଂଧାର ରାତି ଆସିଲା । ସେଇ ଅଂଧାର ଭିତରେ କୋଣାର୍କର ମୁଗୁନି ପଥର ମୂର୍ତ୍ତିଗୁଡ଼ାକ ହଜିଗଲେ ।

 

ସମୁଦ୍ରରୁ ଖୁବ୍‌ ଜୋର୍‌ରେ ପବନ ବହିଲା । ସେଇ ପବନ ସହିତ କୋଣାର୍କର ପଥର ମୂର୍ତ୍ତିଗୁଡ଼ାକ ଉଡ଼ିଗଲେ ।

 

ରାତି ବଢ଼ି ଉଠିଲା । ଚତୁର୍ଦ୍ଦିଗ ଶୂନ୍‌ଶାନ୍‌ । ଅନେକ ଅଦୃଶ୍ୟ ଆତ୍ମାର ନିଃଶ୍ୱାସରେ କୋଣାର୍କର ଛାତି ଉଷ୍ଣ ହେଲା ।

 

ଶାମ୍ବ, ଛାୟା, ଚନ୍ଦ୍ରଭାଗା...

 

ବିଶୁ, ଶିବେଇ, ନରସିଂହ...

 

ଅଂଧାର ଭିତରେ ସମସ୍ତେ ଆଗେଇ ଆସିଲେ । ସେମାନେ ଖୋଜିବେ ମନ୍ଦିର ଭିତରେ ନିଜନିଜକୁ । କିନ୍ତୁ ଅଂଧାର ଭିତରେ କେହି କାହାକୁ ପାଇଲେ ନାହିଁ ।

 

ପାଚିରି ବାହାର ବାଲିରେ ବସୁ ବସୁ ଆମ ଆଖିକି ନିଦ ଘାରିଗଲା । ଆମ ମନରେ ଭୂତର ଭୟ । କୋଣାର୍କ ଏକ କଳାର ଶ୍ମଶାନ ।

 

ନୀଳିମା କହିଲା—ଆହୁରି ପାଖକୁ ଘୁଞ୍ଚିଆସ ।

 

ମୁଁ କହିଲି—ନା, ଯାହାହେଲେ ବି ଏଇଟା ଧର୍ମ କ୍ଷେତ୍ର, ମନ୍ଦିର ।

 

ସେ କହିଲା—ଦେବତା-ବିହୀନ ମନ୍ଦିରର ଅର୍ଥ କଣ ?

 

ମୁଁ କହିଲି–ବିଶ୍ୱାସ ।

 

ସେ କହିଲା–ମନ୍ଦିର ଦେହର ସେଇ ମୂର୍ତ୍ତିଗୁଡ଼ାକ ତୁମେ ଦେଖିଚ ? ମନ୍ଦିର ଦେହରେ ଯେଉଁଟା ସମ୍ଭବ ହେଇଚି ମନ୍ଦିର ବାହାରେ ସେଇଟା ଅସମ୍ଭବ ହେବ କାହିଁକି ?

 

ମୁଁ ନିରୁତ୍ତର !

 

ସେ ମୋ ଦେହ ସହିତ ମିଶିଯାଇଚି ।

 

ସେଇ କାକଡ଼େଣା ଅଂଧାର ଭିତରେ ମନ୍ଦିର ଭିତରକୁ ମୂର୍ତ୍ତିକୁ ଭୁଲି ମୁଁ ବି ଖୋଜୁଚି ବାହାରର ସେଇ ମୂର୍ତ୍ତିଗୁଡ଼ାକୁ । ସେଇ ନଗ୍ନତାକୁ ।

 

ମନରେ ପ୍ରଶ୍ନ ଉଠିଛି— କେଉଁଟା ସତ୍ୟ ? ମନ୍ଦିର ଭିତରର ଦେବତା ନ ମନ୍ଦିର ବାହାରର ନଗ୍ନତା ?

 

ମୁଁ ତା ଦେହ ସହିତ ମିଶିଯାଇଚି ।

 

ସକାଳ ହେଲା । ପୂର୍ବାକାଶରେ ଏକ ଲୋଭନୀୟ ସୂର୍ଯ୍ୟ । ସେ ଡିଆଁ ମାରି ଆକାଶକୁ ଉଠୁଚି କିନ୍ତୁ ମନ୍ଦିର ଭିତରକୁ ଆସୁନାହିଁ। ମନ୍ଦିର ଶୂନ୍ୟ । ବାହାରର ମୂର୍ତ୍ତିଗୁଡ଼ାକ ଆମକୁ ଚାହିଁ ହସୁଚନ୍ତି ଓ କହୁଚନ୍ତି-ମନ୍ଦିର ଭିତରେ ସୂର୍ଯ୍ୟଙ୍କୁ ଦେଖିବାର ଆବଶ୍ୟକତା ନାହିଁ । ବାହାରେ ସୂର୍ଯ୍ୟଙ୍କ ଆଲୋକରେ ଆମକୁହିଁ ଦେଖ ।

Image

 

ମର୍ଯ୍ୟାଦାବନ୍ତ

ଯଶୋଧାରା ମିଶ୍ର

 

ସକାଳୁ ସକାଳୁ ବନମାଳୀ ବାବୁଙ୍କର ଫୋନ୍‌ ଆସିଲା, ଆଚାର୍ଯ୍ୟ ବାବୁ ଆଉ ଇହଧାମରେ ନାହାନ୍ତି । କହୁ କହୁ ସେ କାନ୍ଦି ପକାଇଥିଲେ । ଘଣ୍ଟାକ ଭିତରେ ସାରା ସହରରେ ଖବର ଖେଳି ଯାଇଥିଲା ।

 

ଆଚାର୍ଯ୍ୟ ବାବୁ ଭଲ ଲୋକ ଥିଲେ । ତାଙ୍କ ପ୍ରତିଷ୍ଠା, ପ୍ରତିପତ୍ତି, ସବୁ ସତ୍ତ୍ୱେ ସେ ଥିଲେ ବିନୟୀ ଓ ସଚ୍ଚୋଟ । ଥିଲେ ସ୍ନେହୀ ଓ ମେଳାପୀ । ସର୍ବୋପରି ଥିଲେ ଦାମ୍ଭୀକ ଓ ସ୍ପଷ୍ଟବାଦୀ । ତାଙ୍କ ସ୍ପଷ୍ଟବାଦିତା, ଦାମ୍ଭିକତାର ସବୁଠାରୁ ଜ୍ଵଳନ୍ତ ପ୍ରମାଣ ଥିଲା ନିକଟରେ ତାଙ୍କର ମନ୍ତ୍ରୀଙ୍କ ସହିତ ହୋଇଯାଇଥିବା ରୋକ୍‌ଠୋକ୍‌ କଥା କଟାକଟି । ତାଙ୍କ ସହକର୍ମୀ, ଅଧସ୍ତନ, ଦେଖଣାହାରୀ ସମସ୍ତେ ସ୍ତମ୍ଭୀଭୂତ ହୋଇଥିଲେ, ଅଭିଭୂତ ହୋଇଥିଲେ । ତାପରେ ତାଙ୍କର ଚବିଶି ଘଣ୍ଟା ଭିତରେ ବଦଳି ଆଦେଶ ହୋଇଥିଲା ।

 

ସେ ମର୍ଯ୍ୟାଦାବନ୍ତ, ନମ୍ର ଭଦ୍ରବ୍ୟକ୍ତି ଜଣକ ତାପରେ ସଦିଚ୍ଛୁମାନଙ୍କଠାରୁ ବିଦାୟ ଭୋଜୀ ଖାଇଥିଲେ । ସେତେବେଳେ ସମସ୍ତେ ଲକ୍ଷ୍ୟ କରିଥିଲେ ତାଙ୍କ ବିରସ ମୁହଁ, ଆଖି ତଳର ଗହୀଡ଼ା ଗାତ । ତଥାପି ଓଠରେ ହସ ଟିକକ ଲିଭିଯାଇନଥାଏ । ଆତ୍ମବିଶ୍ଵାସର ଦୃଢ଼ତା ସେମିତି ଥାଏ ହାବଭାବରେ । ଗଲାପରେ ସମସ୍ତେ କୁହାକୁହି ହେଲେ—ଆଚାର୍ଯ୍ୟ ବାବୁ ଆମ ତମ ପରି ଲୋକ ନୁହନ୍ତି । ମୁକାବିଲା କରିନେବେ ସିଏ ବି ।

 

ଆଚାର୍ଯ୍ୟ ବାବୁ । ଷ୍ଟେସନ୍‌ରେ ଆଶାୟୀ ସ୍ତାବକମାନଙ୍କ ମୁହଁକୁ ଚାହିଁ କଣ କହିବେ ବୋଲି ମୁହଁ ଖୋଲି ଦଣ୍ଡେ ରହିଯାଇଥିଲେ । ଘରେ କାନ୍ଦୁଣୁ ମାନ୍ଦୁଣୁ ସ୍ତ୍ରୀକୁ ସିନା ବୁଝାଇ ହେବ–“ଏତେ ବ୍ୟସ୍ତ ହେବାର କଅଣ ଅଛି ଏଥିରେ ? ବଦଳୀ ହେଲା, କିଛି ଚାକିରୀତ ଚାଲି ଯାଇନାହିଁ ।” ହେଲେ, ଏ ଉପରକୁ ବିଶ୍ଵାସରେ ଅନେଇଥିବା ଆଖିମାନଙ୍କୁ ଚାହିଁ ସେ କି ଆଶ୍ଵାସନା ଦେଇପାରିବେ ? ଶେଷରେ କହିଲେ–“ଯାଉଁଛି, ତମେମାନେ ଅପେକ୍ଷା କର, ଦେଖିବ ।”

 

ଆଚାର୍ଯ୍ୟ ବାବୁ ବଦଳି ହେଇଯିବାର ପନ୍ଦର ଦିନ ଚାଲିଗଲା । ଲୋକେ ଅନେଇଥାଆନ୍ତି ଅପୂର୍ବ କିଛି ଘଟିବାକୁ । କେତେକ କହିଲେ ନିରାଶାରେ–“କହିଦେବା ସହଜ । ମନ୍ତ୍ରୀଙ୍କ ସାଙ୍ଗରେ ଯୁଝିବା କଣ ସହଜ କଥା ।” ଆଉ କେତେକ ତଥାପି ଆଶାୟୀ–“ଆଚାର୍ଯ୍ୟ ସାହେବ ବି କମ୍‌ ଲୋକ ନୁହନ୍ତି, ତାଙ୍କର କେତେ ଉପରେ ଯାଏଁ ଟାଣ ଅଛି । ରହ, ଶୁଣିବ ଯେତେବେଳେ ବୋମା ଫୁଟିଲାପରି....”

 

ବୋମା ଫୁଟିଲା ପରି ହିଁ ଆସିଲା । ଆଚାର୍ଯ୍ୟ ବାବୁ ଆଉ ଇହଲୋକରେ ନାହାନ୍ତି । ବନମାଳୀ ବାବୁ ଭଙ୍ଗା ଗଳାରେ କହିଲେ–“ହାଟ୍‌ ଫେଲ୍ୟୁଅର୍‌ ଆଜ୍ଞା ।

 

ଦି’ଘଣ୍ଟା ପରେ ଗୋପାଳବାବୁ କୁଆଡ଼ୁ ଖବର ନେଇ ଆସିଲେ-“ଶୁଣାଯାଉଛି ସୁସାଇଡ଼୍‌-। ଘରଲୋକ, ନେତାଲୋକ ସମସ୍ତେ ମିଶି ଚପାଇ ଦେବାକୁ ବସିଛନ୍ତି ।”

 

ଆହାଃ ! ମରଣ ଯାଏଁ କଥାଗଲା ।

 

ପରଦିନ ଖବରକାଗଜରେ ବାହାରିଲା—ରାତିବେଳା ହୋଟେଲ୍‌ରୁ ଖାଇସାରି ନିଜ ଗାଡ଼ି ପାଖକୁ ଆସିଲାବେଳେ ଦୁଇଟି ଲଢ଼ୁଥିବା ଷଣ୍ଢଙ୍କ ହାବୁଡ଼ରେ ପଡ଼ି ସେ ଦଳିମକଚି ହେଇଗଲେ । ଲହୁଲୁହାଣ ଦେହ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଆଉ ପ୍ରାଣ ନଥିଲା ।

 

ଖରାଦିନିଆ ସନ୍ଧ୍ୟାବେଳେ ଲନ୍‌ରେ ଥଣ୍ଡା ବିଅର୍‌ ଗ୍ଳାସଟିଏ ଲେଖାଁ ଧରି ସେମାନେ ବସିଥିଲା । ରାଜନୀତି, ପାଣିପାଗ ବଦଳି ଇତ୍ୟାଦି ବିଷୟ ପରେ କଥା ଆସି ଅପ୍ରସ୍ତୁତ ଭାବେ ପହଞ୍ଚିଲା ଆଚାର୍ଯ୍ୟ ବାବୁଙ୍କଠି । ଦି’ଚାରିପଦ କଥାବାର୍ତ୍ତା ପରେ ମାଛି ହୁରୁଡ଼ାଇଲା ଭଳି ଗୋଟାଏ ଝଟକାରେ ହାତ ହଲାଇ ଦେଇ ବନମାଳୀ ବାବୁ କହିଲେ—“ଛାଡ଼ନ୍ତୁ । ମରଣକୁ ଆଉ କାହା ହାତ ଅଛି ? ସିଏ ତ ବଳେ ଆସିବ, ଆଜି ନହେଲେ କାଲି ।”

 

ଦୀର୍ଘଶ୍ଵାସ ପକାଇ ପ୍ରଫୁଲ୍ଲ ବାବୁ କହିଲେ—“ତେବେ ଆଜ୍ଞା, ଦଶା ଖରାପ ପଡ଼ିଥିଲେ ଶଳା ମରଣ ବି ଲୋକଙ୍କୁ ବେଇଜତ୍‌ କରେ ।”

Image

 

ମହାରାଜା

ରମେଶଚନ୍ଦ୍ର ଧଳ

 

ତା’ପରେ ସେ ଦୃଷ୍ଟି ଫେରାଇଲେ…। ଦ୍ଵିତଳ ପ୍ରାସାଦ ତଳେ ଅଗଣିତ ମେହନତୀ ଜନତାର ଜୁଆର...ତରଙ୍ଗରେ ଗୋଟାଏ ଦାବୀର କେବଳ ପ୍ରତିଧ୍ଵନି ।

 

ରାଜା ମହାରାଜା, ଜମିଦାର ନୁହେଁ, ଆମେ ମଧ୍ୟ ବଞ୍ଚିବୁ । ଆମେ ମଣିଷ ।

 

ମହାରାଜା ପ୍ରଶ୍ନକଲେ “ଏମାନେ କିଏ ?”

 

“ସଂଗ୍ରାମୀ ମଣିଷ, ସଭ୍ୟତାର ବାର୍ତ୍ତାବହ, ଅଗ୍ନିଶିଖା‌ ।”

 

“ମୋର ସହୋଦର ରାଜା ଭାଇ ବିରାଦର କେହି ନୁହନ୍ତି ତ ?”

 

“ନା ।”

 

ଘୃଣାରେ ନାସିକା କୁଞ୍ଚନ କଲେ ମହାରାଜା...“ଏମାନଙ୍କୁ ଅପସରି ଯିବାକୁ କହ ।”

 

“ଏ ନବ ପ୍ରବାହର ମହାସ୍ରୋତର ପଥ ଅବରୋଧ କରିହେବ ନାହିଁ ମହାରାଜା, ପ୍ରତିରୋଧ କଲେ ଏହି ମହାନ ସ୍ରୋତରେ ଲୀନ ହୋଇଯିବା କେବଳ ସାର ହେବ ।” ସଂକ୍ଷେପରେ ଉତ୍ତର କଲେ ମହାମନ୍ତ୍ରୀ ।

“କ’ଣ କହୁଛ” ?

 

“ଠିକ୍‌ କଥା କହୁଛି ମହାରାଜ, ସେମାନେ ଆଉ ଆମକୁ ରାଜାର ସମ୍ମାନ ଦେବାଲାଗି ପ୍ରସ୍ତୁତ ନୁହନ୍ତି । ଦୀର୍ଘ ବିନୀଦ୍ର ରଜନୀର କ୍ଲାନ୍ତିଭରା ମୁହଁ ଉପରେ ବେଦନା ଉଙ୍କି ମାରୁଥିଲା । ଦୀର୍ଘନିଶ୍ଵାସ ତ୍ୟାଗ କରୁଥିଲେ କେବଳ ମହାରାଜା ।

 

ଦ୍ଵିତଳ ପ୍ରାସାଦରେ ପ୍ରତିଧ୍ଵନିତ ହେଉଥିଲା ସେହି କେତେ ଗୋଟି ସ୍ଲୋଗାନ... “ଦୃଷ୍ଟି ଫେରାଅ ।

 

ଆମର ଦାବୀ ପୂରଣ କର ।

 

ଆମେ ମଣିଷ ।”

 

ପୂର୍ବକାଶ ଲାଭ କରି ସୂର୍ଯ୍ୟ ଉଠୁଥିଲା ।

Image

 

ସହାନୁଭୂତି

ଶୁଭେନ୍ଦୁ ମୁଣ୍ଡ

 

ପାଞ୍ଚଟଙ୍କା ଦେବି, ହେଲା ? ଏଥର ଆସିବୁ ?

 

ଉଁ ଉଁ ଉଁ-ନାଁ ! ହବନି !

 

ହବନି କିଆଁ ?

 

ଡେଇଲି ସ୍ନୋ, ପାଉଡ଼ର ଖରଚ ତ... ତା’ପରେ…

 

ମୋର କହିବି, ଶୁଣିବୁ ? ଛାଡ଼୍‌ ଛାଡ଼୍‌, କହିଲେ ପୂରଣ ହବ !

 

ଫେର୍‌ ମୋ ପାଖକୁ କିଆଁ ଆସିଚ ?

 

ସେଥିରୁ ତୋତେ କଣ ମିଳିବ ?

 

ପିଇଚ ନା ?

 

ଯାଃ, ତମେ କେମିତିକା ମଣିଷମ ? ଆଉ ମୋଠି କଣ ପାଇବ ? କି ସୁଖ ?

 

ଯା, ମିଛରେ ହନ୍ତସନ୍ତ କରନା ।

 

ମଂଗୁଚୁକି ନାଇଁ, କହିଲୁ ଆଗ ।

 

ତମକୁ କିସ ବୁଝେଇବି ? ହଉ, ବେଗେ ଆସିଲ !

Image

 

Unknown

ଦୁଇଟି ଛୋଟଗପ

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

 

ଅନ୍ଧକାରର ସୂର୍ଯ୍ୟ

ମେଲଣ ପଡ଼ିଆ, ଧାଡ଼ି ଧାଡ଼ି ପସରା; ଲୋକ ହାଉଜାଉ ।

ପିଲାଟିଏ ଗହଳି ଭିତରୁ ବାହାରି କଣ୍ଢେଇ ପସରାଠି ହେଲା ।

“ପଚିଶି ପଇସିଆ କଣ୍ଢେଇ ମିଳିବ ? ...ହୋ ମଉସା,

ପଚିଶି ପଇସିଆ କଣ୍ଢେଇ ତମଠି ଅଛି...ଟିକେ ଇଆଡ଼େ ଶୁଣ ମ,

ପଚିଶି ପଇସିଆ କଣ୍ଢେଇ ତମଠି ମିଳିବ ?”

ଦୋକାନୀ ଅନ୍ୟ ଗରାଖଙ୍କଠି ବ୍ୟସ୍ତ ରହି ପଚାରିଲା, “କି କଣ୍ଢେଇ ?”

“ସୂର୍ଯ୍ୟନାରାୟଣ ମୂର୍ତ୍ତି, ସାନୁଟାଏ ହୋଇଥିବା, ବାଛି କରି ଦେବ ।”

ପସରାର ଦେବ ମୂର୍ତ୍ତି ଥିବା ଆଡ଼କୁ ମୁହଁ ଫେରାଇ ଦୋକାନୀ ପଚାରିଲା,

“ହଳଦିଆଟାଏ ନବୁ ନା ନାଲିଆ ନବୁ ?”

‘ଯାହା ଦେଉଛ ଦିଅ, ତେଜ ଥିବାଟିଏ ବାଛି କରି ଦିଅ ।’

‘ଏଠି ସବୁ ଗୋବର କଣ୍ଢେଇ । କାଚ କଣ୍ଢେଇ ହେଲେ ସିନା ଚକଚକିଆ ହେବ ।’

‘ତା କୁଉଠି ମିଳିବ ?’

‘ଆଉ ଆଉ ପସରା ଅଛି, ଯାଉନୁ ।’

‘କୁଉଠି ମିଳିବ ଟିକେ କହନ୍ତି ନି’ ପିଲାଟି ବିରକ୍ତ କଲା ।

ଦୋକାନୀ ଜଣକ ରାଗିଯାଇ ପିଲାଟିକୁ ଚାହିଁଲା ପ୍ରଥମଥର ପାଇଁ ତା’ ଆଖି

ଯୋଡ଼ିକ ସ୍ଥିର ରହିଗଲା ପିଲାଟିର ଆଖି ଦିଓଟି ପାଖେ ।

“ମଉସା ମ, କହିବନି କୁଉଠି ମିଳିବ ?” ପିଲାଟି ନେହୁରା ହେଲା ।

“କିମିତି କହିବିରେ ବାବୁ, ତୋ ଆଖିରେ ସବୁ ତେଜକୁ ଲୁଟି ନେଇ

ଯେଉଁ ସୂର୍ଯ୍ୟନାରାୟଣ ଝଟକୁଛନ୍ତି, ତୋ ପାଇଁ ଚକଚକିଆ କଣ୍ଢେଇଟିଏ ମିଳିଲେ ତାଙ୍କଠି ମିଳିବ ।”

 

‘ବାଃ, ଭଲ କଥାଟିଏ କହିଲ । ସୂର୍ଯ୍ୟନାରାୟଣଙ୍କଠି ଯଦି ସୂର୍ଯ୍ୟନାରାୟଣ ମୂର୍ତ୍ତି ମିଳିବ, ମୁଁ ଆଉ ତାଙ୍କୁ ପାଇବି ଯେ ଗୁହାରି କରିବି ।’ ଅନ୍ଧ ପିଲାଟି ଧୀରେ ଧୀରେ ଦୂରେଇଗଲା ।

 

ଆହ୍ୱାନ ଓ ଆହ୍ୱାନ

 

ଏ ପେଜରେ ଲେଆଟୁ ହୋଇନାହିଁ

 

ଆକ୍ରମଣୋଦ୍ୟତ ଦର୍ପରେ ଭୀମକାୟ ଷଣ୍ଢ ଦୁଇଟି ମଝି ଦାଣ୍ଡରେ ମୁହାଁ ମୁହିଁ ହୋଇଥାନ୍ତି । ଅସଂଖ୍ୟ ଜନତା ଆସନ୍ନ ରୋମାଞ୍ଚକର ଘଟନାକୁ ବିପଦ ସୀମା ସେପାରେ ଅପେକ୍ଷା କରୁଥିଲେ ।

 

ଜନଗହଳରେ ସଦୁପଯୋଗ କରିବାକୁ ଦୁଇଜଣ ବିରୋଧୀ ପ୍ରାର୍ଥୀ ରାସ୍ତାରେ ଦୁଇ ମୁଣ୍ଡରେ ଜୁଟିଲେ ଶକ୍ତିଶାଳୀ ମାଇକ୍‌ ନେଇ । ସେମାନେ ମାଇକରେ ପରସ୍ପର ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଗର୍ଜି ହାଣ୍ଡବିଲ୍‌ ବିଞ୍ଚିଲେ ।

 

ଷଣ୍ଢମାନେ ତାଙ୍କର ଯୁଦ୍ଧକ୍ଷେତ୍ରକୁ ସତେକି ପ୍ରଥୀମାନଙ୍କୁ ଛାଡ଼ି ରାସ୍ତା କଡ଼କୁ ଅପସରି ଗଲେ । ଏଥର ଷଣ୍ଢମାନେ ଅପେକ୍ଷା କଲେ; ଲୋକ ପତଳା ହେଲେ । ପ୍ରାର୍ଥୀମାନେ ପଳାଇଲେ ।

 

ପରିଶେଷରେ ପଡ଼ିଥିବା ହାଣ୍ଡବିଲ୍‌ ଗୁଡ଼ିକୁ ଷଣ୍ଢମାନେ ମିଳିମିଶି ପାକୁଳିଲେ ।

Image

 

କ୍ଷତ

ହୃଦାନନ୍ଦ ପାଣିଗ୍ରାହୀ

 

କୂଳକୁ ନାଗି ପଡ଼ିରହିଛି ଭଂଗାନାଆ । ନଈରେ କଳାଘୁମ ପାଣି । ଶୀତୁଳିଆ ଢେଉଗୁଡ଼ିକ ଖୁବ୍‌ ଯୋରରେ ସେଇ ଭଂଗା ନାଆରେ ବାଡ଼େଇ ହେଇ ଫେରିଯାଉଥିଲା ।

 

ନାଉରୀ ହାତ ପାତି ମାଗୁଥିଲା ‘ଆହା’ ପଦଟିଏ ।

 

ତା’ର ଉଦ୍ଧୃତିର କାତର ପ୍ରାର୍ଥନା ଭିତରେ ଭିଜିଯାଉଥିଲା ପତିଶ୍ରୁତି ହୀନ ସମୟ ।

 

ସହଜେତ ଶୂନ୍ୟତା, ତା’ ସହିତ ତା’ର ଶୋକିତ ଆଶା ଅତି କାକୁସ୍ଥ ଭାବରେ ଛାତି ଭିତରେ ଗୁରୁତର ଗାରଗୁଡ଼ିକୁ ଟିପି ନେଉଥିଲା । ନଈ ଉପରେ ଅନ୍ଧାର ଧାଇଁ ଆସୁଥିଲା ଏବଂ ଯାଚ୍ଛାତା ଭାବରେ ମାଡ଼ି ଚକ୍‌ଟି ଦେଉଥିଲା ।

 

ପାଣିରେ ମାଳ ମାଳ ଲହଡ଼ି ।

 

ଘୁମନ୍ତ ଅତୀତ ଭିତରେ ଚହଲା ଶୃଙ୍ଖଳା ।

 

ପବନର ନିଃଶ୍ଵାସରେ ଶୁଖିଲା ପତ୍ର ଉଡ଼ୁଥିଲା । ସେଇ ବାସୀ ଘଟଣାଟି ସମସ୍ତ ପରଗତାକୁ କାଲୁବାଲୁ କରିଦେଉଥିଲା ।

 

ପିଠିରେ ତା’ର ବୟସ ନଇଯାଇଛି ।

 

ଛାତି ଭିତରେ କେଉଁଠି ଘା’ଟିଏ ମାଂସ ଭିତରେ ଜଳୁଛି ।

 

ଚାରି ପାଖରେ ଦିକ୍‌ ଦିକ୍‌ ଅଂଧାରର ଭଉଁରୀ ।

 

ବିକଳ ଦୃଷ୍ଟିରେ ଏଣିକି ତେଣିକି ଚାହୁଁ ଚାହୁଁ ସେ ଦେଖିଲା-ଦୂରରେ ଥିବା ଆମ୍ବତୋଟାଟି ସତେ ଯେମିତି ଅଂଧାରରେ କେଉଁଠି ହଜିଯାଇଛି ।

 

ସଳଖ ତାଳଗଛରେ ବାୟା ଚଢ଼େଇ ତା’ ଛୁଆକୁ ଶୁଖାଇ ପକାଇଲାଣି ।

 

ନାଉରୀର କ୍ଷତରେ ସେଇ ତରଂଗିତ ଜ୍ୱାଳାକୁ ନୀରବ କରିଦେବା ପାଇଁ ମଧ୍ୟ ସଙ୍ଗୀତଟିଏ ଲୋଡ଼ା ।

Image

 

କବିତା ବନୀମ ଗପଟିଏ

ବନଜ ଦେବୀ

 

ବେଳେ ବେଳେ ମନେହୁଏ, ତମପାଇଁ ଲେଖିବି !

 

ଦିଗ୍‌ ବିଦିଗେ ଲୋଟିପଡ଼ିଥିବା ପୂର୍ଣ୍ଣିମାର ଅନମ୍ବରା ରାକା, ମାୟାବୀ ରାତିର ସର୍ବଶେଷ ଆଚ୍ଛାଦନଟି ମୁକ୍ତ କରିଦେଇ, ଯେପରି ରହସ୍ୟମୟୀ । ଭୂମାର, ସଂଗୁପ୍ତ ଅକୁଳତାର ଏକ ବିହ୍ଵଳ ଓ ନିମଗ୍ନ ରୁପ ପ୍ରକଟିତ କରିଥାଏ, ମୋର ଚେତନାର ଅତଳ କଣରେ ନିଭୃତ ସ୍ପଟିକ ତରଙ୍ଗଟିଏ, ସେହିପରି ଖୋଜୁଥାଏ ତଦନୁରୂପ ଏକ ସୌନ୍ଦର୍ଯ୍ୟମୟ ଅଭିବ୍ୟକ୍ତି । ଏକ ପ୍ରକଟିତ ହେବାର ସମାହିତ ଉତ୍ତରଣ ।

 

ଜୀବନ ପ୍ରବାହର ସେଇ ବିଶେଷ ବିଶେଷ ବିଛିନ୍ନ ମୁହୂର୍ତ୍ତରେ ନିଜର ଅସ୍ତିତ୍ଵର କେଉଁ ନିଭୃତ କୋଣରେ ସୁନନ୍ଦାଙ୍କର ଯୋନପୁରୀ ରାଗର ଖୈୟାଲ ପରି, ଯେଉଁ ତୀବ୍ର ଲୟର ସ୍ୱର ବିସ୍ତାର ଯୁଗପତ୍‌ ଆନନ୍ଦ ଓ କାରୁଣ୍ୟର ଏକ ମିଶ୍ରିତ ଝଂକାର ତୋଳିଥାଏ, ସେହି ଅନାହତ ନାଦର ଧ୍ଵନି ସମୁହ ଏକ ଭାଷା ସ୍ଥାପତ୍ୟର ରୂପ ନେଇପାରେ ନାହିଁ । ଏକ ଅବ୍ୟକ୍ତି, ଅପ୍ରକଟିତ ଅଫୁରନ୍ତ ଉତ୍ସ କ୍ରମେ ଅବରୁଦ୍ଧ ଚେତନା ଭିତରେ, ଅସହାୟ ହୋଇ ଗୁମୁରି ଗୁମୁରି ଉଠେ ।

 

ମୋର ସମସ୍ତ ଅନ୍ତଃକରଣକୁ ମନ୍ଥନକରି, ଅନୁସନ୍ଧଚ୍ଛାକୁ ପ୍ରଗାଢ଼ କରି, ମୁଁ ତ ବହୁଦିନୁ ତମ ପାଇଁ ଖୋଜୁଚି ସମସ୍ତ ଭାଷାରୁ ବିଚ୍ଛିନ୍ନ ପୃଥକ୍‌ ଏକ ଭାଷା, ସମସ୍ତ ରଂଗରୁ ଭିନ୍ନ ଏକ ନୁତନ ରଙ୍ଗ, ବର୍ଣ୍ଣମାଳା ବହିର୍ଭୂତ ମାତ୍ର ଏକଇ ଅକ୍ଷର ସର୍ବୋପରି ଖୋଜୁଚି ତୁମର ଏକ ଅନିର୍ବାଚନୀୟ ନାମ । ଯଦିଓ ମୁଁ ଜାଣେ ଭଲଭାବେ ଜାଣେ ଯେ ତମେତ ଏକ ଅନ୍ୟ ଅନାମ ।

 

ସୁଖଦୁଃଖର, ଏଇ ଜୀବନ ଯାତ୍ରାର ନେପଥ୍ୟରେ, ମୋର ଏହି ନିଭୃତ ଅନ୍ତଃଯାତ୍ରା, ଏଇ ଦୃଷ୍ଟିର ପରିକ୍ରମା, ଅବୋଧ ଜିଞାସା ଓ ଆକୁଳ ଅନ୍ଵେଷଣ, ଅନ୍ତରମଧ୍ୟରେ ଏହିଯେ ସଂଗୀତମୟ ଆରୋହ ଓ ଅବରୋହ, ଏସବୁ ତ ତୁମ ପାଇଁ । ଆଉ ଏହା ଦିନ ଅଧକର ନୁହେଁ । ବେଶ୍‌ କିଛି ଦିନର ।

 

ହେତୁ ହେଲାଦିନୁ ସେଇ ଯେ ପୃଥିବୀକୁ ସତୃଷ୍ଣ ଦୃଷ୍ଟିରେ ଚାହିଁ ରହିଥିଲି, ଟିକେ ବୟସ ହେଲାବେଳକୁ ସେ ଦୃଷ୍ଟି ହୋଇଗଲା ଏକ ଭିନ୍ନ ଦୃଷ୍ଟି । ନିଜସ୍ଵ ରଂଗରେ ସେ ରଂଗେଇ ନେଲା ସବୁ କିଛି । ସମ୍ମୁଖର ରହସ୍ୟମୟ ପୃଥିବୀ, ଚତୁଃପାର୍ଶ୍ଵର ମାୟାବିନୀ ପ୍ରକୃତି ଓ ପରିବେଷ୍ଟିତ ମାନବ ସମାଜର ଆଇନ ଲୀଳାକୁ ବିଦୀର୍ଣ୍ଣ କରି ସେ ବହୁଦ୍ଵାରେ ହଜି ମିଶିଗଲା । ଜୀବନ, ପ୍ରେମ, ସ୍ୱପ୍ନ, ସଂସାର ସବୁ ହୋଇଗଲା ଭିନ୍ନ ଭିନ୍ନ । ପରିପୂର୍ଣ୍ଣ ସଂସାର ମଧ୍ୟରେ ସବୁ ନାରୀଙ୍କ ପରି ନିମଗ୍ନ ନ ରହିପାରି ମୁଁ ହୋଇଗଲି, ଉଦ୍‌ବୃତ୍ତ, ବିଚ୍ଛିନ୍ନ । ଏହି ବିଚ୍ଛିନ୍ନତା, ଏହି ଅନ୍ୟମନସ୍କତା କ୍ରମେ କ୍ରମେ ଗାଢ଼ ହୋଇ ଏକ ଜମାଟ ବନ୍ଧା ଅକୁଳତାରେ ରୂପାନ୍ତରିତ ହୋଇଗଲା । ବିପୁଳ ପୃଥିବୀର ଊର୍ଦ୍ଧ୍ଵକୁ ଏକ ଅବ୍ୟକ୍ତ ଆକୁଳତାରେ ଚାହିଁରହି ଏକ ଅବକ୍ଷୟ ବେଦନାରେ ମୁଁ ତ ଦିନୁ ଦିନ ଅଧିର ହୋଇ ଉଠିଲି ।

 

ଦିନେ କିନ୍ତୁ ସେପରି ଏକ ନିବିଡ଼, ଏକାନ୍ତ ଲଗ୍ନରେ ସେଇ ଜମାଟ ବନ୍ଧା ସୀମାରେ ଏକ ନବ ଉନ୍ନେଷ ହେଲା । ମୋର ରୁଦ୍ଧ ବାତାୟନରେ ତମେ ବାତାୟନଟିଏ ଖୋଲି ଦେଇଗଲ । ଝଲକା ଝଲକା ମୁକ୍ତ ପବନ ଆସି, ମତେ ରୋମାଞ୍ଚିତ କରି ଗଲା । ସେଇ କ୍ଷୁଦ୍ର ବାତାୟନ ଦେଇ ମୁଁ ଦେଖିପାରିଲି ଚେନାଏ ନିର୍ମଳ ଆକାଶ, ଦିଗନ୍ତର ମଥାନରେ ଚକ୍‌ ଚକ୍‌ କରୁଥିବା ଏକ ଉଜ୍ଜ୍ଵଳ ନକ୍ଷତ୍ର ।

 

ତା’ପରେ ବେଳେବେଳେ ସେ ବାତାୟନ ଖୋଲିଯାଏ ମୁକ୍ତ ଆଲୋକ ସହ ମୁକ୍ତ ପବନ ଅନେକ ଗଙ୍ଗ ଶିଉଳିର ବାସ୍ନା ନେଇ ମତେ ଓଳେଇ ଦେଇଯାଏ, ଛମ୍‌ଛମ କରୁଥିବା ନକ୍ଷେତ୍ରଟି ବିଚିତ୍ର ଠାଣିରେ ଇସାରା ଦିଏ ।

 

ଏ ସବୁର ବରାବର ଏକ ପୁନରାବୃତ୍ତି ଘଟିଲାପରେ କ୍ରମେ ଦିନେ ବୁଝିଲି ଅନୁଭବିଲି, ଆଜିଯାଏଁ ଯେତେସବୁ ଅନ୍ୟମନସ୍କତା, ଆକୁଳତା, ସେସବୁ କିଛି ତୁମ ପାଇଁ । ତୁମରି ପାଇଁ ଯଦିବା ମୁଁ ଜାଣେ ନାଁ ତୁମେ କିଏ ଯଦିବା ଏକଥା ମୁଁ ଖୁବ୍‌ ବେଶୀ ଜାଣେ ନାହିଁ ।

 

ସତେ କଣ ମୁଁ ତୁମକୁ ଜାଣେ ? ଜାଣେ, ତୁମର ନାଁ ଗାଁ ଓ ଠିକଣା ?

 

ବେଶ୍‌ କିଛି ଦିନ ତଳେ ପଢ଼ିଥିଲି ଏକ ଗପ, ‘ତୁମ ଠିକଣା’ । ଗପଟା ସତେ କ’ଣ ହେଇ ନଥିଲା ?

 

ତୁମକୁ ଅଣ୍ଡାଳିଚି ଅନେକ ଥର ! ଥରକୁ ଥର କେତେ ଠିକଣା ଲେଖି ଭୁଲ୍‌ ହୋଇଗଲା ବୋଲି ମନକୁ କହିଚି । କ୍ରମେ ମନେହେଲା ଏଇ ପରିବ୍ୟସ୍ତ ଭୂମାର ସ୍ତରେ ସ୍ତରେ ଅଦୃଶ୍ୟ ଭାବେ ଲେଖାଥିବ । ତୁମର ନାନାବିଧି ଠିକଣା ଶେଷ ଏବଂ ଯଥେଷ୍ଟ ନୁହେଁ । ତୁମ ପାଇଁ ଶବ୍ଦ କୋଷର ବହିର୍ଭୂତ କୌଣସି ଏକ ଶବ୍ଦ ସୃଷ୍ଟି ହୋଇପାରିବ ନାହିଁ । ତମେ ହିଁ ତୁମ ଠିକଣା ପାଇଁ ହେବ ଏକ ପ୍ରଲୁବ୍‌ଧନ ସାମୁଖ୍ୟ ।

 

ମୁଁ ମୋ ନିଜର ଅଜାଣତରେ ସେଇ ନିର୍ଲିପ୍ତ ପ୍ରଲୋଭନ ସ୍ରୋତରେ ଏକ ଅନ୍ତଃପରିକ୍ରମା ଆରମ୍ଭ କରିଦେଲି ।

 

ମୋ ସାମ୍ନାରେ ବିପୁଳ ପୃଥିବୀ, ତାର କିସମ କିସମ ବୈଜ୍ଞିକ ବ୍ୟଞ୍ଜନା ଦେଇ ତୁମପାଇଁ ମନ୍ଦିର, ମସ୍‌ଜିଦ୍‌ ଗୀର୍ଜାରେ ପ୍ରଭୂତ କୋଳାହଳ ସୃଷ୍ଟି କରୁଥିଲାବେଳେ ମୁଁ ତ ସାଧାରଣ ଭାତ ଡାଲି ରାନ୍ଧୁଥିବା ସାଧାରଣ ନାରୀଟିଏ । ଭଲପାଇବାର ଆକୁଳ ଦୃଷ୍ଟି ମେଲି ଚାହିଁ ରହିଥିଲି ଶୂନ୍ୟକୁ । ନିରୀମାଖି ହୋଇ ସେଇ କୋଳାହଳରୁ ହଟିଆସି ନିଛାଟିଆ ପଥରେ ଆଗେଇ ଆସେ, ଯେଉଁ ପଥ ମୁଁ ନିଜେ ତିଆରି କରିଥିଲି ମୋ ଭିତରେ । ସେ ରାସ୍ତାତ ଅତଳରୁ ଅତଳକୁ । ସେଠି ଅନ୍ୟ ଏକ ନଈ । ସେଇ ନିଛାଟିଆ ନଦୀର କୂଳରେ ସ୍ତୁପ ସ୍ତୁପ ନିର୍ଜନତା । ମୋ ଭିତରୁ ଉଠି ଆସୁଥିବା ଭିନ୍ନ ଏକ କୋହ ସଂପୂର୍ଣ୍ଣ ଅନାବୃତ ହୋଇ ସେଇ ନିର୍ଜନତାରେ ବିଲୀନ ହୋଇଯାଏ ।

 

ପରବର୍ତ୍ତୀ ସମୟରେ ଯାହା ଅବଶିଷ୍ଟ ରୁହେ, ତାହା ଏକ ନିଭୃତ ସଞ୍ଚୟ । ଏକ କଞ୍ଚାମାଲ । ମୋର ଅବୋଧ ଧାରଣା, ଶିଶୁ କାରିଗରପରି ତାକୁ ନେଇ ନିଜର ଅପାରଗ ହାତରେ ମୂର୍ତ୍ତିଗଢ଼େ । ରଙ୍ଗ ଦିଏ । କେତେବେଳେ ସେଇ ଅଧାଗଢ଼ା ଅଧାରଂଗଦିଆ କଣ୍ଢେଇଙ୍କୁ ଛାତିରେ ଯାକି, ଚୁମାଖାଇ; ଶ୍ରଦ୍ଧା ଜଣାଏ । କେତେବେଳେ ଦୁଃଖରେ, ଅଭିମାନରେ ଫିଙ୍ଗି ଦିଏ । ଭାଙ୍ଗିବା ଗଢ଼ିବାର ଏହି ଶିଶୁ ଖେଳ ଭାବପ୍ରବଣତାର ନୁହେଁ, ନିଚ୍ଛକ ପ୍ରେମର ଖେଳହିଁ ହୋଇଥାଏ ।

 

ସୁରକାର ସୁର ସଂଯୋଜନା କଲାପରି, ସଙ୍ଗୀତଜ୍ଞ ରାଗ ରଚନା କଲାପରି କେତେ ଅଲକ୍ଷ୍ୟରେ ମୁଁ ତମର ଠିକଣାର ସଂରଚନା କରେ । ତମେ ଯେ ବିଶାଳ ଏଇ ସାମ୍ରାଜ୍ୟର ରାଜରାଜେଶ୍ଵର, ଏଇ ନିଃସ୍ଵ, ନିପୀଡ଼ିତ, ନିଃସଙ୍ଗ ଧୂଳି କଣାଟିର ନିଭୃତ ପରମାଣୁ ମଧ୍ୟରେ ସଂରଚିତ ହୁଅ ।

 

ହଁ, ତୁମକୁ ମୁଁ ଲାଳନ କରେ । ଦୂର ଓ ସନ୍ନିଧ୍ୟାନରେ, ଅବୋଧ ଏକ ଜିଜ୍ଞସାରେ ।

 

ଆଉ ତମେ…

 

ତମେ ମତେ ଲାଳନ କର, ମଧୁର୍ଯ୍ୟଭରା ଏକ ପୀଡ଼ନରେ, ଭରପୁର ଏକ ବେଦନାରେ-

 

ତମେ ମତେ ବିଚିତ୍ର ଦୁଇଟି ନିର୍ଦ୍ଧିଷ୍ଟ ଚିତ୍ରରେ ସଂରଚନା କର ।

 

ସେହି ଦୁଇଟି ରହସ୍ୟମୟ ଚିତ୍ର ମଧ୍ୟରେ ମୁଁ ଏପରି ଅଭିଭୂତ କାହିଁକି ହୋଇଯାଏ ?

 

କବିକୁ ଯେପରି କବିତା ମାଡ଼େ, ଗାଳ୍ପିକକୁ ଗଳ୍ପମାଡ଼େ । ଏଇ ନିତିଦିନିଆ ଜୀବନରେ ଗତାନୁଗତିକତାରେ, ଅଣବିଶ୍ୱାସୀ ହୋଇଗଲାବେଳେ ମତେ ତମେ ମାଡ଼ । ବେଳ ଉଣ୍ଡି ଏ ମନରେ ତମେ ହିଁ ମାଡ଼ି ମାଡ଼ି ଆସ । ଆଉ ସେତିକିବେଳେ ମୋ ସତ୍ତାରେ ବିଚିତ୍ର ଦୃଶ୍ୟ ଛାଇ ଛାଇ ଯାଏ । ସତେକି ମୋ ଉପରେ ନିଶାନ୍ତ ଶୋଭା ଅବତରଣ କରେ । ହାଲୁକା ହାଲୁକା ଅନ୍ଧାର ସବୁ ଢେଉ ହୋଇ ଧୀରେ ଧୀରେ ସେଇଠି ମିଶିଯାଏ । ସେଇ ଅରୁଣାଚଳରେ । ଯେଉଁଠି ଧୀରେ ଧୀରେ ଈଷତ୍ ଲାଲ୍ ହୋଇଆସୁଥାଏ ମେଘସବୁ । ଦଳ ଦଳ ପକ୍ଷୀ ଉଡ଼ିଯାନ୍ତି ସେଇଠିକି । ବ୍ରାହ୍ମ ମୁହୁର୍ତ୍ତଟା ଚାରିଆଡ଼େ ପ୍ରଗାଢ଼ ହୋଇ ଆସେ ଏକ ଐକାନ୍ତିକ ମାୟାରେ ।

 

ଆଉ ଅନ୍ୟ ଚିତ୍ରଟି… ? ଅନ୍ୟ ଚିତ୍ରଟି ଏହାର ସଂପୂର୍ଣ୍ଣ ଭିନ୍ନ ।

 

ଏଥର ତମେ ମାଡ଼ିମାଡ଼ି ଆସିଲାବେଳେ ସବୁ ନାରଙ୍ଗୀ ଖରା ମୋ ଅଗଣାରୁ ଚାଲିଯାଏ । ଏକ ଧୂସର ଗୋଧୂଳି ମତେ ଆଚ୍ଛନ୍ନ କରିଯାଏ । ସାମ୍ନାରେ ବହିଯାଉଥିବା କୁଳୁକୁଳୁ ନଈଟା ଦିଶେ ଭାରି ରହସ୍ୟମୟ । ନଈ ଉପରେ, ପ୍ରଶାନ୍ତ ଗମ୍ଭୀର, ଉଦାର ଆକାଶ । ଆକାଶର ନୀଳିମା ଓ ନଦୀର ନୀଳିମା ଯେଉଁ ରେଖାରେ ମିଶି ଯାଇଥାଏ ସେଇ ରେଖାର ଧାରେ ଧାରେ ପାଲଟଣା ନୌକାଟିଏ ଧୀରେ ଧୀରେ ସେଇ ଧୂସର ଗୋଧୂଳିରେ ମିଶି ଯାଏ । ମନେହୁଏ ଏକାକୀ ମାଝିର ସଙ୍ଗୀତର ଚ୍ଛିନ୍ନ ସ୍ଵରଟିଏ ସତେକି ଭାସି ଆସି କାନରେ ବାଜେ । ନୌକାଟି ମିଶି ମିଶି ଯାଉଥାଏ ସେଇ ଦିଗ୍ ଚିତ୍ରର ଶୂନ୍ୟତା ଭିତରେ…

 

ଏବେବି ମୁଁ ବୁଝିପାରେ ନାହିଁ, ଏଇ ଦୁଇଟି ବିଚିତ୍ର ଦୃଶ୍ୟ ମଧ୍ୟରେ କିଏ ପ୍ରକଟିତ ହୁଏ ? ତମେ ? ନାଁ, ମୁଁ ?

 

ସମୟ ପ୍ରବାହରେ ମିଶିଯାଇ ଏଇ ଜୀବନ ପ୍ରବାହ ବିରାମହୀନ ଗତିରେ ଆଗେଇ ଚାଲେ । କେତେ ଛନ୍ଦ ବିଛନ୍ଦ ହୁଏ । କେତେ ଛିନ୍ମ ସ୍ଵର, ନୂତନ ଛନ୍ଦ ସୃଷ୍ଟି କରେ । କଅଁଳ ଗାଧୁଆ ବେଳ ମଧ୍ୟାହ୍ନ ହୁଏ । ମଥା ଉପରେ ଉଜ୍ଜଳ ଝାଞ୍ଜିପିଟା ଖରା ଦାଉଦାଉ କରେ । ଦେହରେ ପିଟିହୁଏ ଉଜାଣି ବତାସ । ପାଦରୁ ରକ୍ତଝରେ । ଆଖିରୁ ଅଶ୍ରୁଝରେ । ହେଲେ ହୃଦୟର ନିଭୃତ କଣରୁ ଯେଉଁ ସ୍ରାବର ଆରମ୍ଭ ହୁଏ ତାର ନାଁ କ’ଣ ? ତାର ଆଶା ବି କଣ ?

 

ହୁଏତ ଏହାର ଉତ୍ତରରେ ମୁଁ କିଛିବି କହିପାରିବି ନାହିଁ । ହୁଏତ ମୁଁ ଥତମତ ହୋଇ କହିବି, ଏସବୁର ସାମ୍ମୁଖ୍ୟ, ତୁମେ…

 

ଅଥତ ତମେ କିଏ ମୁଁ କହିପାରିବି ନାହିଁ, ଠିକ୍ ଠିକ୍ କହିପାରିବି ନାହିଁ ।

 

ପରିଶେଷରେ ଏତିକି କହିବି, କୁଳୁକୁଳୁ ବହିଯାଉଥିବା ଏହି ଜୀବନ ନଈର, ତମେ ଏକ ଭିନ୍ନ ଦୁଃଖ, ଏକ ଭିନ୍ନ ଶୋକ, ସଂପୂର୍ଣ୍ଣ ଭିନ୍ନ ଏକ ଆଶା ଓ ମୋର ଚେତନାରେ ତମେ ଏକ ଭିନ୍ନ ସ୍ଵାଦର ରସବୋଧ । ଏହି ପୃଥିବୀ କୋଳରେ ବାରମ୍ଵାର ମୁଁ ଜନ୍ମ ନେବି । ତାର ବର୍ଷା, ବସନ୍ତ, ରୌଦ୍ରର ପ୍ରତିଟି ରଙ୍ଗରେ, ନିଜକୁ ଲୀନ କରିଦେବି । ତାର ସବୁ ଯନ୍ତ୍ରଣା ତ୍ରୁଶବିଦ୍ଧ ହେବି । ତେବେ ସିନା ତମେ ଏକ ଅନ୍ୟ ରଙ୍ଗ, ଅନ୍ୟ ଦୁଃଖ ଓ ଅନ୍ୟ ଏକ ଭାଷା ହୋଇ ବାରମ୍ଵାର ମତେ ଆକର୍ଷଣ କରିବ ।

 

ବାରମ୍ଵାର ଏଇ ପୃଥିବୀରେ ଜନ୍ମ ନେଇ ମୁଁ ତମକୁ ଲାଳନ କରୁଥିବି ଏବଂ ତମେ ମତେ–

Image

 

କ୍ୟାଲେଣ୍ଡର

ହୃଷୀକେଶ ପଣ୍ଡା (ବଚ୍ଛସ୍ୟ)

 

ମୋ ବେଡ଼୍‌ରୁମ୍‌ର ଦେୱାଲ ଦେହରେ ‘ଖଜୁରାହୋ’ର ନ୍ୟୁଡ଼୍‌ଅଙ୍କା ‘ଡେଟ୍‌ଷ୍ଟ୍ୟାଣ୍ଡ’ ମୋ ଅସ୍ତିତ୍ଵକୁ କ୍ରୁଶବିଦ୍ଧ କରେ ବାରମ୍ଵାର ।

 

ମୋ ବିବାହର ଚତୁର୍ଥୀରେ ତମର ଏ ଥିଲା ପ୍ରମୂର୍ତ୍ତ ଉପହାର । ମୁଁ କିନ୍ତୁ ସମୟ ହାତରେ ନିଜକୁ ଅର୍ପଣ କରି, ଖୁନ୍ କରି, ଗର୍ଭବତୀ ସମୟ ନକ୍ଷତ୍ରକୁ ମାଳାକରି, ପ୍ରେମିକାର କବରୀରେ ଖୋଷିବାର ଅପ୍ରତିହତ ଇଚ୍ଛାରେ ମୃତ୍ୟୁକୁ ଆଲିଙ୍ଗନ କରୁଥିଲି ବାରମ୍ଵାର । ମୋର ଏହି ନିସ୍ପୃହ ଶିଶୁର ଖେଳ ଦେଖି ତମେ ଠିକ୍ ବୁଝିଥିଲ ମୃତ୍ୟୁ ଜୀବନର ପ୍ରତିଦ୍ଵନ୍ଦୀ । ନ ପାଇବାର ଅବଶୋଷର ନିଆଁରେ ନିଜକୁ ଜାଳି ଦେବାପରେ ମଣିଷ ନାଁ ଖୋଜି ପାଏ ସତ୍ୟ ନାଁ ଶାନ୍ତି ! ଠିକ୍ ସେହି ମୁହୂର୍ତ୍ତରେ ଉପେକ୍ଷିତ ହସର ଫୁଲଝରି ଝରାଇ ତୁମେ ଡେଟ୍‌ଷ୍ଟ୍ୟାଣ୍ଡଟିକୁ ଝୁଲାଇ ଦେଇଥିଲ ବେଡ଼୍ ରୁମ୍‌ର ଦେୱାଲ ଦେହରେ । ବର୍ଷ, ମାସ, ସପ୍ତାହ ତାରିଖର ପାନିଆରେ ବୟସର ମଇଳା ଗୁନ୍ଥି ହୋଇଯାଇଛି ଏବେ । ଡେଟ୍‌ଷ୍ଟ୍ୟାଣ୍ଡର ଦିନ ମାସ ବଦଳେଇବା ଭିତରେ ତମେ ଶିଖାଇଥିଲ ଜୀବନକୁ ବାଜି ରଖି ସମୟ ସହିତ ଖେଳିବାକୁ ।

 

ମୁଁ ତୁମକୁ କଥା ଦେଇଥିଲି ଶପଥ ଆଳରେ । କିନ୍ତୁ ସେଦିନ ବୁଝି ନଥିଲି ଶପଥ ନିଦରେ ଶୁଆଇ ଦିଏ ମଣିଷକୁ । ସେ ଅନୁରାଗର ନୁହେଁ, ଅନୁଭବର । ସେ ଦୂରରୁ ଆକର୍ଷଣ କରେ ପାଖକୁ ଆସେନା—ଠିକ୍ ସମୁଦ୍ର ଭଳି । ହଠାତ୍ ମୁଁ ଆଜି ଆବିଷ୍କାର କରୁଛି, ଡେଟ୍‌ଷ୍ଟ୍ୟାଣ୍ଡ ଭିତରେ ସମୟ ପାଲଟିଛି ପାରାଲିସିସ୍‌ ରୋଗୀ, ତା’ର ପଚମାନ ଘା’ରୁ କ୍ଷରିତ ହେଉଛି ପୁଜ-ରକ୍ତ-। ଖଜୁରାହୋର ନୃତ୍ୟ-ନିପୁଣା ତନ୍ଵୀର ନିରାଭରଣ ନିଟୋଳ ବକ୍ଷୋଜ ନଇଁ ଆସିଛି ବିଭତ୍ସ ଶୃଙ୍ଗାରିକତାରେ ବିକୃତହୋଇ । ପାପର ଅଂଧାରରେ ମୋରି ଶପଥ ମୋତେ ଡରାଉଛି ଅଶରୀରୀ ହୋଇ।

 

ବୋଧହୁଏ, ଜୀବନ ମାନେ ହିଁ କ୍ରମଶଃ ଶୂନ୍ୟତାକୁ ବରିନେବା । ଶୂନ୍ୟତାର ଦୋଳିରେ ଝୁଲି ଝୁଲି ସମୟର ବିଷକୁ ଶୋଷିନେବା । ଅତଏବ ସମୟର ଘୋଡ଼ା ଚଢ଼ି ଶୂନ୍ୟତାକୁ ଚୁମା ଦେବାବେଳେ, ହେ କ୍ୟାଲେଣ୍ଡରର ତାରିଖମାନେ ! ମୋତେ ଆଲିଗଂନ କର ଏବଂ କ୍ରୁଶବିଦ୍ଧକରି ମୋ’ରି ରକ୍ତରେ ଆଙ୍କି ଦିଅ ଆଉ ଏକ ମାନଚିତ୍ର ଆଗାମୀ କାଲି ପାଇଁ ।

Image

 

ଅନ୍ୱେଷଣ

ନିୟତୀ ସେନାପତି

 

ମୁଁ କେମିତି ମୋହାଚ୍ଛନ୍ନ ହୋଇ ସେ ପିଲାପାଖରେ ପହଞ୍ଚିଗଲି—ତା ମୁଣ୍ଡରେ ହାତ ରଖିଲି, ତା’ ଅସଜଡ଼ା କେଶକୁ ସାଉଁଳି ଦେଲି—ତଥାପି ସେ ଚିନ୍ତାମଗ୍ନ । ସେ ପୂର୍ବପରି ସ୍ଥିର ନଈଜଳକୁ ସେମିତି ଏକଲୟରେ ଚାହିଁ ରହିଛି—ଅନେକ ବେଦନା ଶୂନ୍ୟତା ତା ଆଖିରେ ।

 

ମୁଁ ତାକୁ ଧୀରେ ହଲାଇ ଦେଲି–ସେ ପ୍ରକୃତିସ୍ଥ ହେଲା ।

 

ପଚାରିଲି—‘କ’ଣ ଦେଖୁଛୁ ?’

 

ଉତ୍ତର-ଖୋଜୁଛି’(ମୁଁ ଚମକି ଉଠିଲି ତା’ ଉତ୍ତରରେ । ଏଡ଼ିକି ବକଟେ ପିଲା ସେ ପୁଣି କ’ଣ ଏମିତି ଆଜିଠାରୁ ଖୋଜିବାରେ ଲାଗିପଡ଼ିଲାଣି ଯେମିତି ଜିବା ଏକ ଶେଷହୀନ ଧାରା, ଅନ୍ତଃହୀନ କାମନା । ଏତେ କମ୍ ବୟସରୁ ତମକୁ ଏ ଖୋଜିବା ନିଶା ଘାରିଲା କେମିତି ? କାହିଁକି ଘାରିଲା ତାକୁ ଏ ଅନ୍ତଃହୀନ ଯନ୍ତ୍ରଣାକୁ ପିଇଯିବାର ମୋହ ??)

 

ପଚାରିଲି–‘କଣ ଖୋଜୁଛୁ ?’

 

ଉତ୍ତର—‘ମୁହଁ’ (ମୁହଁ ? ଚିହ୍ନା ମୁହଁ ନାଁ ଅଚିହ୍ନା ମୁହଁ ?? ମଣିଷର ନାଁ ଅମଣିଷର ?? ସମ୍ଭବତଃ ସେ କୌଣସି ଏକ ଅଳ୍ପ ପରିଚିତ ଚିହ୍ନାଲୋକରେ ମୁହଁ ଖୋଜୁଛି—ଯାହାକୁ ସେ କେବେ କେଉଁଠାରେ ଭେଟିଥିଲା, ଆଉ ଆଜି ପୁଣି ସେ ତାକୁ ହୁଏତ ଦେଖିବାକୁ ଲାଳାୟିତ । ଅଥଚ ରାସ୍ତା ଜଣାନାହିଁ—ତା’ପାଖରେ ଠିକଣା ବି ନାହିଁ । ହେଲେ ଏତେ କମ୍ ବୟସରୁ ସେ କାହାକୁ ହରାଇ ଆଜି ପୁଣି ଖୋଜିବା ନିଶାରେ ବିଭୋର ??)

 

ପୁଣି ପଚାରିଲି—‘କାହାର’ ?

 

ସେ ପିଲାଟି ମୋତେ ଏଥର ଟିକିଏ ଅନାଇଲା । ଆଖିରେ ତାର ଅନେକ ପ୍ରଶ୍ନବାଚୀ । କପାଳ କୁଞ୍ଚିତ । ତା’ପରେ ସେ ପୁଣି ସ୍ଥିତିନରମ, ସ୍ଵାଭାବିକ ହୋଇଗଲା । (ମୁଁ ତାକୁ ସେମିତି ନିରେଖି ରହିଥାଏ । କିଛି ଗୋଟେ ଉଦ୍‌ଗୀରଣୀ ଆଶା କରୁଥାଏ । କିଛି ବିସ୍ଫୋରଣକୁ ଅପେକ୍ଷା କରିଥାଏ-।)

 

ଉତ୍ତର—‘ମୋ ବଉର’–ବାସ୍‌ ! ତା’ପରେ ଝର ଝର ସେ ଝରିଗଲା । ବାହୁନି ଉଠିଲା-। କାନ୍ଦ ଖାଲି କାନ୍ଦ-କି କରୁଣ ସେ ସ୍ଵର ! କି ମର୍ମସ୍ପଶୀ ସେ ଆର୍ତ୍ତନାଦ । କଇଁ କଇଁ ରୋଳରେ ସେ କେମିତି ଚାରିଦିଗ ପ୍ରକମ୍ପିତ କରିଦେଲା । ମୁଁ ତାକୁ କଣ କହିବି, ନ କହିବି-କିଛି ଚିଂତା କରିପାରୁ ନ ଥିଲି । ଏତେ ଛୋଟ ପିଲାଟିଏ ! ମାତ୍ର ଆଠଦଶ ବର୍ଷର ବକଟେ ପିଲା ଆଖିରେ ପୁଣି ଏତେ ଲୁହ ଥାଇପାରେ ! ତା’ର ମାତ୍ର ଏଇ ଆଠଦଶ ବର୍ଷର ଜୀବନ ଭିତରେ ପୁଣି ଏତେ ଦୁଃଖ, ବେଦନା, ଅସହାୟତା ଥାଇପାରେ ? ପ୍ରକୃତିସ୍ଥ ହୋଇ ସେ କହିଲା ଦୁର୍ଘଟଣାରେ ସେ ତା’ ବଉକୁ ହରାଇଦେଲା । ତା ପରେ ସେ ସବୁବେଳେ ତା’ ବଉର ମୁହଁକୁ ମନେପକାଇ ଅନେକ ଆଶ୍ୱାସନା ପାଏ । ତା’ ବଉଠୁ ଅନେକ ମମତା ସେ ପାଏ ବୋଲି ଅନୁଭବ କରି ବଞ୍ଚିଥିଲା-। ହେଲେ, ବଡ଼ ହେବା ସଂଗେ ସଂଗେ ତା’ ବଉର ସେ ମୁହଁ ଧୀରେ ଧୀରେ ଝାପ୍‌ସା ହେବାକୁ ଲାଗିଲା–କ୍ରମେ କ୍ରମେ ଅସ୍ପଷ୍ଟ ହୋଇଉଠିଲା ଆଉ ହଠାତ୍‌ କିଛିଦିନ ତଳେ ସେ ସକାଳୁ ବିଛଣାରୁ ଉଠି ସେ ମୁହଁ ମନେ ପକାଇ ପାରିଲାନି-ତା’ ବଉର ମୁହଁକୁ, ତା’ ଅତି ପରିଚିତ ବଉର ମୁହଁକୁ ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ନିଜ ମନ ଭିତର ଆଉ ଆଙ୍କି ପାରିଲାନି ।

 

ବାପାଙ୍କୁ ପଚାରିଲା–“ମୋ ବଉର ମୁହଁ କେମିତି" ? ଉଦାସ ଆଖିରେ ବାପା ତାକୁ ଚାହିଁ ରହିଲେ । ଘରର ସମସ୍ତଙ୍କୁ ଗୋଟି ଗୋଟି କରି ସେ ପଚାରିଲା—ହେଲେ ସମସ୍ତେ ନୀରବ । ତା’ପରଠାରୁ ସେ ଅସ୍ଥିର ହୋଇ ଯେପରି ଅନେକଆଡ଼େ ଖୋଜିଛି—ପାଣିରେ ଆକାଶରେ ଫୁଲରେ ଜହ୍ନ ଦେହରେ—ସବୁଠି ନିରେଖି ଦେଖୁଛି ଆଉ ବେଶ୍ ଗଭୀର ଭାବେ ଚିଂତା କରୁଛି—କାଳେ ବଉର ମୁହଁ ମନେ ପଡ଼ିଯିବ—ହେଲେ ନାଁ—ସେ ମନେ ପକାଇ ପାରୁନି । ତା’ ବଉର ମୁହଁ ସେ ଆଉ ମନେପକାଇ ପାରୁନି !! ତା’ ବଉର ମୁହଁ ତାକୁ କିଏ ମନେ ପକାଇ ଦେବ ?? ସେ ପଚାରୁଛି—ସେ ଜବାବ୍ ଚାହୁଁଛି ।

 

ମାନୀ ! ସେ ପିଲା ପାଖରୁ ଯେପରି ଆସିବାପର ତୁମେ ମୋର ଖୁବ୍ ବେଶୀ ମନେପଡ଼ୁଛ—ମୁଁ ତୁମକୁ ମୋର ଅତିକ୍ରାନ୍ତ ବୟସରେ ମଧ୍ୟ ଆଜି ଠିକ୍ ସେ ପିଲାପରି ଝୁରି ହେଉଚି । ତଫାତ୍ ଏତିକି—ସେ ତା’ ଜନନୀର ମୁହଁ ମନେ ନପକାଇ ପାରିବାର ଅସହାୟତାବୋଧର ଯନ୍ତ୍ରଣା ପାଇଛି । ଆଉ ମୁଁ ବୟସ୍କ ହୋଇ ମଧ୍ୟ ତୁମ ମୁହଁ ଭୁଲି ନପାରି ଯନ୍ତ୍ରଣାରେ ଅସ୍ଥିର ହେଉଛି । ବରଂ ଭଲ, ସେ ପିଲା ତା’ ବଉର ମୁହଁ ମନେ ନପକାଇପାରୁ ଯାହାଫଳରେ କିଛି ଦୁଃଖ, କଷ୍ଟ ପରେ ଅନ୍ତତଃ ସେ ଏ ‘ମନେପକାଇବାର’ ଚେଷ୍ଟାରୁ ବିରତ ହେବ–

 

ହରାଇବାର ଶୂନ୍ୟତାବୋଧ ଆସ୍ତେ ଆସ୍ତେ କମିଯିବ ଓ ଲୀନ ହୋଇଯିବ । ଆଉ ସେ ଏ ଅସହଣି ଯନ୍ତ୍ରଣାରୁ ମୁକ୍ତି ପାଇବ । ମୁଁ ଚାହୁଛି—ସେ ମୋପରି ସ୍ମୃତି ପ୍ରାଚୁର୍ଯ୍ୟରେ ନଇଁ ନପଡ଼ୁ । ସହିବାର ନିଶାରେ ବିଭୋର ନହେଉ—

 

‘ନୀଳକଣ୍ଠ’ ହେବାର ମନ୍ଦଭାଗ୍ୟ ଅନ୍ତତଃ ତାର ନ ଆସୁ !

Image

 

ଦକ୍ଷିଣ ପବନ

କଇକାଶ ପଟ୍ଟନାୟକ

 

ନକହିଲେ କଣ କଥାସବୁ ବୁଝି ହୁଏନା ? ଚାଲୁଥିବା ଏକାଠି ପାଦ ଥାପି ଥାପି ଆମେ ଦୁହେଁ, ଅଥଚ କହୁନଥିବା କେହିକାହାରିକୁ କଥା । ତଥାପିତ ତମେ ବୁଝିପାର ମୋତେ, ଆଉ ମୁଁ ବୁଝିପାରେ ତମକୁ ? ଅନୁଚ୍ଚାରିତ ଭାବେତ ଆମେ ପରସ୍ପରକ କଥା କହୁ ଅନର୍ଗଳ ! କିନ୍ତୁ ଦେଖ, ରାସ୍ତା ସରିଯିବ । ନଦୀ ଆସିଯିବ । ଚାରିଆଡ଼ କଳା ବୁଲି ଆସିବା । ଜହ୍ନ ଉଇଁବ । ତାରା ଫୁଟିବ । ଦେହ ଲଗାଲଗି ଏକାଠି ବସିବା । ତଥାପି ତ କହିନଥିବା କେହି କାହାକୁ ଛାତି ଭିତରର କଥାସବୁ ଉଚ୍ଚାରଣ କରି ?

 

ଚୁପ୍ ରହିବାଟା କଣ ନୀରବତା ? ଆମର ଚପ୍ ରହିବା ଭିତରେ ଯେ ଛାତି ଭିତରର କଥାସବୁ ବୋହିଆସେ ଚାହାଣୀରେ, ଆଚରଣରେ, ଦୀର୍ଘଶ୍ଵାସରେ । ସ୍ମିତରେ, ଗାମ୍ଭୀର୍ଯ୍ୟରେ, ଅନ୍ୟମନସ୍କତାରେ । ସ୍ପର୍ଶରେ, ପ୍ରତୀକ୍ଷାରେ, ପଦଚାରଣରେ । ସମଗ୍ର ଜୀବନଟା ଯେ ବିତି ଯାଉଚି ଶବ୍ଦର ଦାସତ୍ଵରେ ? ଅନୁଚ୍ଚାରିତ ବାର୍ତ୍ତାଳାପର ସୁଖ ବୋଧେ ସେଇଥିପାଇଁ ଆମେ ସାଉଁଟି ନେଉଚୁ ?

 

ଦୋକାନଟା ଦେଖିବାମାତ୍ରେ ହିଁ ମୋର ଈର୍ଷା ହୁଏ । ନଈକୂଳରେ ଦୋକାନଟା ‌। ଚାରିଆଡ଼କୁ ଲମ୍ବିଯାଇଚି ମାଇଲ ମାଇଲ୍ ଧରି ଛକ କାଟିଲାଭଳି ନିର୍ଜନ ରାସ୍ତା । ଆଗରେ ଅଶ୍ଵତ୍‌ଥ ଗଛଟେ । ଦୁଇଟା ମଇଳା ବେଞ୍ଚ ସାମ୍‌ନା ସାମ୍‌ନି । ବସିଥିବେ ବାଟୋଇ ଚାରିପାଞ୍ଚଟା ଚା’ ଗ୍ଳାସ ଧରି । ଡେରା ହୋଇଥିବ ସାଇକେଲ ସବୁ ଗଛଗଣ୍ଡିରେ । ବିଜନରାସ୍ତାକୁ ଏକାକୀ ସାଇକେଲ ଠେଲି କଟେଇ ଦେବା କି ଡଙ୍ଗା ଆସିବା ପର୍ଯ୍ୟନ୍ତ କ୍ଲାନ୍ତ ଅପେକ୍ଷା ଭିତରେ ତ ଛୋଟ ଆଶ୍ରୟଟେ–ଏଇ ଦୋକାନ । କିଏ ଚାଲିଯିବ ସାଇକେଲରେ । କିଏ ବାହିନେବ ଡଙ୍ଗା । ଆଉ ତାରି ଭିତରେ ପଢ଼ିହୋଇଯିବ ଦୋକାନଟିର ପ୍ରଶଂସା ।

 

କେଉଁଠିଥିବ କେଜାଣି ମୁଚୁକୁନ୍ଦ ଗଛଟେ ଯେ, ବାସ୍ନା ଝରିପଡ଼ୁଥିବ ଅହରହ । ଚାଲିଥିବା ଲମ୍ବା ରାସ୍ତା ସବୁରେ ଏକାଠି ପାଦଥାପିଥାପି ଆମେ ଦୁହେଁ ଅଥଚ କହୁନଥିବା କେହି କାହାରିକୁ କଥା ! ମୁଚୁକୁନ୍ଦର ବାସ୍ନାଟାତ କରିଦେଉଥିବ କେତେବେଳେ ଆମ ଦୁହିଁଙ୍କୁ ଏକାଠି ତ କେତେବେଳେ ବା ଅଲଗା ଅଲଗା । ଆମକୁ ବୋହିଥିବା ପାଦ ଦୁଇଟିର ଗତିତ ବୁଝେଇଦିଏ, ଆମେଦୁହେଁ ପରସ୍ପରର କେତେ ଆପଣାର ! ଆପଣାର ହୋଇଯିବା ତ ଆପଣେଇ ନେବାର ଫଳ-!

 

ଦୁଃଖ ! ତମେ ଏକ ମହାମହିମ ସମ୍ରାଟ । ମୁଁ ତ ତୁମର କାକୁସ୍ଥ ପ୍ରଜାଟିଏ ! ମୋର ଏ ବିଜନତା’ତ ତମରି ଅନୁକମ୍ପା ! ତମ ପାଖରେ ଏତେ ପରାକ୍ରମ ଅଥଚ ତମେ କେତେ ଅନାକାଂକ୍ଷିତ-!! ସେଇ ଦରଜଙ୍ଗା ଦୋକାନଟାତ ପଢ଼ି ଶୁଣାଏ ତମରି ବିରୁଦ ! ସାରା ରାସ୍ତାର ନିର୍ଜନତା ଭିତରେ ଏକକ ସ୍ୱରଟେ । ତମରି ସ୍ତବ । ସାରାଜୀବନ କଣ କଟିଯିବ ତମରି ଦାସତ୍ଵରେ ?

 

ଫୁଙ୍କି ଫୁଙ୍କି ଚା’ ଥଣ୍ଡା କରୁଥିବା କ୍ଳାନ୍ତ ଲୋକଟା ପଚାରିଦିଏ ପାଖରେ ବସିଥିବା ଅପରିଚିତ ଯାତ୍ରୀଙ୍କୁ କୁଆଡ଼େ ଯିବ ? ଗଳା ଭିତରକୁ ଚା’ ସୁଡ଼ୁକି ନେଇ ଲୋକଟା ଉତ୍ତର ଦିଏ ଅମୁକ ପୁର । ବାର୍ତ୍ତାରୁ ବନ୍ଧୁତା । ତାପରେ ଜଣେ ବଢ଼େଇ ଦବ ବିଡ଼ିଟେ । ଆଉଜଣେ ପାନଡ଼ବା ଦେଖେଇ ପଚାରି ଦେବ କଡ଼ା ବଳେତ ? ମୁହଁ ବୁଲେଇ ପଛକୁ ଚାହିଁଲେ ମୁଁ ବଡ଼ କ୍ଳାନ୍ତ ହୋଇପଡ଼େ । ମୁଁ ଆସିଥିବା ଧୂଳିଭଡ଼ା ସାରା ରାସ୍ତାଟା ଭିତରେ ବି ଦେଖାଯାଉଥାଏ ଅହରହ, ମୋର ଗତକାଲିଟା । ଅବସନ୍ନ, ଧୂସରିତ । ପୁଣି ସ୍ତୁତିମୟ । ବର୍ତ୍ତମାନ ଭିତରେ ଯିଏ ଅନବରତ ଉବୁଟୁବୁ ।

 

ନିଜ ଭିତରେ ନିଜର ହାହାକାର ନେଇ ବଞ୍ଚୁଥିବା ଆମେ ମଣିଷମାନେ ବାହାରକୁ ସତେ କେତେ ଅମାୟିକ ! ନିଜଭିତରର ଦୁଃଖୀ ସତ୍ତାଟିକୁ ଯୋଡ଼େଇ ଦଉଚୁ ଓସାରିଆ ହସର ବିପୁଳ ଧ୍ୱନିରେ । ଯେଉଁଧ୍ଵନି ନିଜକୁ ବି ଶୁଣାଯାଏ ଭୟାନକ । ତାରି ଭିତରେ ଆଶ୍ରୟ ଖୋଜୁଥିବା କ୍ଳାନ୍ତ ପଥିକ ଦୁଇଟି ପରି ଆମେ ପରସ୍ପର ବଢ଼େଇଦଉ ଆପଣାର ଶବ୍ଦ । ଶବ୍ଦରୁ ସଂପ୍ରୀତି ।

 

ଗତକାଲି ପାଖରୁ ଆଜିକୁ ଆସିଲି । ନିଃସଙ୍ଗରେ । ମାଇଲ ମାଇଲ ବ୍ୟାପୀ ଧୂଳିରାସ୍ତାର ଏକାକୀ ପଥିକଟେ । ମନେହେଉଥିଲା ମୋର ସବୁ ଅନୁଭବ ରହିଯାଇଚି ଗତକାଲିଟାରେ । ଆଜିର ମୁଁ କେବଳ ମଣିଷର ପ୍ରତିରୂପଟେ । ସରସର ଜହ୍ନରାତି ଆଉ ଫୁଲଫୁଟା ଆକାଶ ବି ମୋତେ ସେଥିପାଇଁ ଲାଗୁଥିଲା ଅନ୍ଧାରିଆ । ଶରଣାର୍ଥୀ ହୋଇ ବୁଲୁ ବୁଲୁ ନିଶ୍ଚିନ୍ତରେ ଚା’ ପିଉଥିବା କ୍ଳାନ୍ତ ପଥିକଭରା ଦୋକାନଟାକୁ ସେଇଥିପାଇଁ ମୁଁ କରେ ଈର୍ଷା । ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଉନଥିବା ଲୋକଟେ ଆଗରେ ଗୋଡ଼ଲମ୍ବେଇ ‘ଚା’ ପିଉଥିବା ଲୋକସବୁ ମନେହୁଅନ୍ତି ସତେ କେତେ କ୍ରୁର !

 

ନିଜ ପାଖରେ ମୁଁ ନିଜେହିଁ ଅସ୍ପଷ୍ଟ । ନିଜ ଭିତରେ ନିଜେହିଁ ଡହଳ ବିକଳ । ବସିଥିବା ଚୁପ୍‌ଚାପ ନଈକୂଳରେ । ଅଥଚ କହୁନଥିବା କେହି କାହାରିକୁ କଥା ! ଫିଙ୍ଗୁଥିବା ଗୋଡ଼ି ପାଣିରେ ପଡ଼ିବାର ଟୁପ୍‌ଟୁପ୍ ଶବ୍ଦ କି ଉଡ଼ିଯାଉ ଥିବା ଚକ୍ରବାଳର କର୍‌ର କର୍‌ର ରାବ ଯାହା ବିଛେଇ ହୋଇଯାଏ ଆମ ଚାରିଆଡ଼େ । ଆମେ ଅପେକ୍ଷାକରୁ ପରସ୍ପରର ପ୍ରଥମ ବାକ୍ୟଟି ଶୁଣିବା ପାଇଁ ଅଥଚ ଦୁହେଁ ଅସାଧାରଣ ଚୁପ୍‌ଚାପ । ନିଜ ଭିତରେ ଥରେ ବୁଡ଼ିଗଲେ ମୁଁ ହଜିଯାଏ ମୋ ଭିତରେ-। ମୋର ଅସ୍ପଷ୍ଟତା ଭିତରେ । ମୋର ବିକଳତା ଭିତରେ । ଆଉ ତମେ ରହିଯାଅ କେଉଁଠି ଯେ-? ଜହ୍ନରେ, ତାରାରେ, ନଦୀ ପାଣିରେ ? ଗୋଡ଼ି ଶବ୍ଦରେ, ଚତ୍ରବାଳରେ, ପତ୍ରମର୍ମରରେ-? ଧୂଳିରାସ୍ତାରେ, ଚା’ ଦୋକାନରେ, ନା ଗତ କାଲିରେ ? ନାଁ ଅନୁଭବ କରୁଥାଅ ଏମିତି ଅନେକ କଥା ଅଛି । ନୀରବତାରେ ନୁହେଁ ଯାହା ଶବଦରେ ପ୍ରକାଶ କରିବା ଖୁବ୍ ଦରକାରୀ !

 

ଜହ୍ନ ଆଲୁଅ ଚକ୍ ଚକ୍ ନଦୀପାଣିରେ । ଆମର ଛାଇ ଦୁଇଟି ଯୋଡ଼ି ହୋଇଯାଇଥାଏ ଅଳ୍ପଦୂରରେ । ଦୁଇ ଛାଇଯାକ ଦେଖିବାକୁ ଏକାଭଳି । ଆମର ଗତକାଲିଟିମାନ ଯେମିତି ଏକାଭଳି-। ଛାଇ ଦେଖି ମୋର ମନେହୁଏ ଆମର ଗତକାଲିଟିମାନ ଆଉ ଆସିବନି ଆଜିପାଖକୁ । ଆଉ ମିଶିପାରିବନି ଜହ୍ନଆଲୁଅରେ ଓଦାଓଦା ଆମ ଦୁହିଁଙ୍କ ଭିତରେ । ଆମ ଚାରିଆଡ଼େ ବୁଣି ହୋଇଯାଇଥିବା ଜହ୍ନରାତି ଆଡ଼େଇ ଆଡ଼େଇ ନଈକୂଳରୁ ଫେରିଲାବେଳେ ଆମ ଆଗରେ ଚାଲୁଥାଏ ଆମର ଛାଇଦୁଇଟି । ଅଲଗା ଅଲଗା । ସମାନ୍ତରାଳ । ଚକ୍ରବାଳ ରାବିଦେଇ ଚାଲିଯାଏ ମୁଣ୍ଡଉପରେ । ମେଘଖଣ୍ଡରେ ଜହ୍ନ ମୁହଁ ଲୁଚେଇ ଦିଏ ମୁହୂର୍ତ୍ତକ ପାଇଁ । ମୋର ମନେହୁଏ ଗତକାଲିଟି ଚାଲିଆସୁଚି ଆଜି ପାଖକୁ । ମୋ ପାଖକୁ । ତୁମ ପାଖକୁ । ପରସ୍ପରଠୁ ବିଦାୟ ନେଲାବେଳେ ଛାଇଦୁଇଟା ହୋଇଯାଏ ପୂରାପୁରି ଅଲଗା । ଗତକାଲିର ସମସ୍ତ କରୁଣତା ଛାଇଯାଏ ସାରା ଆକାଶରେ । ଘରେ ପାଦ ନ ଦେଉଣୁ ଭରିଯାଏ ଗୋଟେ ଉଦାସୀଭାବ-!

 

ନିଜ ଭିତରେ ନିଜର ହାହାକାର ନେଇ ବଞ୍ଚୁଥିବା ଆମେ ମଣିଷମାନେ ବାହାରକୁ ଅମାୟିକ ସତ । ହେଲେ ମୋ ଭିତରେ ତମେ ମୁଣ୍ଡ ଗୁଞ୍ଜି ଦେଉଥିବା ବେଳେ, ତମ ଭିତରେ ମୋ ନିଜକୁ ଖୋଜିଲାବେଳେ, ପରସ୍ପର ପାଇଁ ଭାବପ୍ରବଣ ହେଉଥିଲା ବେଳେ, ମୋର ମନେହୁଏ ଆମ ପରସ୍ପରର ଦେଖାଣିଆ ଅମାୟିକପଣ ଲିଭି ଲିଭି ଯାଏ । ନିଜ ଭିତରକୁ ଦୁଃଖୀସତ୍ତାଟି ଉକୁଟି ଉଠେ ଧୀରେ ଧୀରେ । ଆଉ ଯେଉଁ ଦୁଃଖୀସତ୍ତା ଦୁଇଟି ଆଶ୍ରୟ ଖୋଜି ଖୋଜି ହୋଇଯାଇଥାନ୍ତି, ପରମକ୍ଳାନ୍ତ ।

 

ନଈକୂଳକୁ ଭାସିଆସେ ଶାଳଫୁଲର ବଉଳବାସ୍ନା । ଉଚ୍ଚାଟ କରିଦିଏ ସାରା ଦେହ ମନ-। କ୍ଳାନ୍ତ ଦୁଃଖୀ ସତ୍ତା ଦୁଇଟି ଆଶ୍ରୟ ଖୋଜୁଖୋଜୁ ଶାଳଫୁଲର ବହଳ ବାସ୍ନା । ତାରି ଭିତରେ ଧୋଇ ହୋଇଯାଏ ସେମାନଙ୍କର ପ୍ରାଗୈତିହାସିକ କ୍ଲାନ୍ତ । ସେଇ ବାସ୍ନାତ ବୁଣିଦିଏ ସ୍ଵପ୍ନସବୁ ଆମ ଚାରିପଟେ । ସ୍ଵପ୍ନର ଗୋଟେ ମଧୁର ଜଗତ । ଆଉ ତା ଭିତରେ ଧାରାବାହିକ ଭାବେ ଶାଳ ଫୁଲର ଉଚ୍ଚାଟ ବାସ୍ନା । ସେଇ ବାସ୍ନାରେ ମୁଁ ଭୁଲିଯାଏ ମୋ ଛାତିଭିତରେ ଗତକାଲିର ଦୀପଟେ ଜଳୁଜଳୁ ହୋଇଯାଇଥିଲା ଅଗି । ପୂର୍ଣ୍ଣମୀ ଜହ୍ନତଳେ ଜଳିଯିବା ଯା’ର ଗୋଟେ ରୋମାଣ୍ଟିକ ଅଥଚ ଦୁଃଖଦ ଧର୍ମ । ଝରିପଡ଼ୁଥିବା ଜ୍ୟୋସ୍ନାରେ ଜଳିଯିବା କେତେ କଷ୍ଟ ସତେ ! ଅଥଚ କି ଆଶ୍ଚର୍ଯ୍ୟ ଶାଳଫୁଲର ବାସ୍ନା ହିଁ ମୋର ସାନ୍ନିଧ୍ୟ ଭିତରେ ଲିଭେଇ ଦଉଚି ମୋ ଛାତିଭିତରର ଆଗକୁ !

 

ମନେହୁଏ, ଶାଳ ଫୁଲର ବାସ୍ନା ତମକୁ ବି କରିଦିଏ ଉତ୍କଣ୍ଠିତା ! ତୁମେ ଭୁଲିଯାଅ ତିଳତଣ୍ଡୁଳିତ ତମର ଗତକାଲିଟିକୁ ! ସୁବାସିତ ଆଜିଟି ଭିତରେ ନିଜକୁ ବିସ୍ତାରିତ କରିଦେବାକୁ ତମେ ହୋଇପଡ଼ ଉନ୍ନନା ।

 

ନଈକୂଳରେ ବସିବାକୁ ପରିଚୟ ଲୋଡ଼ାହୁଏ ନାହିଁ । ସୁଲୁସୁଲିଆ ବାଆ ଉଡ଼େଇ ନେଲାଭଳି ଶାଳଗଛର ଶୁଖିଲା ପତ୍ର ସବୁକୁ-ଉଡ଼େଇ ନିଏ ଆମର ସମସ୍ତ ପୋଷାକୀ ପରିଚୟ । ଆମେ ହୋଇପଡ଼ୁ କେବଳ ମାତ୍ର ଦୁଇଟି ରୂପ । ଦୁଇଟିସେତ୍ତା । ଦୀର୍ଘଶ୍ଵାସର ପୃଥିବୀରୁ ମୁକ୍ତଖୋଜି ଆଶ୍ରୟ ଲୋଡ଼ୁଥିବା ଦୁଇଟି ଆତ୍ମା । ନଈକୂଳ ଛାଡ଼ି ମୁଣ୍ଡ ଗୁଂଜିଥିବା ସହରକୁ ଫେରିବାବେଳେହିଁ ପଡ଼େ ପୋଲଟେ । ସହର ଆଉ ନଈକୂଳର ସୀମାରେଖା । ପୋଲଟା ପାରିହେଲାବେଳେ ମନେହୁଏ ଏବେ ଆମେ ଦୁର୍ଗ ଭିତରେ ପଶିଯାଉଚୁ ଏକ ମଧ୍ୟ ଧାରାବାହିକତାରେ । ଅଥଚ ଆମର ଲୋଡ଼ାଥିଲା ଆଶ୍ରୟଟେ ! ଦୁର୍ଗର ପ୍ରଥମ ତୋରଣ ତ ସେଇ ପୋଲଟି । ଯେଉଁଠୁ ଆରମ୍ଭ ହେବ ଆମର ପୋଷାକୀ ପରିଚୟର କ୍ଲାନ୍ତିକର ଜୀବନଯାପନ ।

 

ଯେଉଁ ଜୀବନଯାପନ ଭିତରେ ଉଚ୍ଚାରିତ ପ୍ରତିଟି ଶବ୍ଦ—ନିଜପାଇଁ ନିଜର ପ୍ରତାରଣା । ପ୍ରାତ୍ୟହିକ ପ୍ରତିଟି ଆଚରଣ—ନିଜପାଇଁ ନିଜର ଅଭିନୟ ଧ୍ଵନିତ ପ୍ରତିଟି ହସ–ନିଜପାଇଁ ନିଜର ବିଦ୍ରୁପ ।

 

ନଈକୂଳର ସେଇ ଦରଭଂଗା ଚା’ ଦୋକନୀଟି ଛାଣୁଥାଏ କରେଇ ଭର୍ତ୍ତି ପକୁଡ଼ି । ପକୁଡ଼ି ଛାଣୁ ଛାଣୁ ଗରମ ତେଲ ଠୋପା ଛିଟିକି ପଡ଼ିଗଲେ ହାତରେ ଲଗେଇଦିଏ ଗୋଲା ବେସନ ଟିକେ ବାଁ ହାତରେ ଆଣି । ବିକଳ୍ପ ବ୍ୟବସ୍ଥା । ନିଜଭିତରେ ନିଜେ କୁହୁଳୁଥିବା ଆମେତ ଖୋଜୁଥିଲେ ସେଇମିତି ଠୋପେ ବେସନ । ନିଜପାଇଁ ନିଜର ମହୌଷଧି । ଯେଉଁ ମହୌଷଧି ଏକ କରିଦବ ଆମର ସମାନ୍ତରାଳ ଛାଇ ଦୁଇଟିକୁ । ଦେଖେଇଦବ ନିଜର ଅଜ୍ଞାତ ଆଶ୍ରୟ । ଲିଭେଇଦେବ ଆମର ଗତକାଲିଟିକୁ ।

 

ଅନୁଚ୍ଚାରିତ ବାର୍ତ୍ତାଳାପର ସୁଖ ସାଉଁଟୁ ସାଉଁଟୁ ମନେହୁଏ ତାହାମଧ୍ୟ ଅପୂର୍ଣ୍ଣ । ଅମର ନୀରବ କଥାସବୁ ଶୁଣାଯାଇ ମଧ୍ୟ ହୋଇଯାଉଚି ଅଶ୍ରୁତି । ଅନୁଭବ କରୁ ଏମିତି ଅନେକ କଥା ଅଛି-। ଯାହା ନୀରବତାର ନୁହେଁ, ଶବ୍ଦରେ ପ୍ରକାଶ କରିଦେବା ଖୁବ୍ ଦରକାରୀ ।

 

ବିଛେଇ ପଡ଼ିଥିବା ଜ୍ୟୋସ୍ନା ଫୁଟି ତାରା, କରି ହସୁଥିବା ନଈ, ଯିବା ଆସିବା ଡଂଗା, ଉଚ୍ଚାଟ କରୁଥିବା ଶାଳଫୁଲର ବାସ୍ନା, ଅନର୍ଥନ ପିଙ୍ଗା ହେଉଥିବା ଗୋଡ଼ର ଶବ୍ଦ ଭିତରେ ଦେହ ଲଗାଲଗି ଏକାଠି ବସିଥାଉ ଆମେ । ନିରବତାରେ କଥା ହେଉ ହେଉ ନୀରବତା ପାଇଁ କ୍ଳାନ୍ତ ହୋଇପଡ଼ୁ । ଅପେକ୍ଷାକରୁ ପରସ୍ପର ପ୍ରଥମ ବାକ୍ୟଟି ଶୁଣିବାପାଇଁ । ଅଥଚ ଦୁହେଁ ଅସାଧାରଣ ଚୁପଚାପ୍ ।

 

ପୁନର୍ବାର ଅପେକ୍ଷା, ପୁନର୍ବାର ନୀରବତା, ପୁନର୍ବାର କ୍ଳାନ୍ତ, ପୁନର୍ବାର ଉତ୍କଣ୍ଠା, ପୁର୍ନବାର ଆକର୍ଷଣ ପର୍ନବାର ସ୍ଥିରତା, ପୂନର୍ବାର କଳ୍ପନା, ପୁର୍ନବାର ଆଗ୍ରହ, ପୁର୍ନବାର ନିରାଶା ।

 

ନିଜକୁ ଚିହ୍ନିମଧ୍ୟ ଚିହ୍ନାଦେବାର ସଂକୋଚ ଭିତରେ ଆମେ ନିଜକୁ ପ୍ରସ୍ତୁତ କରୁ ଉଚ୍ଚାରଣ କରିବାପାଇଁ ଆଶ୍ରୟର ପ୍ରଥମ ବାକ୍ୟଟି ।

Image

 

ଓଡ଼ିଆର ଜାତୀୟତା

ଗିରିବାଳା ମହାନ୍ତି

 

ତାଙ୍କଘରେ ପହଞ୍ଚିଲୁ ।

 

ସିଏ ଗଣ୍ୟମାନ୍ୟ ବ୍ୟକ୍ତି । ପ୍ରତିଷ୍ଠିତ ସାହିତ୍ୟିକ । ତାଙ୍କର ଗଳ୍ପ କବିତା ନାଟକ, ପ୍ରବନ୍ଧ, ସମାଲୋଚନା କିଏ ନ ପଢ଼ିଛି, ତାଙ୍କର ରାଜନୈତିକ ଜୀବନ ସମ୍ପର୍କରେ କିଏ ନଜାଣେ ? ତାଙ୍କପରି ବାଗ୍ନୀ, ବକ୍ତା କେତେଜଣ ଅଛନ୍ତି ?

 

ଆମେ ତାଙ୍କ ସହ ସାକ୍ଷାତ କରିଗଲୁ । ଆଗରୁ ସାକ୍ଷାତ କରିବାର କିଛି ନଥିଲା । ସମୟ ନିର୍ଦ୍ଧାରିତ ନଥାଇ ଆମେ ପହଞ୍ଚିଲୁ ।

 

ତା’ ସତ୍ତ୍ୱେ ସେ ସାକ୍ଷାତ କରିବାକୁ ଆସିଲେ । ଏତେ ବଡ଼ ବ୍ୟକ୍ତି, ବିନା ସମୟ ନିର୍ଦ୍ଧାରଣରେ ସାକ୍ଷାତ ଦେଲେ ଦେଖି ଆମେ ମୁଗ୍‌ଧ ହେଲୁ ।

 

ସେ ପ୍ରବେଶ କରି ବିସ୍ମିତ ହେଲେ । ତାଙ୍କ ଓଠରେ ଭଦ୍ରତାର ହସ । ଭ୍ରୂଯୁଗଳରେ ଚିହ୍ନି ନପାରୁଥିବା ଭଙ୍ଗୀ ।

 

ପରିଚୟ ପ୍ରଦାନ ପରେ ଭ୍ରୂଯୁଗଳ ଯଥାସ୍ଥାନକୁ ଫେରିଗଲେ । ଅମାୟିକ-ତାରେ ଓଠ ଆଉରି ଆୟତ ହେଲା-“ଓ......ଆପଣ । ଭଲ ହେଲା ଆସିଲେ । ଦେଖି ନଥିଲି, ତଥାପି ଆପଣଙ୍କୁ ଚିହ୍ନେ । ....ତାପରେ ଏମାନଙ୍କ ପରିଚୟ... ?”

 

ପୁଣି ଅଭିଜ୍ଞ ଭ୍ରୂଯୁଗଳ ଈଷତ୍ ସ୍ଥାନଚ୍ୟୁତ ହେଲେ ।

 

ମୁଁ ଅପ୍ରସ୍ତୁତ ହୋଇ, ଅସ୍ତବ୍ୟସ୍ତ ହୋଇ କହିଲି,

 

“ନାଁ ମାନେ...ଇଏ ହେଲେ ଶ୍ରୀଯୁକ୍ତ ଅମୁକ ପରିଡ଼ା । ବୋଧହୁଏ ଜାଣିଥିବେ...ତାଙ୍କର ଅମୁକ ଉପନ୍ୟାସ… ।”

 

‘ଓ ହ୍ୟାଲୋ...ଭଲକରି ଜାଣିଚି । ମୁଁ ତ ପଢ଼ିଚି । ସେଇ ଯେଉଁ…ଚମତ୍କାର ।’ ସେ ଅତି ସ୍ଵଚ୍ଛନ୍ଦରେ କେତେକ କଥା ଉପନ୍ୟାସ ସଂପର୍କରେ କହିଗଲେ ।

 

‘ଇଏ ହେଲେ ଶ୍ରୀଯୁକ୍ତ ସମୁକ ଚୌଧୁରୀ । ସାମ୍ପ୍ରତିକ କାବ୍ୟ ଜଗତରେ…. ।’

 

‘ଆରେ...ନମସ୍କାର ।’

 

‘ଇଏ ଶ୍ରୀମତୀ ବେହେରା...ଶ୍ରୀମତୀ ଅମୁକ ବେହେରା । କବି, ଗାଳ୍ପିକା । ଇଏ ଶ୍ରୀମତୀ ପଟ୍ଟନାୟକ । ସାମୟିକଭାବରେ ଲେଖାଲେଖି କରନ୍ତି । କିନ୍ତୁ ସାହିତ୍ୟର ସମଝଦାର ।’

 

‘ଆରେ...ମୁଁ ତ ସମସ୍ତଙ୍କୁ ଚିହ୍ନେ ତାହେଲେ । କେବଳ ମୁହାମୁହିଁ ଦେଖି ନଥିଲି । ତାଙ୍କ ଭ୍ରୂଯୁଗଳ ଏଥର ବରାଭୟ ମୁଦ୍ରାରେ ରହିଗଲେ—ଯେପରି କହିବାକୁ ଚାହିଁଲେ ମୁଁ ଏମାନଙ୍କୁ ଚିହ୍ନେ, ଅତଏବ ଏମାନେ ବଞ୍ଚିଯିବେ !’

 

ତାପରେ କହିଲେ, ‘ସତରେ ଆଜି ଏ ଦୀନ କୁଟୀର ଧନ୍ୟ । ଆପଣମାନେ ଆସିଲେ, ଆପଣମାନଙ୍କ ପାଦ ଧୂଳି ମୋ ଘରେ ପଡ଼ିଲା । ଆଉ ଏବେସବୁ କଣ କରୁଛନ୍ତି ? —ମାନେ ଲେଖାଲେଖି କିପରି ଚାଲିଛି ? ମୁଁ ତ ଏବେ ପ୍ରାୟ କିଛି କରିପାରୁ ନାହିଁ । ଆପଣମାନେ ଏବେ ଭରସା !!’

 

ଆମ ସମସ୍ତଙ୍କ କଣ୍ଠରେ, ଓଠରେ, ଆଖିରେ ଭ୍ରୂରେ ‘ନାଇଁ ନାଇଁ’ କନସାର୍ଟର କୋଳାହଳ । ‘ଆପଣ ଇଏ କଣ କହୁଛନ୍ତି ? ଆପଣ ହେଲେ ଦେଶର, ଜାତିର ମଉଡ଼ମଣି ! ସାହିତ୍ୟର କର୍ଣ୍ଣଧାରା ! ଜାତିର ଚଳନ୍ତି ଇତିହାସ ! ଆମେ କି ଛାର ! ଆପଣଙ୍କର ଭାଷା ଓ ଜାତିପ୍ରିୟତା ହିଁ ତ ଆଜି ଆମକୁ ବାହାର ଜଗତରେ ଉଜ୍ଜଳ କରି ଚିହ୍ନାଇ ଦେଉଛି !’

 

ସିଏ ସ୍ଥିର ହେଲେ । ଖଣ୍ଡିକାଶ ଦେଲେ । ଭ୍ରୁ, ଓଠ ଓ ଆଖିରେ ଯଥା-ସମ୍ଭବ ନିରାଶକ୍ତି, ନିର୍ଲିପ୍ତତା ଓ ଗାମ୍ଭୀର୍ଯ୍ୟ ଆଣି କହିଲେ—

 

ମୁଁ ଏ ଜାତି ଓ ସାହିତ୍ୟକୁ ପ୍ରାଣଠାରୁ ପ୍ରିୟଭାବେ । ଏ ସାହିତ୍ୟ, ଭାଷା ଓ ଜାତିପାଇଁ ମୋ ନିଜକୁ ଉତ୍ସର୍ଗ କରିଦେଇଛି । ମୋ ଭାଷା ଓ ଜାତିକୁ ଭଲପାଇଛି । ମୋ ଦେଶର ଆଗାମୀ ବଂଶଧରଙ୍କୁ ମୁଁ ଏଇପଦକ କହିଯିବାକୁ ଚାହେଁ— ‘ଭାଷାକୁ ଭଲ ପାଅ । ତାହାହିଁ ହେବ ତମର ଜାତିପ୍ରୀତି’ । ସେ ଦୀର୍ଘଶ୍ଵାସ ନେଲେ ।

 

ଗୁରୁଗମ୍ଭୀର ପ୍ରସଙ୍ଗକୁ ହାଲୁକା କରିବାପାଇଁ ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନକଲେ । ‘ଆଉ....ଆପଣଙ୍କ ପିଲାଏଁ ଭଲଅଛନ୍ତି ? କଣ ସବୁ ଏବେ କରୁଛନ୍ତି ?

 

‘ହଁ । ସମସ୍ତେ ପଢ଼ାପଢ଼ି କରୁଛନ୍ତି । ମୁଁ କନଭେଣ୍ଟକୁ ପଠାଏଁ ସଭିଙ୍କୁ । ଇଂରାଜୀ ନଶିଖିଲେ...ବୁଝୁନାହାନ୍ତି ।

 

କାନ୍ଧ ପର୍ଯ୍ୟନ୍ତ ଓହଳି ଆସିଥିବା ସୁନ୍ଦର କେଶଗୁଚ୍ଛକୁ ପୋଷା ବିରାଡ଼ିପରି ସାଉଁଳେଇ ସାଉଁଳେଇ, ସେଇବାଟେ ବାହାରୁ ଭିତରକୁ ଯିବାକୁ ବସିଲା, ଲୁଙ୍ଗି ଓ କାମିଳ୍ ର ବର୍ଣ୍ଣାଢ଼୍ୟ ଆଭରଣରେ ପନ୍ଦର ଷୋଳବର୍ଷର ଝିଅ କଣ୍ଢେଇଟିଏ । ଆମେ ମୁଗ୍‌ଧ ହୋଇ ତାକୁ ଦେଖୁଥିଲୁଁ ।

 

‘ବବି !’ ହଠାତ୍ ସେ ମୁଲୟେମ ସୁରରେ ଡାକି ଉଠିଲେ ।

 

ସୁନ୍ଦର କଣ୍ଢେଇଟି ଫେରି ପଡ଼ିଲା । ବିଶେଷ କାଇଦାରେ ହସଟାଣି କହି ଉଠିଲା, ୱେଲ ଡାଡ଼୍ ?”

 

ଏଠିକି ଆ । ଏମାନେ ଅତିଥି । ପରିଚୟ କରେଇ ଦିଏ... ଇଏ... ଶ୍ରୀଯୁକ୍ତ ଇଏ ଶ୍ରୀମତୀ... ଇଏ ଆଉ ଇଏ ବବି ମୋ ଝିଅ ।

 

ସବୁ ଶୁଣିସାରି ଝିଅଟି ଏକାଥରକେ ମୁଣ୍ଡ ହଲେଇ ସମ୍ଭାଷଣ କଲା; ‘ହ୍ୟାଲୋ । ଗ୍ଲାଡ଼ୁ ଟୁ ମିଟ୍ ୟୁ ଅଲ୍ ।’

 

ସେ ସ୍ମିତହସି କହିଲେ, ଓଡ଼ିଆ କହିବାର, ପଢ଼ିବାର ଅଭ୍ୟାସ ଆଦୌ ନାଇଁ । କେମ୍ରିଜ୍‌ରେ ପଢ଼େ । ଏଠିକାର ଶିକ୍ଷା ଅବସ୍ଥା ତ ଜାଣନ୍ତି ।

 

ଝିଅଟି ଆଖିରେ ସାର୍ଥକତାର ହସ ଟାଣି କହିଲା, ‘ଓ.. ନୋ । ୟୁନଟି ଲୟାର ! ମୁଁ ଓରିଆ ନିଉଜ୍‌ପେପର ହେଡ଼ଲାଇନସ୍ କ୍ଲିୟରଲି ପଢ଼େନି ?’

Image

 

ଘର ସଂସାରର ଶକ୍ତି

ଡକ୍ଟର କୁଷ୍ଣଚରଣ ବେହେରା

 

ଗଳିମୁଣ୍ଡର ସେହି ବହୁପରିଚିତ ଏକତାଲା ପୁରୁଣା କୋଠାଘରଟି କାହାରିକି ଚିହ୍ନାଇ ଦେବାକୁ ପଡ଼େ ନାହିଁ। ଘର ଆଗରେ ‘ଦେଶୀ ମଦ ଦୋକାନ’ ବୋଲି ଆକର୍ଷଣୀୟ ସାଇନବୋର୍ଡ଼ଟା ଝୁଲୁଛି ସିନା; ସେଇଟା ନ ଥିଲେ ବି, ଯେ ଗରାଖ ଯେ ଆପେ ଆପେ ଯାଇ ଠିକଣା ଜାଗାରେ ପହଞ୍ଚିବ ।

 

ନଦୀ ବନ୍ଧର ଚାକୁଣ୍ଡା ବଣ ଓ ଝଙ୍କାଳିଆ ବରଗଛ ଘେରରେ ସେ ଘରଟା ଦିନବେଳେ ଲାଗେ ଅନ୍ଧାରିଆ, ରାତିବେଳେ ଅଧା ଆଲୁଅ ଅଧା ଅନ୍ଧାରରେ ବେଶରୋମାଞ୍ଚକର । ମ୍ୟୁନିସିପାଲିଟିର ବତୀଖୁଣ୍ଟ ସେ ଗଲିମୁଣ୍ଡରେ ଅଛି ସତ; କିନ୍ତୁ ବତୀ କେବେ ସେଠି ଜଳେ ନାହିଁ । ଲମ୍ବା ହଲ୍ ଭଳି ସେ ବଡ଼ ଘରଟି ଭିତରେ ଯେଉଁ ଚାଳିଶ ୱାଟ ବଲ୍‍ବ୍‍ ଜଳେ, ତାହା ସେଠିକା ପରିସରକୁ ଆଲୋକିତ କରିବାଠାରୁ ଝାପ୍‌ସା ଆଲୁଅରେ ଭୟଙ୍କର କରି ପକାଏ ।

 

ସେ ଘରର ଦରଜା ସମସ୍ତଙ୍କ ପାଇଁ ଖୋଲାଥିଲେ ବି, ସେଠିକି ଅଧିକାଂଶ ସମୟରେ ଆସନ୍ତି ସେଇ ଦଳଟି-ଗଳିର ନୂଆଁଣିଆ ଚାଳଘରମାନଙ୍କରେ ଥିବା ଶୁକୁଟା ଦାସ, ବନା ସେଠୀ, ବଳିଆ ଜେନା, କାଲାମିଆଁ ରାମାୟା ଆଦିମଳିମୁଣ୍ଡିଆ ଲୋକେ । ବାବୁଭୟାମାନେ ବେଳେବେଳେ ଆସନ୍ତି ସତ; କିନ୍ତୁ ସେମାନେ ବେଶି ସମୟ ସେ ଘରେ ରହନ୍ତି ନାହିଁ । ମାଲ୍ ପାଣି କିଛି ପେଟରେ ପକାଇ ଦେଇ କିମ୍ବା ହାତରେ ଧରି ସେମାନେ ସିଧା ଯାଇ ଉଠନ୍ତି ଚାନ୍ଦନାନୀ ଘରେ ।

 

ବଳିଆ ଜେନା ଚାନ୍ଦନାନୀ ଘରକୁ ଯାଏ ସତ; କିନ୍ତୁ ଆଖି ତାହାର ଚାନ୍ଦନାନୀର ସାନ ଭଉଣୀ ‘କୋଇଲି’ ଉପରେ । କିନ୍ତୁ ବିଚରା କରିବ କ’ଣ ? ଘରେ ସେ ରାହାବାଳୀ ମାଇକିନା ସୁନାକୁ ତାହାର ଯେ ପ୍ରାଣେ ଡର । ବଳିଆର ମାଲ ପାଣି ପିଇବାଟାକୁ ସୁନା ବେଳେବେଳେ ମାଫ କରିଦିଏ ସିନା; କିନ୍ତୁ କୋଇଲି ପାଖକୁ ବଳିଆର ଯିବା-ଆସିବା ତା’ ପକ୍ଷରେ ଯେ ଅସହ୍ୟ ! ଥରେ ବଳିଆ କୋଇଲି ପାଖକୁ ଯାଇଥିବାର ଜାଣିପାରି ସୁନା ତାଙ୍କୁ ଏପରି ଟାଙ୍କେ ଛେଚି ଦେଇଥିଲା ଯେ ଦୁଇଦିନ ଯାଏଁ ତା’ ଦେହର ମଜରା ଛାଡ଼ି ନଥିଲା । ସେହି ଦୁଇଦିନ ଯାକ ମ୍ୟୁନିସିପାଲିଟି କାମରୁ ତାକୁ ଛୁଟି ନେବାକୁ ପଡ଼ିଥିଲା । ବେଶି ଟିକିଏ ମାଲପାଣି ପିଇ ସେ ଦେହର ମଜରା ଛଡ଼ାଇଥିଲା ।

 

ବଳିଆର ମାଉସୀପୁଅ ଶୁକୁଟା ଦାସ ସ୍ଥାନୀୟ ସୂତାକଳର ଜଣେ ଶ୍ରମିକ । ‘ହପ୍ତା’ ପାଇଲା ଦିନ ବାହାର ସାତଖୁଣ୍ ମାଫ୍ । ଆପଣ ସ୍ତ୍ରୀ ନାଣ୍ଡୀକୁ ମଧ୍ୟ ସେ ଖାତିର କରେ ନାହିଁ । ‘ ହସ୍ତା’ ଟଙ୍କାତକ ଧରି ସେ ଯାଇ ପହଞ୍ଚେ-ସେଇ ପୁରୁଣା କୋଠାଘରେ । ପୁରା ମାତାଲ ଅବସ୍ଥାରେ ରାତି ଅଧବେଳକୁ ସେ ଯେତେବେଳେ ଆପଣା ଘରକୁ ଘରକୁ ଫେରେ, ସେତେବେଳେ ନାଣ୍ଡୀ ତା’ ପକେଟ୍ ଅଣ୍ଡାଳି ନିରାଶ ହୁଏ । କେବେ କେମିତି ଟଙ୍କେ ଦୁଇଟଙ୍କା ପାଇଯାଏ ତ, ସେଦିନ ନାଣ୍ଡୀ ସୌଭାଗ୍ୟ !

 

ସୁକୁଟା କିନ୍ତୁ ଚାନ୍ଦନାନୀ ଘରଆଡ଼େ କେବେ ମୁହାଁଏ ନାହିଁ । ନାଣ୍ଡୀସାଇ ପଡ଼ିଶାଙ୍କ ଆଗରେ ବେଳେବେଳେ ଫୁଟାଣି ମାରି କହେ.. ଆମ ୟା’ଙ୍କର ସେସବୁ କଦର୍ଯ୍ୟ ଅଭ୍ୟାସ ନାହିଁ । ମହୁଶେଯ ଦିନ ରାତିରେ ଜଳନ୍ତା ଦୀପ ଆଗରେ ମୋ ଦେହ ଛୁଇଁ ସେ ପଣ କରିଛନ୍ତି ଯେ... ! କେବଳ ଏଇ ନିଶାପାଣି ଅଭ୍ୟାସଟି ତାକୁ ଖାଇଲା ।

 

ବନା ସେଠୀ କିନ୍ତୁ ଚାନ୍ଦନାନୀର ବଡ଼ ଭକ୍ତ । ସେଇ ଗଲିରେ ଥିବା ତାହାର ‘ଜନତା ଲଣ୍ଡରୀ’ରୁ ମନ୍ଦ ଆୟ ହୁଏ ନାହିଁ । ତାହାର ପାଞ୍ଚପରାଣୀ କୁଟୁମ୍ବ ସେଇ ରୋଜଗାରରେ ଭଲରେ ଚଳିଯାଆନ୍ତେ, କିନ୍ତୁ ରୋଜଗାରର ପ୍ରାୟ ସବୁ ଟଙ୍କା ବନା ନିଶାପାଣିରେ ଆଉ ଚାନ୍ଦନାନୀ ଘରେ ଉଡ଼ାଇ ଦିଏ । ତାହାର ସ୍ତ୍ରୀ ଗୁରୁବାରୀ ବଡ଼ କଷ୍ଟରେ ଏପଟ ସେପଟ କରି ଘର ଚଳାଏ ।

 

କାଲମିଆଁର ନଗଦନଗଦ କାରବାର । ସହର ସାରା ପାଉଁରୁଟି, ବିସ୍କୁଟ, ଲଜେନ୍‌ସ, ଟଫି ଇତ୍ୟାଦି ସେ ନିଇତି ଫେରିକରି ବିଜେ ଏବଂ ଘରକୁ ଆସି ସ୍ତ୍ରୀ ନସିମା ଆଗରେ ଆୟ-ବ୍ୟୟର ଭୁଲ୍ ହିସାବ ଦେଇ ଟଙ୍କା ମାରେ । ସେହି ଟଙ୍କାରେ ତାହାର ସବୁ ଫୂର୍ତ୍ତି, ମଉଜ ମଜଲିସ୍ । ନସିମା ବିବି ଓ ତାହାର ଛୁଆପିଲା ଜାହାନ୍ମାମକୁ ଗଲେ, ତାହାର ଚିନ୍ତା କ’ଣ ?

 

କୋଇଲି ଉପରେ ମଧ୍ୟ କାଲାମିଆଁର ଆଖି । କୋଇଲିକୁ ଘେନି ଥରେ ଦି’ଥର ବଳିଆ ସାଙ୍ଗରେ ତାହାର ଝଗଡ଼ାଝାଟି, ମାର୍‌ଧର୍ ପର୍ଯ୍ୟନ୍ତ କଥା ଗଲାଣି । କିନ୍ତୁ ତାହାସବୁ କ୍ଷଣିକ ବା ସାମୟିକା । ସେହି ପୁରୁଣା କୋଠାଘର ଏକାଠି ହେଲାବେଳେ ‘ଗୁରୁଭାଇ’ ଭଳି ସେମାନେ ସମସ୍ତ ମାନ-ମନାନ୍ତର ଭୁଲି ଏକତ୍ମା ହୋଇଯାଆନ୍ତି ।

 

ରାମାୟା ରିକ୍‌ସା ଟାଣେ । ପେଟରେ ମୁନ୍ଦିଏ ମାଲପାଣି ନପଡ଼ିଲେ ଦିନରାତି ରିକ୍‌ସା ଟାଣିବାକୁ ଦେହରେ ବଳ ଆସିବ କୁଆଡ଼ୁ ? ଘରେ ରୋଗଣୀ ବୁଢ଼ୀ ମାଆ, ସାନ ସାନ ପିଲା ପୁଞ୍ଜାଏ; ରାମାୟାର ରୋଜଗାର ଦାନାକନାକୁ ନିଅଣ୍ଟ । ତାହାର ଚତୁରୀ ସ୍ତ୍ରୀ କ୍ରିଷ୍ଣା ନିଇତି ସଞ୍ଜବେଳେ ଗଳି କଡ଼ରେ ମାଛଶୁଖୁଆ ବିକ୍ରୀ କରି ଦି’ପଇସା ହେରଫେର୍ କରୁ ନଥିଲେ ପରିବାରଟି ଅଚଳ ହୋଇପଡ଼ନ୍ତା । ମାଲପାଣି ନିଶା ଛାଡ଼ିବା ପାଇଁ ରାମାୟାକୁ କ୍ରୀଷ୍ଣ ଯେତେ ଆକଟ କଲେବି, ରାମାୟା କି ଶୁଣେ ?

 

ଦିନ ଗଡ଼ି ଚାଲିଥାଏ । କିନ୍ତୁ ସେହି ଗଳିର ନୂଆଁଣିଆ ଚାଲଘରମାନଙ୍କରେ ଥିବା ଛୋଟ ଛୋଟ ସଂସାର କ୍ରମେ ଅଚଳ ହୋଇ ପଡ଼ୁଥିଲା । ଦିନେ ସୁନା, ନାଣ୍ଡୀ ଗୁରୁବାର, ନସିମାବିବି, କ୍ରିଷ୍ଣା ପ୍ରମୁଖ ସଭିଏଁ ମିଳି ବିଚାର କଲେ.. ସଂସାର ଏବେ ଚଳିବ କିପରି ? ସେମାନଙ୍କର ମରଦମାନେ ତ ନିଶାପାଣିରେ, ଚାନ୍ଦନାନୀ ପାଖରେ ନିଜ ନିଜର ଆୟ-ଆରଜନ ଉଡ଼ାଇ ଦେଲେ ! ସେମାନେ ଓ ସେମାନଙ୍କ ଛୁଆପିଲା ଏବେ ବଞ୍ଚିବେ କିପରି ? ମହା ଭାଳେଣି ପଡ଼ିଗଲା ସେଇ ଛୋଟ ଛୋଟ ସଂସାର ଭିତରେ ।

 

ଗୁରୁବାରୀ କହିଲା, ଆମ ଲଣ୍ଡରୀରେ ପ୍ରାୟ ଅଚଳ । ଲଣ୍ଡରୀର ରୋଜଗାର-ପତ୍ର ସବୁତ ସେ ମରଦଟା ନେଇ ଉଡ଼େଇ ଦେଲା । ଏବେ ଲଣ୍ଡରୀର ବଡ଼ ଇସ୍ତିରୀଟା ନେଇ କୁଆଡ଼େ ବିକ୍ରୀ କରିଦେଇଛି । କରିବି କ’ଣ ଭଉଣୀ ? ମୁଁ ସେ ଶୁଣ୍ଢୀ ଆଉ ରାଣ୍ଡୀଟା ପାଇଁ ଭାସିଗଲି ।

 

ନସିମାବିବି ପ୍ରକାଶ କଲା, ମୋ ନସୀବ୍ ବଡ଼ ଖରାପ । ବିକ୍ରୀବଟାରୁ ତାଙ୍କର କୁଆଡ଼େ ନିଇତି କ୍ଷତି ହେଉଛି । ସାଦୀ ବେଳକୁ ଆବ୍ ବା ମୋତେ ଯେଉଁ କେଇ-ଖଣ୍ଡି ଗହଣାଗାଣ୍ଠି ହେଇଥିଲା, ତାକୁଇ ବିକି ଭାଙ୍ଗି ଚଳିଛି ।

 

ନାଣ୍ଡୀର ଦୁଃଖ ତହୁଁ ବଳି । ସେ କହିଲା, ଅମର ସେ ମରଦଟା କ’ଣ କମ୍ ରୋଜଗାର କରେ ଭଉଣୀ ? ସବୁ ସେଇ ମାଲପାଣିରେ ସେ ଉଡ଼େଇ ଦେଲା । ଧାର-ଉଧାର କରି ମୁଁ ଆଉ କେତେ ଦିନ ଘର ଚଳେଇବି ? ଏବେ ଆଠ ବରଷର ବାକୁଳ ପୁଅଟାକୁ ଇଷ୍ଟେସନ୍‌ରେ ମୋଟିଆ କାମ ପାଇଁ ପଠାଉଛି ।

 

ସୁନା ଟିକିଏ ଭିନ୍ନ ଧରଣରେ ମାଈକିନା । ହରିଜନ-ବୃତ୍ତି ପାଇ ସେ ହାଇସ୍କୁଲ ନବମ ଶ୍ରେଣୀରେ ପଢ଼ୁଥିଲା । ସ୍ଥାନୀୟ ମ୍ୟୁନିସିପାଲିଟିରେ ସଦ୍ୟ ପିଅନ ଚାକିରୀ ପାଇଥିବା ବଳିଆ ଜେନା ସହିତ ହଠାତ୍ ତାହାରି ବିବାହ ସ୍ଥିର ହୋଇଯିବାରୁ ପାଠପଢ଼ା ଛାଡ଼ିଦେଲା ସିନା, ସେ ବରାବର ‘ଯୁବକ ସଂଘ’ରୁ ବହିପତ୍ର, ଖବର କାଗଜ ଆଣି ପଢ଼େ ଦେଶ ବିଦେଶର ଖବର ରଖେ । ସାହସରେ, ବୁଦ୍ଧିବୃତ୍ତିରେ ଏ ଗଳି ବସ୍ତିରେ ତାହାର ସମସରି ଆଉ କିଏ ଅଛି ?

 

ମ୍ୟୁନିସିପାଲ୍‌ଟିକୁ ବଳିଆ ବେଶ୍ ଦି’ପଇସା ରୋଜଗାର କରେ । ଦରମାକୁ ଛାଡ଼ି କିଛି ଉପୁରି ବି ରହିଛି । ସେଇଥିରେ ସୁନା ଆପଣା ଛୋଟ ପରିବାରଟିକୁ ଭଲ ଭାବରେ ଚଳାଇ ନେଇ ପାରନ୍ତା । କିନ୍ତୁ ସେ ହାରାମଜାଦୀ କୋଇଲି, ଆଉ ସଇତାନ ଶୁଣ୍ଢୀଟା ବଳିଆ ପକେଟରେ କଣା କରି ସବୁ ଟଙ୍କା ମାରିନେଲେ ।

 

ସୁନା ଶେଷରେ ଦମ୍ଭ ଧରି କହିଲା, ତମେସବୁ କେହି ବ୍ୟସ୍ତ ହୁଅନା ! ମୁଁ ଗୋଟା ଭଲ ଉପାୟ ପାଞ୍ଚିଛି । ଯାହା କରିବା, ସମସ୍ତେ ମିଳିମିଶି କଲେ, ଆମର ଅବସ୍ଥା ସୁଧୁରି ଯିବ ।

 

ତହିଁଆରଦିନ ସକାଳେ ସେମାନେ ସବୁ ବାହାରି ପଡ଼ିଲେ ସୁନା, ନାଣ୍ଡୀ, ଗୁରୁବାରୀ, ନସିମା ଓ କ୍ରୀଷ୍ଣା । ଏ ଯେପରି ନାରୀଶକ୍ତି ଏକ ଅଭିଯାନ । ଗଳିମୁଣ୍ଡର ସେହି ଏକତାଲା ପୁରୁଣା କୋଠାଘର ଦୁଆରେ ପହଞ୍ଚି ସେମାନେ ଲୁଣ୍ଢୀ ମହାଜନ ଆଗରେ ଗୁହାରି କଲେ । ମହାଜନେ, ଆମେ ଭାସିଗଲୁଁ ଆମର ଘର ସଂସାର ନଷ୍ଟ ହୋଇଗଲା । ଆମର ଗେରସ୍ତମାନଙ୍କୁ ତମେ ଆଉ ଏଠି ପୂରାଅନା ! ନୋହିଲେ, ତମର ଦୋକାନଟା ବନ୍ଦ କରିଦିଅ ! ଚାନ୍ଦନାନୀ କି ଆଣି ତମେ ବି ଏଇ ଗଳିରେ ଥାନ ଦେଇଛ, ତାହାର ବ୍ୟବସାୟ ବନ୍ଦ କରିଦିଅ !

 

ଶୁଣ୍ଢୀ-ମହାଜନ ମୁରୁକି ମୁରୁକି ହସି ଜବାବ ଦେଲା—ଚାନ୍ଦନାନୀ କିଏ ? ତା’ ସହିତ ମୋର କିଛି ସମ୍ପର୍କ ନାହିଁ । ସେ କି ବ୍ୟବସାୟ କରୁଛି, ତହିଁରେ ମୋର କ’ଣ ଯାଏ-ଆସେ ? ତମ ଗେରସ୍ତ ମରଦମାନଙ୍କୁ ତମେ ସମ୍ଭାଳୁ ନାହଁ କାହିଁକି ? ସେମାନଙ୍କୁ ମୁଁ ତ ଏଠିକି ନିମନ୍ତ୍ରଣ କରି ଡାକୁ ନାହିଁ । ସେମାନେ ଆପେ ଆପେ ଆସୁଛନ୍ତି । ମୁଁ ଏଠି ଦୋକାନ ବ୍ୟବସାୟ କରିବା ପାଇଁ ସରକାରୀ ଲାଇସେନ୍‌ସ ପାଇଛି । ମୋ ଦୋକାନକୁ ଗରାଖି ଆସିଲେ, ମୁଁ ମନା କରିବି କାହିଁକି ? ଯେତେ ଗରାଖ ଆସିବେ, ମୋର ତେତେ ଲାଭ !

 

ବହୁ କଥା କଟାକଟି ପରେ ଶୁଣ୍ଢୀ ମହାଜନ ସାହାଯ୍ୟ ସହଯୋଗର କୌଣସି ସୂଚନା ନ ଦେବାରୁ, ସୁନା ହେରିକା ନିରାଶ ହୋଇ ଫେରିଲେ ।

 

ସୁନା କିନ୍ତୁ ଛାଡ଼ିବାର ଜନ୍ତୁ ନୁହେଁ । ତା’ପରେ ସେ ନିଜର ପାଖପଡ଼ିଶା ସାଙ୍ଗସାଥିଙ୍କ ସହିତ ଘନ ଘନ ମନ୍ତ୍ରଣା ଚଳାଇଲା । ସ୍ଥାନୀୟ ‘ହନୁମାନ ଯୁବକ ସଂ’ଘର ସାହାଯ୍ୟ ଲୋଡ଼ିଲା । ବୁଦ୍ଧି ଖଟାଇଲେ ବାଟ ଦିଶେ ।

 

ଶେଷରେ ଦିନେ ଆସିଲା ସେହି ସୁବର୍ଣ୍ଣ ସୁଯୋଗ !

 

ସେଦିନ ଗଣେଶ ପୂଜା-ଛୁଟିଦିନ ସକାଳୁ ସକାଳୁ ଆସି ବଳିଆ, ଶୁକୁଟା, ବନା ହେରିକା ଶୁଣ୍ଢୀ-ମହାଜନ ସେହି ଦୋକାନ ଘରେ ଆଡ଼ଡ଼ା ଜମେଇଛନ୍ତି । ଗଳି ଭିତରେ ଉଚ୍ଛବ କଳରବ ବଢ଼ିବା ସଙ୍ଗେ ସଙ୍ଗେ ଶୁଣ୍ଡୀର ଦୋକାନ ସରଗରମ ହୋଇ ଉଠିଜି । ଦିନ ପ୍ରାୟ ଏଗରଟା ବେଳେ ଗଳିର ଶହେଜଣ ସରିକି ମାଈକିନା ଓ ଝିଅପିଲା ଏକଜୁଟ ହୋଇ ଶୁଣ୍ଢୀର ଦୋକାନ ଆସି ଘେରାଉ କଲେ । ସେମାନଙ୍କ ପଛରେ ଯୁବକ ସଂଘର ଲାଠିଧାରୀ ସଭ୍ୟମାନେ ।

 

ଅବସ୍ଥା ଦେଖି ଦୋକାନ-ଗରାଖିମାନେ କିଏ କେଉଁବାଟେ ଛୁ’ କଲେ–ଜଣାପଡ଼ିଲା ନାହିଁ-। ଶୁଣ୍ଢୀ-ମହାଜନ ମଧ୍ୟ ମାଲପାଣି, ତହବିଲ-ବାକ୍‌ସ ସବୁ ଛାଡ଼ିଛୁଡ଼ି ଦେଇ ପ୍ରାଣଭୟରେ କୁଆଡ଼େ ଲୁଚି ପଳେଇଗଲା । ସୁନା, ନାଣ୍ଡୀ, ଗୁରୁବାରୀ, ନସିମା ଓ କ୍ରିଷ୍ଣାଙ୍କ ନେତୃତ୍ଵରେ ମାଈକିନାଦଳ ଦୋକାନର ସବୁ ମାଲପାଣି ଭୁଇଁରେ ଢାଳି ନଷ୍ଟକରି ଦେଲେ, ଦୋକାନ ଦୁଆର ମୁହଁରେ ତାଲା ପକାଇ ଦେଲେ । ଦୋକାନର ସାଇନ୍‌ବୋର୍ଡ଼ଟା କାଢ଼ିଆଣି ନର୍ଦ୍ଦମା ତଳକୁ ଫିଙ୍ଗିଦେଲେ-

 

ପରେ ପରେ ଚାନ୍ଦନାନୀ ଓ କୋଇଲି ମଧ୍ୟ ସେ ଗଳି ଛାଡ଼ି କୁଆଡ଼େ ପଳାଇଗଲେ କେହି ଜାଣନ୍ତି ନାହିଁ । ଶୁକୁଟା ଦାସ, ବନ ସେଠୀ, ବଳିଆ ଜନୋ, କାଲମିଆଁ, ରାମାୟା ପ୍ରମୁଖ ସବୁଦିନିଆ ଗରାଖିମାନେ ନାକ କାନ ମୋଡ଼ି ହୋଇ ରହିଲେ । ମାଈକିନାଙ୍କ ଭୟରେ ନିଜ ନିଜର କାମଧନ୍ଦା କରି ଭଲରେ ଚଳିଲେ ।

 

ବହୁଦିନ ପର୍ଯ୍ୟନ୍ତ ଗଳିମୁଣ୍ଡରେ ସେ କୁଖ୍ୟାତ ଦୋକାନଟା ବନ୍ଦ ରହିଲା ପରେ ଦିନେ ସେଠାରେ ‘ଖାଉଟୀ ସମବାୟ ସମିତି’ ତରଫରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ଏକ ଖୁଚୁରା ବିକ୍ରୟ-କେନ୍ଦ୍ର ଖୋଲିଲା । ସୁନା ହେରିକା କେତେଜଣ ସେହି କେନ୍ଦ୍ରରେ ବିକ୍ରୀବଟା କାର୍ଯ୍ୟ କରିବାରେ ଲାଗିଲେ । ଗଳି ବସ୍ତିର ମଳିମୁଣ୍ଡିଆମାନେ ସୁଲଭ ମୂଲ୍ୟରେ ଜିନିଷପତ୍ର ପାଇ ସ୍ଵସ୍ତିର ନିଃଶ୍ଵାସ ମାରିଲେ ।

 

ଗଳିମୁଣ୍ଡରେ ଥିବା ମ୍ୟୁନିସିପାଲିଟି ବତୀଖୁଣ୍ଟରେ ବଡ଼ ବାର୍-ଲାଇଟ ଖଞ୍ଜି ଦିଆଗଲା । ରାତିର ଅନ୍ଧକାର ବଦଳରେ ସେହି ପରିଚିତ ଗଳିଟିରେ ଉଜ୍ଜ୍ଵଳ ଆଲୋକ ଝଲସିବାରେ ଲାଗିଲା ।

Image

 

ଶିଶିର ବିନ୍ଦୁ

ଗିରୀଶ ଦାଶଗୁପ୍ତ

 

ଫେରାମ୍ ବୁଲେଟାର ମଧ୍ୟରେ ପିଲାଟା ହସୁଛି….

 

ପିଲାଚୋର ଅନାଦି ଅତି ପାଖକୁ ଆସି ହାତବଢ଼ାଇ ପିଲାଟାକୁ ଉଠାଇ ନେବାବେଳେ ହାତ ଅଟକି ଯାଇଛି ।

 

ପିଲାଟା ହସୁଛି…ଥିରି ଥିରି ମଳୟ ପବନ ପରି ହସୁଛି, ପିଲାଚୋର ଅନାଦିର ହୃଦୟଟା ଦ୍ରବୀଭୂତ ହୋଇ ଯାଇଛି ।

 

ବଡ଼ ଘରର ପୁଅ—ସେହି ପିଲା ଦାମୀ ପୋଷାକ, ସୁନାହାର, ଷୋଳ ବର୍ଷର ଯୁବତୀ ଚାକରାଣୀ ରୋଜ ଠେଲି ଠେଲି ଆଣି ଏହି ବରଗଛ ତଳେ ରଖି ଦେଇ ଆଉ କିଛି ଦୂରରେ ଏକ ବୁନ୍ଦା ପଛରେ ପ୍ରେମିକ ସହିତ ମିଳିତ ହୁଏ ।

 

ପିଲାଚୋର ଅନାଦି କିଛିଦିନ ହେଲା ଲକ୍ଷ୍ୟ କରି ଆଜି କାମ ହାସଲ କରିବା ବୋଲି ଗଛ ଉପରେ ଲୁଚି ବସିଥିଲା । ଯୁବତୀ ଚାକରାଣୀଟା ବୁନ୍ଦା ପଛରେ ବିବସନା ହୋଇ ଶୋଇ ପଡ଼ିବା ପରେ ଅନାଦି ଓହ୍ଲାଇ ଆସିଛି ।

 

ଅନାଦିକୁ ଦେଖି ପିଲାଟା ହସୁଛି…ଏକ ନିର୍ମଳ ଝରଣାର ହସ…

 

ଅନାଦି ନିର୍ମମ ହାତଯୋଡ଼ା ସେହି ହସର ସ୍ରୋତ ଠେଲି ହୋଇ ଯାଉଛି । ହାତଟି ଅଟକି ଯାଇଛି । ପଛକୁ ଠେଲି ହେଇ ଯାଉଛି ।

 

ଯୁବତୀଟା ଖୁବ୍ ଜୋରରେ ପ୍ରେମ କରୁଛି । ଆଖି ବନ୍ଦ କରି ମନ ପୂରାଇ ପ୍ରେମ କରୁଛି…

 

ଏହାହିଁ ସୁବର୍ଣ୍ଣ ମୁହୂର୍ତ୍ତ । ଏହି ସମୟରେ ପିଲଟାକୁ ଟେକି ନେଇ ଅନାଦି ଦୌଡ଼ି ଚାଲିଗଲେ ସେହି ନଗ୍ନ ଯୋଡ଼ଟା ଜାଣି ପାରିବନି, ଜାଣି ପାରିଲେବି ଧାଇଁ ପାରିବନି । ପାଟି କରି ପାରିବନି, ପାଟି କଲେବି କେହି ଶୁଣିବେନି ।

 

ପିଲାଟା ହସୁଛି….ତାରି ଦନ୍ତହୀନ ଓଠ ଯୋଡ଼ା କରୁ ଏକ ଅହଂସ ହସ, ଏକ ନିଷ୍ପାପ ହସ ।

 

ଅନାଦିର ସମସ୍ତ ଶରୀର ପଙ୍ଗୁ ହୋଇ ଯାଇଛି । ସେ ହଲି ପାରୁନି, ବୁଲି ପାରୁନି ।

 

ଯୁବତୀର ପ୍ରେମ ଚରମ ମୁହୂର୍ତ୍ତ ଆଡ଼କୁ ପାଖେଇ ଯିବାର ଶୀତ‌୍‌କାର କରୁଚି । ଆଉ କେତୋଟି ମୁହୂର୍ତ୍ତ ଗଣିବା ପୂର୍ବରୁ ପ୍ରେମ ସରିଯିବ, ଚାଲି ଚାଲି ଯିବ ।

 

ପିଲାଟି ସେମିତି ଆତ୍ମଭୋଳା ହୋଇ ହସୁଛି ।

 

ସେ ଜାଣିପାରୁନି ସେ କାଳନାଗ ଫେଣାଟେକି ଠିଆ ହେଇଛି ତା ସାମ୍ନାରେ । ତାର ଭବିଷ୍ୟତ ଅନ୍ଧକାର ହୋଇଯିବ । ସେ ହୁଏତ ଅନ୍ଧ ଭିକାରୀ ବେଶ ଧରି ଭିକ୍ଷା କରିବ । କିମ୍ବା ଘାତକର ଆଘାତରେ ତାର ଦୁଇ ହାତ ଖସି ପଡ଼ିବ । ଦୁଇ ଗୋଡ଼ ଛିଣ୍ଡି ପଡ଼ିବ । ସାରାଜୀବନ ସେ ପଙ୍ଗୁ ଭିକ୍ଷୁକ ପରି ବୁଲିବ ।

 

ପିଲାଟି ହସୁଛି.. ଭବିଷ୍ୟତର ଭାବନା ତାର ମୁହଁରେ ନାହିଁ । ଅନାଦି ହିଁ ସତ୍ୟ ତା ‘ପାଖରେ ଏବଂ ଅନାଦିକୁ ଦେଖି ହସୁଛି ।

 

ଅନାଦି ଆଖି ଯୋଡ଼ାକ ବନ୍ଦ କରି ଦେଇ ଶକ୍ତି ସଞ୍ଚୟ କରିବାକୁ ଆହୁରି ଦୁର୍ବଳ ହୋଇପଡ଼ିଲା । ପିଲାଟିର ହସ ଏକ ଜ୍ୟୋତିର୍ମୟ ପରି ଭାସି ଉଠିଲା ।

 

ଅନାଦି ଆଖି ଖୋଲିଦେଲା ।

 

ପିଲାଟି ତାର କୁନି କୁନି ହାତ ଟେକି ହସୁଛି…..

 

ପିଲାଚୋର ଅନାଦିର ଏକ ହଜାର ଟଙ୍କାର ଦାବୀ ସହଜ ହୋଇ ପାରୁନି ।

 

ଯୁବତୀର ପ୍ରେମ ସରିଗଲା । ସେ ଏଥର ଉଠି ଆସିବ, ଅନାଦି ଗଛ ଉପରେ ଚଢ଼ିଗଲା-

 

ପିଲାଟି କାନ୍ଦୁଛି…ପାଟି କରି କାନ୍ଦୁଛି...

 

ରତିପରିତୃପ୍ତା ରମଣୀ ପିଲାଟିକୁ ବୁକୁ ଉପରେ ଚାପି ଧରି ସେ କ୍ରନ୍ଦନ ବନ୍ଦ କରିପାରୁନି-

 

ପିଲାଚୋର ଅନାଦିର ଦୁଇ ଆଖି ଅଶ୍ରୁରେ ଭରି ଆସିଛି । ଲୁହ ଟୋପାକୁ ସେ ପଟକେଇ ରଖିଛି । ଯୁବତୀ ଦେହରେ ଖସି ପଡ଼ିଲେ ଅନାଦି ଧରା ପଡ଼ିଯିବ ।

 

ପିଲାଟା କାନ୍ଦୁଛି…..

 

ଫେରାମ୍ ବୁଲେଟାରରେ କ୍ରନ୍ଦନରତ ପିଲାଟିକୁ ଧରି ଯୁବତୀ ଚାଲିଯାଉଛି ।

 

ପିଲାଟା ଖୁବ୍ ଜୋରରେ କାନ୍ଦୁଛି….

 

ଅନଦିର ଦୁଇ ଆଖିରୁ ଅଶାନ୍ତ ବେଗରେ ଲୁହଟୋପା ଝରି ଝରି ପତର ବାଡ଼ାଇହୋଇ ବରଗଛ ମୂଳେ ଶିଶିର ବିନ୍ଦୁ ପରି ଖସି ଖସି ପଡ଼ୁଛି...

Image

 

ଆବହ ସଙ୍ଗୀତ

ଶ୍ରୀ ବଳରାମ ଦାସ

 

ମୃତ୍ୟୁର ଅନ୍ୟନାମ ଯେଉଁଠି ଜୀବନ, ସେହିପରି ଏକ ପୃଥିବୀରେ, ମିନିଟ୍ କେତୋଟି ପୂର୍ବରୁ ପତ୍ନୀ ବିୟୋଗ ଘଟିଥିବା ଜଣେ ବନ୍ଧୁଙ୍କୁ ସାନ୍ତ୍ୱନା ଦେବାପାଇଁ, ଅମରେଶ ଚଉଧୁରୀ ତାଙ୍କ ଘର ପାଖରେ ପହଞ୍ଚି ଦେଖିଲେ, ସହରର ବହୁ ମାନ୍ୟଗଣ୍ୟ ବିଶିଷ୍ଟ ଭଦ୍ରବ୍ୟକ୍ତି, ସହକର୍ମୀବୃନ୍ଦ ଓ ଏପରିକି ତାଙ୍କର ବହୁ ଶତ୍ରୁମାନେ ମଧ୍ୟ ସେଠାରେ ପୂର୍ବରୁ ପହଞ୍ଚି ସାରି, ମୃତ୍ୟୁର ଭୟାବହତା, ନିର୍ମମତା ଓ ଜୀବନର ଅସହାୟତା ପ୍ରଭୃତି ସଂପର୍କରେ ନାନା ଦାର୍ଶନିକ ସୁଲଭ କୋଟେସନ ଉଦ୍ଧାରକରି ଓ ମଝିରେ ମଝିରେ ସଠିକ୍ ଲାଇନ୍ ସବୁ ମନେ ନ ପଡ଼ିଲେ ନିଜ ଭାଷାରେ ପ୍ରକାଶ କରି ବଂଧୁଙ୍କୁ ସାନ୍ତ୍ୱନା ଦେଉଛନ୍ତି ।

 

ବିଶେଷ କରି ବଂଧୁ ଜଣଙ୍କର ଯେଉଁମାନେ ଚରମ ଶତ୍ରୁ, ବିଗଳିତ ମହମ ପରି ସେମାନଙ୍କର ସାନ୍ତ୍ୱନାର ଭାବ ଓ ଭାଷା ଦେଖି ଅମରେଣଙ୍କର ମନେହେଲା, ବୋଧହୁଏ ବଂଧୁ ପତ୍ନୀଙ୍କର ନିଶ୍ଚିତ ବିୟୋଗ ହେବ ଜାଣି, କିପରି ଭାବରେ ସାନ୍ତ୍ୱନା ଦେଲେ, ସାନ୍ୱନା ଅପେକ୍ଷା ନିଜ ପାଣ୍ଡିତ୍ୟ ଓ ବହୁ ଶାସ୍ତ୍ରଦର୍ଶିତାର ପରିଚୟ ମିଳିବ, ସେହିପରି ସେମାନେ ପ୍ରସ୍ତୁତ ହୋଇ ଆସିଥିଲେ-

 

ସେଦିନ ରାତିରେ ବିଛଣାରେ ଶୋଇ ଶୋଇ ଅମରେଶ ଚଉଧୁରୀ ଭାବିବାକୁ ଯାଉଥିଲେ—ଆଃ, ତାଙ୍କର ଏହିପରି ପତ୍ନୀ ବିୟୋଗ ଘଟନ୍ତାକି ! ମାତ୍ର ତାହାହେଲେ; ତାଙ୍କର ତଥା ତାଙ୍କ ପିଲାମାନଙ୍କର ଯଥେଷ୍ଟ ଅସୁବିଧାର ଆଶଙ୍କା ଥିବାରୁ ସେ ହଠାତ୍ ଜିଭ କାମୁଡ଼ି ପକାଇ, ସେଥିରେ ସାମାନ୍ୟ ସଂଶୋଧନ କରି ଭାବିଲେ—ଆଃ, ତାଙ୍କର ଏହିପରି କୌଣସି ନିକଟ ସଂପର୍କୀୟ ଆତୀୟର ବିୟୋଗ ଘଟନ୍ତା କି !!

Image

 

ଶୁଭ ଚିନ୍ତକ

ନାରାୟଣ ପଣ୍ଡା

 

ଚିଠିଟା ଏକା ନିଃଶ୍ଵାସକେ ପଢ଼ିଗଲା ଦିବାକର । ଦେଢ଼ମାସ ହେଲା ଏଇ ଚିଠିଟାକୁ ସେ ଅପେକ୍ଷା କରୁଥିଲା । ସୁପର୍ ସିଡ଼େଡ଼୍‌ ହେଲା ପରେ ବାପାଙ୍କଠୁ ପ୍ରଥମ ଚିଠି ।

 

ଅବସର ନବା ଆଗରୁ ଯେଉଁ ପଦଟିର ପ୍ରାପ୍ତି ଆଜିକୁ ବତିଶି ବର୍ଷ ଧରି ତାଙ୍କର ଲକ୍ଷ୍ୟ ଥିଲା, ତାହା ରହିଗଲା ସବୁଦିନ ପାଇଁ ଅପହଞ୍ଚ କେତେ କଷ୍ଟ ପାଉ ନଥିବେ ସେ । କେତେ ସାଧାସିଧା କଥା କହନ୍ତି, ଅତି କମ୍ ଆଉ ନିହାତି ଧୀରେ, ଥିର୍ ଥିର୍ ପଦଟିମାନ । ଅନଭ୍ୟସ୍ତ ସେକ୍ରେଟାରୀ ହଇରାଣ ହୁଅନ୍ତି ଡିକ୍‌ଟେସନ ନେଲାବେଳେ ପହିଲେ ଦିନାକେତେ । ନ ଜାଣିବା ଲୋକ ଭାବିବ ୟାଙ୍କଦେଇ ଖଡ଼ା ସିଝିବ ନାଇଁ । ହେଲେ ଦିବାକର ଜାଣିଛି ବାପା ତାର କଣ ଅଯଥା ହାକିମାତି ନକରି କାହାରି ଉପରେ କାହାରି ଉପରେ ନ ଚିଡ଼ି କାମ ଆଦାୟର କଳା ତାଙ୍କୁ ଜଣା ଧୈର୍ଯ୍ୟ ଆଉ ନିଷ୍ଠାର ମୃର୍ତ୍ତମନ୍ତ ପ୍ରତ୍ନଟନ । କେତେ ସ୍ନିଗ୍‌ଧ ତାଙ୍କର ନୀରବ ଗଭୀରତା । ଖାଲି ଗୋଟିଏ କଥା—କମ୍ପାନିର ଲାଭ ଆଉ ଉତ୍ତେରୋତ୍ତର ଉନ୍ନତି ଆଉ ଏଇ ଆବେଗ ତଳେ ଦପ୍ ଦପ୍ ଜଳୁଥିଲା ଭିତର ଖଞ୍ଜାରେ ଡିବିଟିଏ ପରି ଖାଲି ଗୋଟିଏ ଆଶା—ସେଇ ପଦଟା—ଜେନ୍‌ରାଲ୍ ମେନେଜର ।

 

କମ୍ପାନୀର ରିକ୍ରୁଟିଂ ବୋର୍ଡ଼ରେ ସେତେବେଳେ ଚେୟାର୍‌ମେନ୍ ହୋଇ ବସୁଥିଲେ ଖୋଦ୍ ମେନେଜିଙ୍ଗ୍ ଡାଇରେକ୍ଟର । ସାକ୍ଷାତ୍‌କାର ବେଳେ ସେମାନେ ଯାହା ଯାହା ପଚାରିଥିଲେ, ଠିକ୍ ଠିକ୍ ଉତ୍ତର ଅନାୟସରେ ଦେଇଥିଲେ ଦିବାକରର ବାପା । ଏକାଉଣ୍ଟେନସି, ମେନେଜମେଣ୍ଟ କମ୍ପାନି ଲି. ଶିଳ୍ପ ବିବାଦ ଆଇନ ସବୁଥିରେ ତାଙ୍କର ଉତ୍ତର ମୁଗଧ କରିଥିଲା ସେମାନଙ୍କୁ । ଆମେ ଏମିତି ଲୋକହିଁ ପାଇବାକୁ ଚାହୁଁ—ସେଇଠିହିଁ କହି ପକେଇଥିଲେ ମେନେଜିଙ୍ଗ୍ ଡାଇରେକ୍ଟର୍—ସବୁଥିରେ ଯାହାର ଥିବ ଏକାପରି ଦକ୍ଷତା ।

 

ବତିଶିବର୍ଷ ତଳର ନିଯୁକ୍ତି ତାଲିକାରେ ତାଙ୍କୁ ପ୍ରଥମ ସ୍ଥାନରେ ରଖିଥିବା ସେଇ ମେନେଜିଙ୍ଗ୍ ଡାଇରେକ୍ଟର ନାହାନ୍ତି କି ନାହାନ୍ତି ସେବେଳର ବୋର୍ଡ଼ଅଫ୍ ଡାଇରେକ୍ଟରସର ସଭ୍ୟମାନେ । ଯାହାଙ୍କର ଧ୍ୟେୟ ଥିଲା ଅଂଶଧାରୀମାନଙ୍କର ସ୍ଵାର୍ଥରକ୍ଷା ଆଉ ସେଥିପାଇଁ ସେମାନଙ୍କଠୁ ଥରକୁଥର ଆସୁଥିଲା ତାଗିଦ୍—ଦେଖ କୋଉ ସ୍ତରରେ ବି ଦକ୍ଷତା ଯେମିତି ଉପେକ୍ଷିତ ନ ହୁଏ । ଯଥେଷ୍ଟ ଦକ୍ଷତା ବି ଦେଖେଇଥିଲେ ଦିବାକରର ବାପା । ଆସିଷ୍ଟାଣ୍ଟ୍ ମେନେଜରରୁ ମେନେଜର ମେନେଜରରୁ ଡେପୁଟି ଜେନରାଲ୍ ମେନେଜର—ସମୟ ବଦଳି ଥିଲେବି ଦକ୍ଷତା ପ୍ରତିପାଦନର ସାମ୍ମୁଖ୍ୟ ତଥାପି ଅସୁବିଧା ହେଇ ନଥିଲା କୋଉଥର । ଅବଶ୍ୟ ବେଳେବେଳେ ଅନିଶ୍ଚିତ ଲାଗିଛି, ଡର ମାଡ଼ିଛି—ଏଥରକ ବୋଧହୁଏ ଆଉ ନୁହେଁ । ଏଇ ବୋଧହୁଏ ଶେଷ ପ୍ରମୋଶନ— ତଥାପି ମରିଆସୁଥିବା ଜୁଇଲଟା ଭିତରେ ଫୁଟୁଥିବା ଶେଷ କଢ଼ଟିର ମହକ ପରି ପହଞ୍ଚୁଥିଲା ପଦୋନ୍ନତିର ଆଦେଶ ।

 

ଏବେ ଅବଶ୍ୟ କମ୍ପାନି ବଢ଼ିଗଲାଣି କାହିଁରେ କ’ଣ । ସେତେବେଳେ ଥିଲେ ଜଣେ ଜେନେରାଲ୍ ମେନେଜର୍ ସବୁ କାମ ତୁଲେଇବାକୁ । ଏବେ ପ୍ରତି ଡିଭିଜନ୍‌ ପାଇଁ ଜଣେ ଜଣେ, କମ୍ପାନୀରେ ସେଇ ପାହ୍ୟାରେ ଏବେ ଦୁଇଗଣ୍ଡା କି ଦଶଟା । ଏହାସତ୍ତ୍ୱେ ବି ବଢ଼ିପାରେ ନାଇଁ ଅଂଶଧାରୀମାନଙ୍କର ଲାଭାଂଶର ହାର । ଆଗପରି ବାର୍ଷିକ ସାଧାରଣ ଅଧିବେଶନରେ ସବୁଠାରୁ ସାନ ଅଂଶଧାରୀର ବକ୍ତବ୍ୟ ଆଉ ସମାଲୋଚନାକୁ ଗୁରୁତ୍ଵ ଦଉନାହାନ୍ତି ଏବର ଡାଇରେକ୍ଟରମାନେ-। ଦରକାର ବି ପଡ଼ୁନାହିଁ । ଖୁଏଇ ପିଏଇ ଶୁଏଇ ଦେଲେ ଯାଏ । ଘୁଙ୍ଗୁଡ଼ି ମାରୁଥାନ୍ତୁ ସେମାନେ ହଲରେ । ଦରକାରବେଳେ ଲୋକ ଲଗେଇ ସେମାନଙ୍କର ହାତଟିମାନ ଉପରକୁ ଟେକେଇ ଦେଲେ ହେଲା ।

 

ବାରମ୍ବାର ସାବଧାନ କରେଇଥିଲେ ଦିବାକରର ବାପାଙ୍କୁ ତାଙ୍କର ଭଲପଣିଆ ପ୍ରତି ସମ୍ମାନ ପୋଷଣ କରୁଥିବା ଭିତିରିଆ ଖବର‌ଜାଣି ପାରୁଥିବା କନିଷ୍ଠ ସହକର୍ମୀମାନେ । ଦେଖନ୍ତୁ ସାର୍, ଟିକେ ସାବଧାନ ରହନ୍ତୁ । ଲାଗିଛନ୍ତି ସେମାନେ ଆପଣଙ୍କୁ ଟପିଯିବାକୁ । ଆପଣଙ୍କର ଜେନେରାଲ୍ ମେନେଜରଙ୍କୁ ଗଦ ଶୁଙ୍ଘେଇ ସାରିଲେଣି ସେମାନେ । ପ୍ରମୋଶନ୍‌ କମିଟିକୁ ତାଙ୍କର ମତାମତ ଆପଣଙ୍କର ବିରୁଦ୍ଧରେ ହିଁ ଯାଇପାରେ । ଆପଣ ଟିକେ ଏମ୍. ଡ଼ି ଙ୍କୁ ଦେଖାକରୁନାହାନ୍ତି କାହିଁକି ?

 

ହସି ଦେଉଥିଲେ ବାପା—ଦିବାକର ନିଜେ ଦେଖିଛି କେତେଥର—ଏହିକଥା ଶୁଣୁ ଶୁଣୁ-। ହସି ହସି କୁହନ୍ତି—ବତିଶି ବର୍ଷ ଯୋଉ ରାସ୍ତାରେ ଚାଲିଆସିଲି ଆଉବର୍ଷ ତିନି ଚାରିଟା ଲାଗି କାହିଁକି ଛାଡ଼ିଦେବି ସେଇ ବାଟଟା । ଆଉ ପାହାଚେ ତ ! କଣ ହେଇଯିବ ନା ଉଠି ପାରିଲେ ସେଠିକି, କେତେ ବା ଫରକ.. ! ଆପଣମାନେ ବରଂ ଲାଗିପଡ଼ନ୍ତୁ, ଢେର୍ ଭବିଷ୍ୟତ ଅଛି ଆପଣମାନଙ୍କର ।

 

ଦିବାକର କିନ୍ତୁ ଭଲକରି ଜାଣେ କ’ଣ ସେ ମନରେ ରଖିଥାନ୍ତି ଏମିତି କହିଲାବେଳେ । ଏ ଯାଏଁ ତ କିଛି ଅସୁବିଧା ହେଇନାହିଁ । ଏତେ ବଡ଼ ଅନ୍ୟାୟ ଜେନେରାଲ୍ ମେନେଜର୍ କି କିଏବି ମଣିଷ କାହିଁକି କରିବ କାହା ପ୍ରତି । ଦେଖାଯାଉ..... କିନ୍ତୁ ଅନ୍ୟାୟ ହିଁ ପ୍ରତିଷ୍ଠିତ ହେଲେ ଏଥରକ, ଆଗଥରମାନଙ୍କପରି ନ୍ୟାୟ ନୁହେଁ । ପ୍ରମୋଶନ୍ ବଦଳା ମିଳିଲା ବଦଳି ଆଦେଶ—ଗୁରୁତ୍ଵପୂର୍ଣ୍ଣ ଆସନରୁ ହାଲ୍‌କା ଆସନକୁ (କାରଣ ସେ ଅପାରଗ) । ସେଇବେଳେ ଯାହା ସାନଭାଇ ଚିଠି ଲେଖିଥିଲା—ବାପା ବଡ଼ ମନ ଦୁଃଖ ରେ ଅଛନ୍ତି—ଖାଲି ଭାବୁଛନ୍ତି ଦିନରାତି କିଛି ଠିକ୍ କରି ପାରିନାହାନ୍ତି କ’ଣ କରିବେ, ମକଦ୍ଦମା କରିବେ, ଇସ୍ତପା ଦେଇଦେବେ ନାଁ ଯିବେ ନୂଆ ପୋଷ୍ଟକୁ । ମକୋଦ୍ଦମାରେ ଜିତେଇବାକୁ କମ୍ପାନୀର ଅଛନ୍ତି ବଡ଼ ବଡ଼ ଆଇନଜ୍ଞ, କିଛି ନ ହେଲେ ସେମାନେ ଫଇସଲାର ଦିନକୁ ଘୁଞ୍ଚେଇ ଦେଇ ପାରିବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ । ଇସ୍ତଫା ଦେଇଦେଲେ ଚଳିବାକୁ କ’ଣ ଅଛି ତାଙ୍କର । ଦୁଇ ଚାରୀଟା ଟ୍ରକ୍ ଚଲେଇବାକୁ ପୁଞ୍ଜି ନା ଭଡ଼ା ଲାଗିବାକୁ ପୁଞ୍ଜାଏ କୋଠା-ରହିବାକୁ ବି ଘରଟାଏ କରିନାହାନ୍ତି ଏପର୍ଯ୍ୟନ୍ତ ଝିଅ ବାହାଘର ପିଲାଙ୍କ ପାଠ ପଢ଼ା କେତେ ସରିଛି କେତେ ବାକିଅଛି ତଥାପି । ପିଲାମାନେ ଅବଶ୍ୟ ଶାନ୍ତ ଓ ସୁଧାର ହେଲେ, ବୋଝ ସମ୍ଭାଳି ନେଲା ପରି ଉଠି ପାରିଲେନି କେହି, ଏମିତିକି ମାସକୁ ଦେଢ଼ଶ ଟଙ୍କାର ପେଟ୍ରୋଲ୍ ଜାଳି ଦୁଇବର୍ଷର ଝିଅ ଆଉ ପତ୍ନୀ କୁ ବସେଇ ସ୍କୁଟର ଛୁଟାଉଥିବା ଦିବାକରର ବି ସାହସ ପାଉନାହିଁ ।

 

ବାପା ଚିଠିରେ ଲେଖିଛନ୍ତି..ମାସେ ଛୁଟିରେ ଥିଲେ ଏ ଭିତରେ । ଏ ସପ୍ତାହରେ ଜଏନ୍‌ କରିବି । ତୋ ମାଁ ର ଦେହେ ଭଲହେଇ ନାହିଁ ଏ ପର୍ଯ୍ୟନ୍ତ । ବୋହୂ କୁ ଆଶୀର୍ବାଦ ତୋ ଝିଅକୁ ସ୍ନେହ, ତାକୁ ଦେଖିବାକୁ ଭାରି ଇଚ୍ଛା ହଉଛି, ତା’ର ଏବର ଫଟୋଟିଏ ପଠେଇବୁ ଶୀଘ୍ର । ବାକି ସବୁ ଭଲ । ତୋର ଶୁଭଚିନ୍ତକ…

Image

 

ସୃଷ୍ଟି

ଶ୍ରୀ ହରପ୍ରସନ୍ନ ଦାସ

 

ସକାଳୁ ଉଠି ମୋ ରୁମ‌୍‌ର କବାଟ ଖୋଲିଲାବେଳକୁ ଦେଖିଲି ମୋ ସାଇକେଲରେ ବାସ୍‌କେଟ ଭିତରେ ଘର ମାଲିକଙ୍କ କୁକୁଡ଼ାଟିଏ ଚୁପ୍‌ଚାପ ହୋଇ ବସିଛି । ରାଗ ଲାଗିଲା, ମୋ ସାଇକେଲର ବାସ୍‌କେଟଟା ମୁଁ ତ କୁକୁଡ଼ା ବସିବା ପାଇଁ କିଣିନଥିଲି । ଡେରି ନକରି କୁକୁଡ଼ାଟିକୁ ସେଠାରୁ ତଡ଼ି ଦେଲି ।

 

ଗାଧୋଇ ସାରି ଆସି ରୁମ୍‌ରେ ପଶିଲାବେଳକୁ ଦେଖିଲି ପୁଣି ସେହି କୁକୁଡ଼ାଟି ମୋ ପଢ଼ା ଟେବୁଲ ଉପରେ ବସି ଥାକମଧ୍ୟରେ ବେଶ୍ ଜମେଇ ଯାକି-ଯୁକି ହୋଇ ବସିଛି । ମୋତେ ଆଶ୍ଚର୍ଯ୍ୟ ଲାଗିଲା । ଅଦ୍ଭୁତ କୁକୁଡ଼ାଟିଏ । ସେତେବେଳେ ମୋ ସାଇକେଲ ବାସ୍‌କେଟରେ, ବର୍ତ୍ତମାନ ମୋ ଟେବୁଲ୍ ଉପରେ ।

 

ଘର ମାଲିକଙ୍କ ସ୍ତ୍ରୀକୁ ଡାକି ଅଭିଯୋଗ କଲି—ଦେଖନ୍ତୁ, ଆପଣଙ୍କ କୁକୁଡ଼ା କିପରି ମୋ ସାଇକେଲ ବାସ୍‌କେଟ ଓ ଟେବୁଲ ଉପରେ ବସୁଛି । ମଇଳା କରି ଦେଉଛି । ସେମାନଙ୍କ ପାଇଁ ଘର ତିଆରି କରିନାହାନ୍ତି କି ?

 

କୁକୁଡ଼ାଟିକୁ ହାତରେ ଧରି ନେଇ କୋଳରେ ଜାକି ସେ କହିଲେ—କୁକୁଡ଼ାଙ୍କର ଘର ଅଛି । ହେଲେ ସେ ଘରଟି ଓଦା ଓ ମଇଳା ହୋଇଥିବାରୁ ଅଣ୍ଡା ଦେବାକୁ ଇଏ ଭଲ ଜାଗାଟି ଖୋଜି ବସୁଛି । ଯେତେବେଳେ ଅଣ୍ଡାରୁ ତାର ଛୁଆଟିଏ ଜନ୍ମ ନେବତ ।

 

ନିଜ ଅଣ୍ଡା ପ୍ରତି କୁକୁଡ଼ାଟିର ଅସମ୍ଭବ ଆଦର ଦେଖି ମୁଁ କାବାହେଲି । ଆଉ ବେଶୀ କିଛି ନଭାବି ସାଇକେଲ ଧରି ଅଫିସ ବାହାରିଲି ।

 

ରାସ୍ତାରେ ଅନେକ ଲୋକଙ୍କ ଗହଳି । ସାଇକେଲରୁ ଓହ୍ଲେଇ ଘଟଣାଟା କ’ଣ ଜାଣିବାକୁ ଗଲି । ଦେଖିଲି ରାସ୍ତା କଡ଼ ନାଳରେ ପଡ଼ିଥିବା ଭଙ୍ଗା ହାଣ୍ଡିଟିରେ ସଦ୍ୟଜାତ ଶିଶୁଟିଏ କୁଆଁ କୁଆଁ ରାବ କରୁଥିଲା । ସମସ୍ତେ ତାକୁହିଁ ଦେଖୁଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ-କିଏ ଏହି ପାପ କଲା ।

 

ମୁଁ ପୁଣିଥରେ ଦେଖିଲି-ପଚା ନର୍ଦ୍ଦମା ପାଣିରେ ଭାସୁଥିବା ଭଙ୍ଗା ମାଟି ହାଣ୍ଡିରେ ବିଶ୍ୱରେ ସବୁଠାରୁ ମୂଲ୍ୟବାନ ସୃଷ୍ଟି ଏକ ସଦ୍ୟଜାତ ଶିଶୁ ।

 

ହଠାତ୍ ମନେପଡ଼ିଲା-ସକାଳେ କୁକୁଡ଼ାଟିଏ ଅଣ୍ଡା ଦେବ ବୋଲି ଭଲ ସ୍ଥାନଟିଏ ଖୋଜି ଖୋଜି ମୋ ପଢ଼ା ଟେବୁଲ ଉପରେ ବସିଥିଲା ।

Image

 

ବେଲାଳସେନର ଆତ୍ମଲିପି

ନିରଞ୍ଜନ ପଣ୍ଡା

 

ମୋର ସବୁ ଏବେ ଗତାନୁଗତିକ, ସ୍ଥିର, ଠିକ୍ ଘଣ୍ଟା ଭିତରର ଟିକ୍ ଟିକ୍ ଶବ୍ଦ ଶୁଭୁଥିଲେ ସୁଦ୍ଧା ଘଣ୍ଟାକଣ୍ଟା ଚାଲୁନଥିଲା ଭଳି, ଚିଠିର ଶେଷକୁ ଲେଖିଥିବା ‘ଖବର ସବୁ ଭଲ’ ଅର୍ଥହୀନତା ପରି । ଏଠିକାର ପାଠ୍ୟଭବନ ପିଲାମାନେ ଆମ୍ବଗଛ ମୂଳରେ ବସି ପଢ଼ୁନାହାଁନ୍ତି । ଡିପାର୍ଟମେଣ୍ଟ ଶଙ୍କରାଚାର୍ଯ୍ୟଙ୍କ ଶବ ଭଳି ପଡ଼ିରହିଛି । ବିଶ୍ଵଭାରତୀର ଫୁଲରସହର ମଉଳି ପଡ଼ିଚି, ଅଥଚ ଗଛରୁ ଖସି ପଡ଼ୁନି । ସତେକ ତା’ର ବହୁଦିନପାଇଁ ବଞ୍ଚିବାର ଇଚ୍ଛା ଥିଲା, ହେଲେ ସେ କାହାଦ୍ଵାରା ଯେପରି ଆକ୍ରାନ୍ତ । ବିଶ୍ଵଭାରତୀ ବସ୍ ଏବେ ଖାଦ୍ୟ ଅଭାବରୁ ରାସ୍ତା କଡ଼ରେ ପେଟ କାମୁଡ଼ି ପଡ଼ିଲାଭଳି ଭିକାରୀଟିଏ ମାତ୍ର । ତା ଦେହରେ ଏବେ ଅସଂଖ୍ୟ ଆଞ୍ଚୁଡ଼ା ଦାଗର ଚିହ୍ନ । ଏଠି ବର୍ଷା ହେଉନି । ଝଡ଼ ହେଲେ ମନେ ହେଉଚି ସବୁ କୋଠାଘର ଭାଙ୍ଗି ପଡ଼ିବ, ଫୁଲ ଝଡ଼ି ପଡ଼ିବ, ଗଛ ଉପୁଡ଼ି ଯିବ; କିନ୍ତୁ କିଛି ହେଉନି । କୁନି ପାଳିଥିବା ଛେଳିର ଛୁଆଟି ଜନ୍ମ ହୋଇ ପାରୁନି । ଅଠାଳିଆ ଶୋଷକୁ ମାରିବା ପାଇଁ ପାଣି ଗ୍ଲାସେ ମାଗିବା ପାଇଁ ଓଠ ଥରିଉଠୁଛି, ଅଥଚ ମାଗି ପାରୁନି । ଫୁଲ ଗଛରେ ଦୁଇମାସ ଆଗରୁ ଫୁଟିଥିବା ଫୁଲ ସେମିତି ଅଛି । ସବୁ ଏକା ସବୁ । ଏତେ ବିରକ୍ତ ଏତେ ଘଟଣାବିହୀନ ରୁଟିନ୍‌ବନ୍ଧା ଜୀବନକୁ ମାଛ କେଳେଇଲା ପରି ହନ୍ତାଳୁଚି, ଅଥଚ ଖାଲି ଫାଙ୍କା ଫାଙ୍କା ବୋଧନେଇ ମରିବା ସାର ହେଉଚି ।

 

ଏବେ ହଠାତ୍ ସବୁ ଯେପରି ପରିବର୍ତ୍ତନ ହୋଇଯାଇଛି । ବିଶ୍ଵଭାରତୀ ବସ୍ ଧାଉଁଚି । ତା ଟାଙ୍କିରେ ଏବେ ପେଟେ ତେଲ । ଚିନ୍ତା ନାଇଁ । ଖାଲି ଧାଇଁବାରେ ସେ ବ୍ୟସ୍ତ । ଫୁଲଭରା ଗଛସବୁ ଧୀର ପବନରେ ଦୋହଲିବାରେ ଲାଗିଚି । ଦାଦୁବୁଢ଼ା ବରଗଛ ମୂଳରେ ପାନ ସିଗାରେଟ୍ ବିକି ଚାଲିଚି । ଟିକେ ନିସ୍ତାର ନାଇଁ । ଲାଇବ୍ରେରୀ ଭିତରେ ଅସଂଖ୍ୟ ଭିଡ଼-ପୋଖରୀ ଭିତରେ ଅସଂଖ୍ୟ ମାଛ, ଶାମୁକାର ଭିଡ଼ପରି । ଯେଉଁମାନେ ଖାଲି ବଂଚିବାର ରାହାଧରି ଫୁରସତ୍ ନ ନେଇ ଲାଇବ୍ରେରୀ ଭିତରେ ବହିଗୁଡ଼ିକର ପୃଷ୍ଠା ଓଲଟାଇବାରେ ଲାଗିଛନ୍ତି । ଏତେ ଶୀଘ୍ର ପୃଥିବୀଟା ବଦଳି ଯାଉଛି ଦେଖି ବେଙ୍ଗ କହୁଚି ବେଙ୍ଗୁଲିକି-‘ପୃଥ୍ଵୀ କ୍ଷଣ କ୍ଷଣକେ ଆନ’ ।

 

ଏବେ ମୁଁ ତୀବ୍ର ଅସହ୍ୟ, କ୍ଷୀପ୍ର ଗତିରେ ଅଣନିଶ୍ଵାସୀ ହୋଇ ଧାଉଁଥିବା ଏକ ଜନ୍ତୁ । କୁନି ମୁଣ୍ଡର ଗୋଟିଏ କୋଣକୁ ପାଚି ଯାଉଥିବା ଧଳା କେଶ ସହିତ ମିନିର ନୂଆ ନୂଆ ଶାଢ଼ିପିନ୍ଧା ସମଗ୍ର ବିଶ୍ୱକୁ କ୍ଷୀପ୍ରଗତିରେ ଘୂରାଇ ଦେଉଚି । ସୁନୁ ଧାଉଁଚି ସ୍କୁଲକୁ, ଧାଇଁ ଧାଇଁ ହାଲିଆ ହୋଇପଡ଼ିଲେ ବି ସିଏ ଦୌଡ଼ୁଚି । ପୁଣି ସେଇ ଭିତରେ ଦେଖି ଦେଲାକ୍ଷଣି ମୁଚୁକି ହସିଦେଉଛି । ଇଚ୍ଛା ନଥିଲେବି । ପୃଥିବୀଟା ବର୍ତ୍ତମାନ ଗତିଶୀଳ । ଜହ୍ନଟା ବି ଦୁଷ୍ଟ…ଅଥଚ ଚଞ୍ଚଳ ଗତିରେ ଦକ୍ଷିଣଦିଗକୁ ଦୌଡ଼ିବାରେ ଚେଷ୍ଟା କରୁଛି । କିନ୍ତୁ ତା’ର ଦୁଷ୍ଟାମି ତାକୁ କିଣି ଧରୁଛି । କୁନିଠାରୁ ଆରଂଭକରି ସୁନୁ, ମୁନୁ, ମିନି ସଭିଏଁ ଧାଇଁ ବାରେ ବ୍ୟସ୍ତ । ସତେକି ଭୂମିକମ୍ପର ପୂର୍ବ ସୂଚନା ସମସ୍ତେ ପାଇସାରିଛି । ଅଥଚ ମୁଁ ଜାଣି-ପାରୁନି । ଏ ପ୍ରଖରତା ମଧ୍ୟରେ ଏବେ ମୁଁ ସ୍ଥିର, ନିଶ୍ଚଳ ଅବ ସ୍ଥାକୁ ଅପେକ୍ଷା କରି ରହିଥିବା ବେଲାଳସେନ ।

Image

 

ପ୍ରତୀକ୍ଷିତ ଦୁର୍ଘଟଣା

ବିଜୟ ମିଶ୍ର

 

ମୁଁ ତୁମକୁ କହିବାକୁ ଚେଷ୍ଟାକରେ, କିନ୍ତୁ ପାରେନି ମିନି । ତମେ ବୁଝିବନି ତମ ପାଇଁ ମୋ ଭିତରେ କଣ ସାଇତି ରଖିଛି । ତମେ କିନ୍ତୁ ମୂକ ଛବିଟେ ହୋଇ ରହିଯାଉଛ ଏଠି । ତମେ କଥା କୁହନି । କଥା କହିଲେ ବି ବୁଝିପାରନି । ସତରେ ମିନି ! ଯିଏ ଅନ୍ତର ଖୋଲି ଭଲପାଇବାକୁ ଇଚ୍ଛାକରେ ସେ ପଥରରେ ଧକ୍‌କା ଖାଏ । ତମେ କଣ ମତେ ଚିହ୍ନି ପାରିଲନି ? କଳାକାରର ଖୋଳପା ଭିତରେ ମୁଁ ତୁମ ଭିତରେ ତ କରୁଛି ମୋ ଆତ୍ମାର ଅନ୍ୱେଷଣ ।

 

ଛାତିରେ ଛାତିଏ ଯନ୍ତ୍ରଣା । ଏ ହୃଦୟ କୋଠରୀରେ କେତେଗୁଡ଼ିଏ ପାଦଚିହ୍ନ । ଯଦି ଏ ପାଦଚିହ୍ନଗୁଡ଼ା ମୋ ଛାତିରୁ ଓହ୍ଲାଇ ଆସନ୍ତେ । ତେବେ ତମର ମୂକ ଛବିଟା ଧକ୍‌କା ଖାଇ ଚାଲିଯାନ୍ତା କେତେ ଦୂରକୁ । କିନ୍ତୁ ସବୁଗୁଡ଼ାକ ମୋତେ ଏକାବେଳକେ ଚାପି ଦେଇଛନ୍ତି ମିନି ! ତମ କଥାକୁହା ଆଖି ଦିଟା ଯେତେବେଳେ ମୋ ଆଖିସହ ମିଶିଯାଏ ଓଠଟା ମୋର ସେତେବେଳେ ଥରି ଉଠେ ତା ପରେ କିନ୍ତୁ ସବୁ ବୁଡ଼ିଯାଏ ନୀରବତାରେ ।

 

ମୁଁ କହିପାରିବିନି ମିନି ! କୋଉ ମୁହୂର୍ତ୍ତରେ ତମ ଛବିଟା ମୋ ଛାତି ଭିତରେ ଛାପି ହୋଇଗଲା ଯାହାକୁ ଲିଭେଇବାର ଚେଷ୍ଟା କରି ମଧ୍ୟ ସେ ଆହୁରି ଗାଢ଼ ହେଉଛି ସିନା, ଲିଭିଯାଉନି-

 

ତମକୁ ଛାଡ଼ି ଆସିବାର ଦୁଃଖ—ସେଇଟା କଣ କଥାରେ ପ୍ରକାଶ କରିହୁଏ ମିନି ? ତମ ରାସ୍ତାରେ ନରମ ପାଦଚିହ୍ନ ଏବେ ବି ସୁସ୍ପଷ୍ଟ । ତମେ ଯଦି ଭଲ ପାଇବାର ଚଷମାଟେ ପିନ୍ଧିଥାନ୍ତ । ତେବେ ସେ ପାଦ ଚିହ୍ନ ଗୁଡ଼ା ବେଶ୍ ଭଲକରି ଦେଖି ପାରିଥାନ୍ତ ମିନି । ଛାତିର ଯନ୍ତ୍ରଣା ନିଜେ ନ ବୋହିଲେ କିଏ କେବେ କଣ ବୁଝିପାରେ ?

 

ତମେ କେବେ ଭଲ ପାଇବାର ନଈରେ ପହଁରିଛ ମିନି ? ଥରେ ଚେଷ୍ଟା କର, ଦେଖିବ ତା ଭିତରେ କେତେ ବଡ଼ ବଡ଼ ପାହାଡ଼ଗୁଡ଼ା ମୁଣ୍ଡ ନୁଆଁଇ ଲୁଚି ରହିଛନ୍ତି । ଯେଉଁଠି ମଣିଷ ଗୁଡ଼ାକ ଅଜାଣତରେ ଧକ୍‌କା ଖାଆନ୍ତି । ମୁଁ ବି ଧକ୍‌କା ଖାଇଛି । ତଥାପି ପହଁରିବାକୁ ଇଚ୍ଛା କରୁଛି । କିନ୍ତୁ କୋଉଥିପାଇଁ ? ଭାବପ୍ରବଣତାକୁ କଣ ଶବ୍ଦରେ ବୁଝେଇହେବ ?

 

ଆଲୁଅ ଭିତରେ ବସି ରହିଲେ ତମେ ଯାହାକୁ ଦେଖିପାରିବନି ମିନି । ଥରେ ଅନ୍ଧାରରେ ବସି ଆଲୁଅ ଆଡ଼କୁ ଚାହଁ, ତମେ ସବୁ ଦେଖିପାରିବ । ଦେଖିବ ମୁଁ କେମିତି ଅନ୍ଧାରରୁ ଅନ୍ଧାରକୁ ବୁଡ଼ି ଯାଉଛି । ଆନ୍ତରିକତାର ହାତଟେ ବଢ଼ି ଆସୁନି ମୋତେ ସେଥିରୁ ରକ୍ଷା କରିବାକୁ ।

 

ବେଳେବେଳେ ସ୍ଵପ୍ନ ଦେଖେ ଅନ୍ଧାରରେ ବୁଡ଼ି ଯାଉଥିବା ଲୋକଟେ । ତମେ ତାକୁ ବଞ୍ଚଉଛ । ତା ଛାତିରେ ଫୁଲଟେ ହୋଇ ଫୁଟିଚ । ସେ ଫୁଲର ବାସ୍ନାରେ ମହକି ଉଠୁଛି ସାରା ପରିବେଶ । ସ୍ଵପ୍ନ ଭାଙ୍ଗିଯାଏ । ଆଖି ଖୋଲିଯାଏ । ପ୍ରତୀକ୍ଷାର ଗୋଟେ ଲମ୍ବା ରାସ୍ତାରେ ଛିଡ଼ା ହୋଇଥାଏ ଏକ୍‌ଲା ମଣିଷଟେ ।

Image

 

କରୁଣ ବିନୋଦ

ରବୀନ୍ଦ୍ର ଶତପଥୀ

 

ଭୋ ନାୟକ ଷଣ୍ଢ-ମୋ ପାଇଁ ଟିକିଏ ଭଲ ବାସନାତେଲ ଆଣିଦେବ ନାହିଁ ?

 

ବିଳାପ ମୁଖୀ ସହିତ ମାର୍ଜାର ମୁଖାର ବିଭାଘର ହେବାର ଅନେକଦିନ ହେଲାଣି । ଦୁଇଟି ଝିଅ ଗୋଟିଏ ପୁଅ କରି ତିନୋଟି ପିଲା ମଧ୍ୟ ହେଲେଣି । ଅବଶ୍ୟ ଆଉ ଅଧିକ ସେମାନେ ଚାହାନ୍ତି ନାହିଁ । ସରକାରୀନୀତି ଅନୁସାରେ ଏତିକି ନିଧାର୍ଯ୍ୟ । ଦୁନିଆ କେତେ ବଦଳିଗଲାଣି । ସେଦିନର କଥା ଏବେବି ସ୍ପଷ୍ଟ ମନେପଡ଼େ ମାର୍ଜାର ମୁଖାର । ବିଳାପମୁଖୀର ମନ ମନେଇବା ପାଇଁ ସେ କେତେ ବା ମୂଲ୍ୟବାନ ଜିନିଷ ଦେବାର ପ୍ରଲୋଭନ ଦେଖାଇ ନଥିଲା । କଉଡ଼ିର ମାଳା, ସୁନ୍ଦର ଗେଣ୍ଡାର ନୋଥ, ଖପରାର ପଦକ, ଗରଗଡ଼ର ହାର, ଜୁଣକଟା ବାସ, କ’ଣ ସବୁ ଉଣା ମୂଲ୍ୟର ଜିନିଷ ? ଅଥଚ ଆଜି ବିଳାପମୁଖୀ ଚାହୁଁଛି କେବଳ ଗୋଟିଏ ଭଲ ବାସ୍ନା ତେଲ । ସେଦିନ ସେ ମୁଁହ ଖୋଲି ଗୋଟିଏ ହେଲେ କିଛି ମାଗିନଥିଲା । ସେ ନିଜେ ହିଁ ସବୁ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଆଜି ସାମାନ୍ୟ ବାସ୍ନା ତେଲ ଟିକିଏ ଦେବାକୁ ସଂପୂର୍ଣ୍ଣ ଅକ୍ଷମ । ଭଲ ବାସ୍ନା ତେଲ ଟିକିଏ—ମଣିଷ ଛାଡ଼ି ମାଛି ବି ଯେପରି ଆକୃଷ୍ଟ ହୋଇ ପଡ଼ିବ ।

 

ମନରେ ତାର କୋହ ଜାତ ହେଲା । କ’ଣ ବା ସେ ଉତ୍ତର ଦେବ ବିଳାପ ମୁଖୀକୁ ? ସେ ତାକୁ ପ୍ରତାରିତ କରିଛି । ଭାଷାହୀନ ହୋଇ ସ୍ଥାଣୁପରି ଛିଡ଼ା ହୋଇ ରହିବା ବ୍ୟତୀତ ତାର ଆଉ କିଛି ହେଲେ ଉପାୟ ନଥିଲା ।

 

ସେତିକିବେଳକୁ ତାର ତିନିଗୋଟି ଉଲଗ୍ନ ଶିଶୁ ଧାଇଁ ଆସି ତାର ପିନ୍ଧିଥିବା ଲୁଗାଟି ଧରି ଝୁଲି ପଡ଼ିଲେ । ଅଗତ୍ୟା ସେ ଲତ୍‌କରି ବସି ପଡ଼ିଲା । ଆଉ ବିଳାପମୁଖୀର ପାଉଁଶିଆ ଗାଲ ଯୋଡ଼ିକ ଦେଇ ଖସି ପଡ଼ିଲା ଦୁଇ ଟୋପା ଲୁହ ।

Image

 

ଆତ୍‌ମୀୟ

ଅଜୟ ମଲ୍ଲିକ୍

 

ବେପରୁଆ ଭାବରେ ଠିଆହୋଇ ରୁଚି କାଂଥରେ ଅଂତସତ୍ତ୍ୱା ଝିଟିପିଟିଟାକୁ ଚାହିଁ ରହିଚି-। ଯେମିତି ହେଉ ତାକୁ ସହସ୍ର ଦର୍ଶକଙ୍କ ଆଗରେ ନାଚିବାକୁ ହେବ । ପୁଣି ସେ ଚମକି ଉଠିଛି ଦରଭୁଲା ସ୍ଵପ୍ନର ସିଦ୍ଧାନ୍ତକୁ ମନେପକାଇ । ଗତରାତି ସ୍ୱପ୍ନରେ ସେ ନରକରେ ଦହଗଂଜ ହେଉଛି-। ପଲେ ଶ୍ଳଥଚର୍ମା ମଣିଷ ତାକୁ ଘୋଷାରି ଘୋଷାରି ନେଇ ଗୋଟିଏ ବଡ଼ ତେଲ କଡ଼େଇରେ ପକାଇ ଛଟପଟ କରାଉଛନ୍ତି । ରୁଚି କିଛି କରିପାରୁନି । ସେ ବା ଆଉ କ’ଣ କରିଥାନ୍ତା-? ସେ ଖାଲି କରୁଣ ଦୃଷ୍ଟିରେ ସମସ୍ତଙ୍କୁ ଚାହିଁଲା । ତା’ର ଚାହାଣୀରେ କେତେଜଣ ଆତ୍‌ମୀୟ ପରି ଅଭିନୟ କରି ପଳାଇଗଲେ ।

 

ସେ ରାତିର ବିଚିତ୍ର ଅନୁଭବ ପାଇଁ ମନେ ମନେ ଭାବୁଥିଲା, ତା’ର କିଛି ଦୋଷ ନାହିଁ । ସେଥିପାଇଁ ସେ ଦାୟୀନୁହେଁ । ତା’ର ଦେହ ପାଦ ଆଡ଼ୁ ଶିଥିଳ ହୋଇ ଆସିଲା । ପୁଣି ଭାବିଲା, ସେ ନାଚିବ ନା ନାହିଁ । ନାଚିବାଦ୍ୱାରା ସେ କିଛି ଭୁଲ କରୁନାହିଁତ ! ନା । ସେ ଏହି ସହସ୍ର ସହସ୍ର ଦର୍ଶକଙ୍କ ଆଗରେ ନାଚି ନାଚି ଗତ ରାତିର ସ୍ଵପ୍ନକୁ ଭୁଲିଯିବ । ସମସ୍ତଙ୍କର ସ୍ନେହଭାଜନ ହୋଇ ସେ ନବଜନ୍ମ ଲାଭ କରିବ । ସେ ସମସ୍ତଙ୍କୁ ଜଣାଇଦେବ ଗତକାଲିର ରୁଚି ମରିଯାଇଛି । ତା’ର ଅତୀତ ବୋଲି କିଛି ଗୋଟିଏ ନାହିଁ । ସେ ନାଚ ଆରମ୍ଭ କରିଦେଲା ଠିକ୍ ପରଦା ଉଠିଲାବେଳକୁ । ନା, ସେ ନାଚି ପାରିବନି । ଅସହାୟଭାବେ ସେ ଚମକି ପଡ଼ିଲା । ସେଠି ମଧ୍ୟ କାହାର ବିଦ୍ରୁପଭରା ଅଟ୍ଟହାସ୍ୟ ଶୁଣିପାରି ସେ ଭୟଭୀତ ହେଲା । ତା’ ଆଖିକୁ ସେ ବିଶ୍ଵାସ କରିପାରିଲାନି । ସେଇମାନେ ପୁଣି ସବୁ ମଞ୍ଚ ଆଲୋକ ମଧ୍ୟରୁ ଅଶ୍ଳୀଳ ଆଚରଣ ଦେଖାଇଆସୁଛନ୍ତି । ସେମାନେ ତା’ଭିତର ମଣିଷକୁ ଦେଖି ଚିତ୍କାର କରୁଛନ୍ତି । ନାଚ ସେ ବନ୍ଦକରି ଦେବ । କିନ୍ତୁ ନାଚର ଗୀତ ଯେ ବନ୍ଦ ହୋଇନି । ତା’ର ମନେହେଲା ସେ ଯେପରି କାମନାର ଗୋଟିଏ ଉଗ୍ର ଜୀବନ୍ତ ପ୍ରତିମୂର୍ତ୍ତି । ସେଇ ଶ୍ଳଥ ଚର୍ମାମାନେ ଆସି ଏକାଥରକେ ତା’ର ଗଳାକୁ ଚିପିଧରିଲେ । ତଳେ ପଡ଼ି ସେ ନିଜ ଅଙ୍ଗକୁ ସ୍ପର୍ଶ କଲା । ଓଃ…ଏ କି ବିଚିତ୍ର ଅନୁଭବ ! ସେ ନିଜକୁ ସ୍ପର୍ଶ କରୁଛି ନା ଅନ୍ୟ କାହାକୁ ? ସେ ଭୟଭୀତ ହୋଇ ପଡ଼ିଲା । ଅଙ୍ଗୁଳି ଚଳନାରେ ସେ ଅନୁଭବ କଲା ଏହି ସ୍ପର୍ଶିତ ଗୋପନୀୟ ଅଙ୍ଗମାନେ କ’ଣ ତା’ ନିଜର ନା’ ଅନ୍ୟ କାହାର ? ତା’ର ସନ୍ଦେହ ହେଲା । ତା’ ମୁଁହରେ ତ୍ୱକ୍ ବିକୃତ ହୋଇ ଉଠିଲା । ଆଃ ରୁଚି ନିଜକୁ ହିଁ ଘୃଣା କରୁଚି ।

Image

 

ବନାନୀର ଆତ୍ମପରିଚୟ

ଦେବେନ୍ଦ୍ର ନାୟକ

 

ଆକାଶର ସୀମାହୀନତାକୁ ବନାନୀ ଏକ ଲୟରେ ଚାହିଁରହେ । ଆଖିରେ ତାର ବିଗତ ଦିନର ସ୍ମୃତି ରହି ରହି ଲୁଚକାଳି ଖେଳେ । ‘ବଞ୍ଚିବାର କିଛି ଗୋଟାଏ ମନେ ହୁଏନା’ ବୋଲି ଅଭିଯୋଗ କରେ । ଥରେ ତା ଅଭିଯୋଗ ଶୁଣୁଥିଲେ, ଏକ ବିଶ୍ଵସ୍ତ ପରିବେଶ ଭିତରେ…। ସେ ଦିନ ଥିଲା ଫେବୃଆରୀ ପାଞ୍ଚ, ଶୁକ୍ରବାର, ଏକ ଅଳସ ଅପରାହ୍ନ । ଗଛ ପତ୍ର ଫର୍ମାଲିଟ ମେଣ୍ଟେନ୍ କରୁଥିଲେ । ତା ଅଧରର ରକ୍ତିମତା ହଜିଯାଉଥିଲା । ମନରେ ଅନେକ ଅସମାହିତ ପ୍ରଶ୍ନ । ସେ ସମସ୍ତେ ତା ପାଇଁ କ୍ଲାନ୍ତିକର । ପୁଣି ବିରକ୍ତକର । ସତେ ଯେମିତି ବିଶ୍ଵାସର କୀଟାଣୁ ଭରିଯାଇଛି ତା ଦେହରେ ପ୍ରତ୍ୟେକ ଅଣୁରେ । ବହୁତ ଭାବିଚିନ୍ତି ଉତ୍ତର ଦେଲି—“ଝଡ଼ ଜୀବନକୁ ସୌଷ୍ଠବାନ୍ଵିତ କରେ । ବଞ୍ଚିବା ପାଇ ଖୋରାକ ଯୋଗାଏ । ମୋ ଉତ୍ତରରେ ସେ ରାଜି ହେଲାନି । ଯେମିତି ସେ ନିଜକୁ ଜାଣିବାକୁ ବି ନାରାଜ । ତାର ଏତେଟା ସେଣ୍ଟି ମେଣ୍ଟାଲ ଭାବକୁ ପସନ୍ଦ କରୁଥିଲେବି ବିରକ୍ତଭାବ ପ୍ରକାଶ କରୁଥିଲେ ।

 

ଠିକ୍ ଦୁଇବର୍ଷ ପରେ । ହଠାତ୍ ନିଉଜ୍‌ପେପର ଲେଉଟାଉଥିବାବେଳେ ଦେଖିଲି ବନାନୀ ନିରୁଦ୍ଦିଷ୍ଟ । ଦେହର ରଙ୍ଗ ଶ୍ୟାମଳ । ସାଧାରଣ ପରିଚ୍ଛଦ । ଉଚ୍ଚତା ପାଞ୍ଚ ଫୁଟ ଦୁଇ ଇଞ୍ଚ୍ । ବାଁ ପଟ ଗାଲରେ ପିଲାଦିନର ପୋଡ଼ାଦାଗ ଅଛି । ଯଦି କିଏ ସନ୍ଧାନ ପାଆନ୍ତି, ଦୟାକରି ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ନିମ୍ନ ଠିକଣାରେ ଜଣାଇବାକୁ [ମାନସ ରଞ୍ଜନ 4/6 କଳ୍ପନା ଏରିଆ, ଭୁବନେଶ୍ୱର-୨ ଓଡ଼ିଶା] ଆଶ୍ଚର୍ଯ୍ୟ ହେଲି । ସେଦିନର ବନାନୀ ଆଜି ଜଣେ ଅଭିଯୁକ୍ତ ଆସାମୀ । କାହିଁକି ? ତାର କଣ ବଞ୍ଚିବାର ଅଧିକାର ନାହିଁ

 

ସେ ବଞ୍ଚିଛି । ବେଶ୍ ମଣିଷ ଭଳି । ବଂଧୁ ଶରତ ପଟ୍ଟନାୟକଙ୍କ ବଂଧୁପତ୍ନୀ ଭାବରେ । ଜାଣିଥିଲେ ବି ଜଣେଇନି । ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇନି । କାରଣ, ଏଇଟା ମୋର ବ୍ୟକ୍ତିଗତ ଅଧିକାର । ଯାହା ଉପରେ କେହି କେବେ କତ୍ତୃତ୍ଵ ଜାହିର୍ କରିପାରିବେନି । ସନ୍ଧ୍ୟା ନଇଁ ଆସୁଥିଲା । ମନଟା ଇଚ୍ଛାର ସମାଧି ଭିତରେ ଧୂସରିତ ହେଉଥିଲା । ଏକ ଅଚଳ ଟଙ୍କାପରି ।

Image

 

ପଞ୍ଚପର୍ଣ୍ଣୀ

ଗୋପାଳକୃଷ୍ଣ ଦାସ

 

ଯେତେବେଳେ ସେ ଫ୍ରକକୁ ମୁଣ୍ଡରେ ଓଢ଼ଣା କରି, ମୋ ବେକରେ ଅନାବନା ଫୁଲମାଳ ଦେଉଥିଲା ।

 

ମୁ ଅମରି ବାଡ଼ିର ଖଣ୍ଡାଧରି ହେଉଥିଲି ରାଜା ।.....

 

ସେ ଯେତେବେଳେ ବୋହୂ ବୋହୂକା ଖେଳି, ବାଲି ଭାତ ଆଉ ପରେ ତରକାରୀ କରି ମତେ ଷଢ଼େଇରେ ବାଢ଼ୁଥିଲା ।

 

ମୁଁ କାଳିରେ ନିଶ ଦିପଟା କରି ହେଉଥିଲି ବର...

 

ତା ଫରମାସ ରଖି ମୁଁ ଯେବେ ସ୍କୁଲର ଆକାଶଛୁଆଁ ଗଛରୁ ଚିତ୍‌ପଟାଙ୍ଗ ଦେଲି, ସେ ଅଣ୍ଟିକ ଯାକ ଜାମୁକୋଳି ଫୋପାଡ଼ି ମୋତେ କୋଳରେ ଧରି ବଣମାଳତି ଗଛର କ୍ଷୀର ମୋ ଆଞ୍ଚୁଡ଼ାରେ ଦେଇଥିଲା ।

 

ଅଥଚ ସେ ଆଖି ଛଳ ଛଳ କରି ଦୌଡ଼ି ଚାଲିଗଲା, ଏଇଥିପାଇଁ କାଳେ କୋଉ ସ୍କୁଲ ପିଲା ଚିଡ଼େଇବ ।

 

କଲେଜ କରିଡ଼ର: ନେଳି ପିଓର ସିଲ୍‌କ ଶାଢ଼ୀରେ ବନ ଝରଣାର କଳ । କାହିଁକି କେଜାଣି, ଅଦିନିଆ ମେଘପରି, ମରୁଭୂମିର ଶୋଷ ମୋ ପାଖକୁ ମାଡ଼ି ଆସିଲା । ମୋ ତଣ୍ଟି ଅଠା ଅଠା ହୋଇଗଲା ନିରୋଳା ଦେଖି ଗାର୍ଡ଼େନ ପାଖରେ ମୁଁ ତା କାନି ଟାଣି ଦିଅନ୍ତେ, ତା ଆପଲ ପରି ଗାଲ ଲାଲ ପଡ଼ିଗଲା । କମଳା କୋଲାପରି ଓଠ ଥରାଇ ସେ କହିଲା ‘ଏମାଁ...ତମେ ଏଡ଼େ ଇଏ”

 

ଯେଉଁଦିନ ଆମକୋଠା ବିଜୁଳି ଆଲୁଅରେ ଅଳକାପୁରୀ ପରି ଦିଶୁଥିଲା । ଭୋଜି ଭାତରେ ଘର ଫାଟି ପଡ଼ୁଥିଲା । ସେଦିନ ଫୁଲ ଶେଯରେ ତାକୁ ଦେଖି ମତେ ଲାଗିଲା, ସେ ଯେପରି ଲାଲ ଟୁକ୍ ଟୁକ୍ ଫୁଟନ୍ତି ଗୋଲାପଟିଏ ହୋଇଯାଇଛି ତ । ନୀଳ ନିଅନ ଆଲୁଅରେ ମୋ ଭାଲୁ ଭାଲୁଆ ଛାତିକୁ ଚାହିଁ ମୁଁ ଭାବିଲି ମୁଁ ଗୋଟେ ରୁମ୍ ରୁମିଆ ସଂବାଳୁଆ ହୋଇଯାଆନ୍ତି କି ? ତାପରେ ଏକ ରଙ୍ଗ ରଙ୍ଗିଆ ପ୍ରଜାପତି ହୋଇ ଏ ଗୋଲାପ...।

 

ଏଇ ! ରାତି ଯେତେ ହେଲାଣି

 

“କେଜାଣି......”

 

ମୋ ପାଖକୁ ଟିକେ....

 

“ଗୁରୁବାର, ସଙ୍କରାନ୍ତି ଭଲମନ୍ଦ ତମର ଟିକିଏ ବାରଣ ନାହିଁ ।”

 

ରାତିପରା ଗୋଟେ, ଶୁକ୍ରବାର ହେଲାଣି ଯେ–

 

“ମଲାମୋର, ମତେ ଏମିତି ସଲସଲ କରନା କହୁଛି, କୁନ୍‌ମୁନ୍ ଉଠିବ ।”

 

ହଇଏ ମୋ କଥା ଟିକେ ଶୁଣ ମଁ ! ମୋରାଣ–

 

“ବୁଢ଼ାଟିଏ ହେଲଣି । ରଙ୍କାଳିଆ ଆଉ ଗଲାନି ।”

 

ସତରେ ମୁଁ କଣ ବୁଢ଼ା ହେଲିଣି ???

Image

 

ଆତ୍ମନିର୍ବାସନ

କ୍ଷୀରୋଦଚନ୍ଦ୍ର ବେହେରା

 

ନିଜ ସହିତ କଥା ହେବାପାଇଁ ଅସୁବିଧା କେଉଁଠି ?

 

ମନେକରନ୍ତୁ ଆପଣଙ୍କୁ ଗୋଟାଏ ଛୋଟ ରୁମ୍‌ରେ ବନ୍ଦକରି ରଖି ଦିଆଗଲା ବା ଆପଣ ରୁମ୍ ଭିତରକୁ ପଶିଗଲା ପରେ କୌଣସି ପ୍ରକାରେ ବାହାରକୁ ଆସିପାରୁ ନାହାନ୍ତି । ଆପଣଙ୍କ ସାଙ୍ଗରେ ମଧ୍ୟ କେହି ନାହାନ୍ତି । ଆପଣ ଏକୁଟିଆ ଏବଂ ଆସବାବପତ୍ରରେ ଭରା ଏକ ବଖରିଆ ରୁମ୍‌ଟେ । ଭାବନ୍ତୁ ଆପଣ କ’ଣ କରନ୍ତେ ? ପ୍ରଥମେ ନିଶ୍ଚୟ ଏପଟ ସେପଟ ହୋଇ କ’ଣ ଖୋଜିଥାନ୍ତେ । କିଛି ନପାଇ ବିରକ୍ତିରେ ଟ୍ରଙ୍କ ଭିତରେ ଥିବା ସମସ୍ତ ବହିପତ୍ର ଏପରିକି ରଖିଥିବା ପୁରୁଣା ଡାଏରୀ ଗୁଡ଼ାକୁ ମଧ୍ୟ ଫିଙ୍ଗିଥାନ୍ତେ । ତାପରେ ବିରକ୍ତ ହୋଇ ଚେୟାରରେ ବସି ଯା’ନ୍ତେ ଅବା ଚିତ୍‌ହୋଇ ବେଡ଼୍‌ରେ ପଡ଼ିଯା’ନ୍ତେ । ଅନେକ ସମୟ ପରେ ହଠାତ୍ ସଚେତନ ହୁଅନ୍ତେ ତାପରେ ପୁଣି କବାଟ ଓ ଝରକାକୁ ପରୀକ୍ଷା କରନ୍ତେ । ତାପରେ ଆସି ଚୁପ୍ ହୋଇ ବସନ୍ତେ । ଘଡ଼ିର ଟିକ୍ ଟିକ୍ ଆବାଜ ବ୍ୟତୀତ ଆପଣ ଆଉ କିଛି ଶୁଣିବାକୁ ପାଉନଥାନ୍ତେ । ଆପଣ ବ୍ୟସ୍ତ ହୋଇ ଉଠନ୍ତେ । କାହାକୁ ମନେପକାନ୍ତେ, କିଛି କହିବାକୁ ଚାହାନ୍ତେ, ସାଙ୍ଗରେ କେହି ନାହାନ୍ତି ଏଣୁ ନିଜେ ନିଜେ କଥା ହେବାକୁ ଚେଷ୍ଟା କରନ୍ତେ । ହେଲେ ପାରନ୍ତେନି ।

 

ଜାଣିବାକୁ ଚାହାନ୍ତେ ନିଜ ସହିତ କଥା ହେବାପାଇଁ ଅସୁବିଧା କେଉଁଠି । ସେତେବେଳକୁ ଆପଣ ଏକୁଟିଆ ବସି ବସି କ୍ଳାନ୍ତ ହୋଇପଡ଼ିଥାନ୍ତେ । ଚେଷ୍ଟା କରନ୍ତେ ନିଜ ସହିତ କଥା ହେବାପାଇଁ । କଥା ହୁଅନ୍ତେ । ପ୍ରଥମେ କାନକୁ ଅବିଶ୍ଵାସ କରନ୍ତେ କାହିଁକି କିଛି ଶୁଭୁନି । ତାପରେ ଜିଭକୁ ଅବିଶ୍ଵାସ କରନ୍ତେ କାହିଁକି କିଛି କହୁନି ? ପାଟିକୁ ତାପରେ ଅବିଶ୍ଵାସ କରନ୍ତେ । ପୁଣି ନିଜକୁ ଭଲ ଭାବରେ ପରୀକ୍ଷା କରନ୍ତେ—ବଞ୍ଚିଛନ୍ତି କି ନାହିଁ । କହିବାକୁ ଚାହୁଁଥିବା କଥା ଗୁଡ଼ିକୁ ଖୁବ୍ ଜୋରରେ ପାଟି କରି କହନ୍ତେ । ଯେତେବେଳେ କିଛି ଶୁଣିବାକୁ ପାଆନ୍ତେନି ସେତିକିବେଳେ ନିଶ୍ଚୟ ନିଜକୁ ଅବିଶ୍ଵାସ କରନ୍ତେ । କାରଣ ସେଇଟା ଗୋଟିଏ ଛୋଟରୁମ୍, ଏଣୁ ଆପଣଙ୍କ ଚିତ୍କାରର ପ୍ରତିଧ୍ୱନି ମୋଟେ ବାହାରିବ ନାହିଁ । ଆପଣଙ୍କର ବିଶ୍ଵାସ ହୁଅନ୍ତା ଆପଣ କିଛି କହିପାରୁ ନାହାନ୍ତି—ବା ଆପଣଙ୍କ ଶ୍ରବଣ ଶକ୍ତି ଲୋପ ପାଇଯାଇଛି ।

 

ଭାବୁଥିବା କଥାଗୁଡ଼ିକୁ ବାକ୍ୟରେ ପ୍ରକାଶକଲେ ସତରେ ବଡ଼ ଅଦ୍ଭୁତ ଲାଗେ । ବେଳେବେଳେ ତ ସବୁ ଭାବନାକୁ ପ୍ରକାଶକରି ହୁଏନି । ନିଜକୁ ବେଳେବେଳେ ଅବିଶ୍ଵାସ ଲାଗିଥାଏ । ଆଉ ଏକୁଟିଆ ବସି ବସି ଭାବୁଥିବା କଥାକୁ ଯଦି ପାଟିକରି କୁହାଯାଏ ସେଗୁଡ଼ିକତ ମୋଟେ କାନକୁ ଶୁଭିଲା ଭଳି ଲାଗେନି । କାରଣ କାନକୁ ଶୁଭିବା ପୂର୍ବରୁ ସେଗୁଡ଼ିକ ପୁଣି ହଜି ଯାଇଥାନ୍ତି ।

 

ଆବାଦ୍ଦ କୋଠରୀ ମଧ୍ୟରେ ଆପଣ ଏକା । ସମୟ କୁହାଯାଇ ପାରିବ ନାହିଁ । ଗୋଟିଏ ଦିନ, ଗୋଟିଏ ରାତି ନା ଦୁଇଟି ରାତି ଏମିତିକି ଅନେକଦିନ ଅନେକରାତି ବି ହୋଇପାରେ । କିନ୍ତୁ ଆପଣ ଏକା । ଆଗରୁ ତ ଚେଷ୍ଟା କରିଥିଲେ ନିଜ ସହିତ କଥା ହେବାପାଇଁ । କିନ୍ତୁ ନିଜ କଥାକୁ ଶୁଣିପାରିଲେ ନାହିଁ । ତାପରେ ପୁଣି ବ୍ୟତିବ୍ୟସ୍ତ । ଛୋଟ ରୁମ୍‌ର ଚଟାଣରେ ପଦଚାରଣ ବ୍ୟତୀତ ଆପଣ ଆଉକିଛି କରିପାରୁନାହାନ୍ତି । ଭାବୁଛନ୍ତି ଏବଂ ଖାଲି ଭାବୁଛନ୍ତି । ଆସ୍ତେ ଆସ୍ତେ ଚାଲୁଛନ୍ତି ଏବଂ ଚାଲୁଛନ୍ତି । ନିଜ ଘଣ୍ଟାକୁ ଦେଖୁଛନ୍ତି ଏବଂ ଦେଖୁଛନ୍ତି ।

 

ହଠାତ୍ ଆପଣଙ୍କ ମନେପଡ଼ିଲା ଟେବୁଲରେ ପେନ୍‌ସିଲ୍‌ଟି ଅଛି । ପେନ୍‌ସିଲ୍‌ଟି ଖୋଜିଲେ ଏବଂ ପାଇଲେ । ତାପରେ କାନ୍ଥକୁ କିଛି ସମୟ ଅନାଇଲେ । ସେଇଠୁ କ’ଣ ଭାବି କାନ୍ଥରେ ଅଙ୍କା ବଙ୍କା ଗାର ଟାଣିଲେ । ତାପରେ ଗଛ, ଲତା, ଫୁଲ, ଫଳ । ତ ଭିତରେ ପଥର, ବଡ଼ ବଡ଼ ପଥର, ଝରଣା, ଚଢ଼େଇ ଆଙ୍କି ଗୋଟିଏ ସୁନ୍ଦର ପାହାଡ଼ର ଛବି ଆଙ୍କିଲେ । ସେଇମିତି ଆଉ ଗୋଟିଏ, ଆଉ ଗୋଟିଏ । ଏଇମିତି ଛନ୍ଦାଛନ୍ଦି କରି କେତୋଟି ପାହାଡ଼ର ଚିତ୍ର ଆଙ୍କିଲେ । ଛନ୍ଦାଛନ୍ଦି ପାହାଡ଼ ମଝିରେ କିଛି କିଛି ଜାଗା । ସେଇଠି ଛୋଟ ଛୋଟ ପକ୍‌କା ଓ ମାଟି ଘର । କିଛି ଦୋକାନ ଘର । ସେ ଭିତରେ ଗୋଟାଏ ଫେରୋମାଙ୍ଗାନିଜ୍ କାରଖାନା । ବାହାରୁ ଆସିଥିବା ଗୋଟିଏ ରେଳ ଲାଇନ୍ ଏବଂ ପିଚୁ ରୋଡ଼ର ଚିତ୍ର ମଧ୍ୟ ଦେଲେ । ଗୋଟିଏ ବିଜ୍ଞାପିତ ଅଞ୍ଚଳ ଭାବେ ସହରଟିର ଆବଶ୍ୟକୀୟ ଚିତ୍ର ଦେବାକୁ ଆପଣ ଭୁଲିଲେ ନାହିଁ । ଚିତ୍ରଟି ସ୍ପଷ୍ଟ ହେଲାନାହିଁ । ଆପଣଙ୍କ ମନକୁ ବି ଆସିଲା ନାହିଁ । ଆବଶ୍ୟକୀୟ ସ୍ଥାନରେ ପୁଣି ଗାର ମୋଡ଼ାଇ ପୁଣି ଫିନିସିଙ୍ଗ୍ ଟଚ ଦେଲେ । ତଥାପି ସ୍ପଷ୍ଟ ହେଲାନାହିଁ । ଶେଷରେ ଅନନ୍ୟୋପାୟ ହୋଇ ସହରଟିର ନାମ ତଳେ ଲେଖିଦେଲେ ‘ଯୋଡ଼ା’ । ଏହାକୁ ଅଧିକ ସ୍ପଷ୍ଟ କରିବାପାଇଁ ବନ୍ଧନୀ ଭିତରେ ଲେଖିଦେଲେ ଜିଲ୍ଲା କେନ୍ଦୁଝର, ଓଡ଼ିଶା ।

 

ଏତକ କରିସାରିଲା ପରେ ହୁଏତ ଆପଣ ବୋକା ହୋଇ ଅନେକ ରହିବେ ସେ ଚିତ୍ରକୁ-। ଏଇଟି ଦେଖି ପୁଣି ହୁଏତ ନିଜକୁ ଅବିଶ୍ଵାସ କରିବେ । ବିଶ୍ଵାସ କରିବେନି ନିଜେ ଏ ଚିତ୍ର ତିଆରି କରିଛନ୍ତି ବୋଲି । ଚିତ୍ରଟିକୁ ଦେଖି କିଛି ବୁଝିବି ପାରିବେନି । ଯଦିବା ଆଗରୁ ଯୋଡ଼ା ସହରକୁ ଦେଖିଥିବେ । ଏହାପରେ ପୁଣି ହୁଏତ ଆପଣ କ୍ଳାନ୍ତ ହୋଇ ପଡ଼ିବେ । ଏଣୁ ଶୋଇବାକୁ ଚାହିଁବେ ବା ସମୟ କଟାଇବା ପାଇଁ ଅନ୍ୟକିଛି ଖୋଜିବାକୁ ଚେଷ୍ଟା କରିବେ ।

 

କିନ୍ତୁ ମନେକରନ୍ତୁ ଆପଣ ଜଣେ ଅରୁଣାଭ ବା ଆପଣ ଅରୁଣାଭ ହୋଇଯାନ୍ତୁ ବା ମନେକରନ୍ତୁ ସେଇ ବନ୍ଦୀ ଲୋକଟି ଅରୁଣାଭ । ଆପାତତଃ ବନ୍ଦୀ ଲୋକଟିକୁ ଅରୁଣାଭ ବୋଲି ମନେକରନ୍ତୁ । ଅରୁଣାଭ କିନ୍ତୁ ଜାଣିଜାଣି ଯୋଡ଼ା ସହରର ଛବି କରିନି । ଆପଣଙ୍କର ମନେଅଛି ସେ ଖାଲି ଭାବୁଛି ଏବଂ ଭାବୁଛି । ଏଇ ଭାବିବା ଭିତରେ ସେ ପେନ୍‌ସିଲ୍‌ଟିଏ ପାଇଯାଇଛି ଏବଂ ଅନ୍ୟମନସ୍କ ଭାବେ ଚିତ୍ରଟି ଆଙ୍କି ପକେଇଛି । ସେ ସହରଟିର ନାମ ଲେଖିବାକୁ ଯାଉଥିବା ସମୟରେ ହଠାତ୍ ଅଟକି ଯାଇଛି । ଚିତ୍ରଟିକୁ ଦେଖିଛି । ସହରଟିର ନାମ ଲେଖିଛି । ପେନ୍‌ସିଲ୍‌ଟି ହାତରୁ ଖସି ପଡ଼ିଛି । ଆଉ ସେ ଏକଧ୍ୟାନରେ ସହରଟିକୁ ଦେଖିବାରେ ଲାଗିଛି ।

 

ଅନେକ ଦେଖିବା ପରେ ବି କ୍ଳାନ୍ତ ହୋଇନି । ତା ପାଇଁ ଚିତ୍ରଟି ସେଇ ସହରର ମ୍ୟାପ ବା ନକ୍‌ସା ଯାହା ଭାବିପାରନ୍ତି, ହୋଇଯାଇଛି । ସେ ମ୍ୟାପ୍‌ରେ କିଛି ଖୋଜିବାକୁ ଚେଷ୍ଟା କରୁଛି, ଆଖି ମିଟିମିଟି କରି ଦେଖୁଛି ଓ ଭାବୁଛି, ନିଃଶ୍ଵାସ ପୁଣି ଜୋରରେ ନେଉଛି । ଅନେକ ସମୟ ପରେ ସେ ସହରରେ ବହିଯାଇଥିବା ଝରଣାଟିକୁ ଖୋଜି ପାଇଲା, ଯାହାର ନାମ ସୁନାନଈ । ତାପରେ ମୁଣ୍ଡିଆ ପାହାଡ଼, ଯାହାର ନାମ କଳାପାହାଡ଼ । ଏଇମିତି ଗୋଟେ ଗୋଟେ ସେ ପାଇ ଚାଲିଲା ସେଇ ଚିତ୍ର ଭିତରୁ । ପରିଚିତ ଗଳି ଓ ଘର, ମଣିଷ ଭିତରେ ସେ ପାଇଲା ପରିଚିତ ବାସ୍ନା-

 

ଆଃ ! ସେ ସହରର ଏକ ସ୍ଵତନ୍ତ୍ର ବାସ୍ନା ଅଛି । ଆଉ ସେ ଗଳି, ସେ ଘର, ଆଉ ସେଇଠି ଥିବା ମଣିଷଙ୍କ ବାସ୍ନା ପାଇଁତ ସେ ଆଜି ଏତେ ଅସ୍ଵାଭାବିକ । ଅରୁଣାଭ ଚାହୁଁଥିଲା ନିଜକୁ ଆତ୍ମନିର୍ବାସନ ଦେବ । ସେଥିପାଇଁ ସେ ନିଜେ ରୁମ୍‌ଟିକୁ ହିଁ ବାଛି ନେଇଥିଲା । କାହାକୁ କିଛି ନକହି ସେ ରୁମ୍‌ଟିକୁ ଭିତରୁ ବନ୍ଦ କରି ଦେଇଥିଲା । ବାହାରକୁ ବାହାରି ଯୋଡ଼ାକୁ ଚାଲିଯିବା ପାଇଁ ଚାହୁଁଥିବା ଭିତର ମଣିଷଟିକୁ ସେ ଯୋର ଜବରଦସ୍ତି ଆତ୍ମନିର୍ବାସନ ଦେଇଥିଲା ।

 

ପରିଚିତ ସହରର ବାସ୍ନାକୁ ଦୂରେଇ ଦେବାପାଇଁ ଅରୁଣାଭ ନିଜକୁ ଆତ୍ମନିର୍ବାସନ ଦେଉଥିଲା । କୋଠରୀର ଝରକା କବାଟ ଦେଇ ସେ ଚାହୁଁଥିଲା ନିବୁଜ ରଖିବା । ହେଲେ ସେ ନିଜେ, ତା ନିଜର ହୃଦୟ । ସେ ଭିତରେ ଯେ ଗୋଟାଏ କୋଠରୀ ଅଛି । ତାକୁତ ସେ କାହିଁ ବନ୍ଦ କରିପାରୁନି । ବନ୍ଦ କରି ଦେଲେ ହୁଏତ ସେ ମରିଯିବ ହାର୍ଟଫେଲରେ । ଶୂନ୍ୟ ହୃଦୟରେ କିଏ କ’ଣ ବଞ୍ଚିପାରେ ? ଅରୁଣାଭର ହୃଦୟ ଭର୍ତ୍ତି ହୋଇ ଯାଇଥିଲା ଅନେକ ଦିନରୁ । ତା’ରତ ଅଭାବ ନଥିଲା କିଛି । ଖୁବ୍‌ ଗୋଟାଏ ସ୍ଵାଭାବିକ ଜୀବନ ସେ ଆରାମରେ କଟେଇ ଦେଇ ଆସୁଥିଲା ।

 

ବେଲୁନ୍‌ରେ ପବନ ଭର୍ତ୍ତି କଲାପରି ଜୋରରେ ଆଉକିଛି ଭର୍ତ୍ତିକଲେ ତା ହୃଦୟ କ’ଣ ଫୁଲି ଉଠିବ । ସବୁ ଜିନିଷ କ’ଣ ହୃଦୟ ଭର୍ତ୍ତିହୁଏ ? ହୁଏତ ଫାଙ୍କା ହୃଦୟରେ ସେ ମରିଯିବ । ତାର ହାର୍ଟଫେଲ ହୋଇଯିବ । ତା ବେଲୁନଟି ପବନ ସହି ନପାରି ଢୋ କରି ଫାଟିଯିବ ।

 

ସମୟ ହୋଇଗଲା । ପାଦ ଶବ୍ଦ ଶୁଭୁଛି । ସେମାନେ ଆସୁଛନ୍ତି । ଅରୁଣାଭ ହୃଦୟରେ ଆଉ ଏକ ହୃଦୟକୁ ଭର୍ତ୍ତି କରିଦେବେ । ତାପରେ ସେ ନବଜନ୍ମ ପାଇବ । କେତେଥର—ତାର ନବଜନ୍ମ ହେବ । କେତେଟା ଜୀବନ ସେ ଅତିକ୍ରମ କରିବ । ଅନ୍ୟ ଏକ ଅଜଣା ପୃଥିବୀରେ ନବଜନ୍ମ ପାଇ କାହାକୁ ସେ କୁଆଁ କୁଆଁ କରି କ୍ଷୀର ମାଗିବ ? କିଏ ବୁଝିବ ତାର ମୁହଁର ଦରୋଟି କଥା । ସେମାନେ ସମସ୍ତେତ ଏଇ ପୃଥିବୀରେ ରହିଯାଇଥିବେ ।

 

ଏଇ, ଦୁଆରେ ଖଡ଼୍‌ଖଡ଼୍‌ ଶୁଭିଲା । ତାପରେ ଅରୁ-ଅରୁ । ବାପା, ମା, ଭଉଣୀ ସମସ୍ତେ ଡାକୁଛନ୍ତି । ହୁଏତ ହାତରେ ଥିବ ପୂଜା ସାମଗ୍ରୀର ଥାଳି । ଅରୁଣାଭ ଠିକ୍‌ କଲା ସେମାନଙ୍କୁ ଡାକି ନେଇଯିବ ସେଇ ପଡ଼ିଆକୁ, ଯେଉଁଠି ଖୁସିରେ ବେଲୁନ୍‌ ଉଡ଼େଇ ହେବ, ଅନେକ ପବନ ଦେଇହେବ ।

 

ସେମାନେ ସମସ୍ତେ କବାଟ ଭାଙ୍ଗି ଭିତରକୁ ପଶି ଆସିଲେ । ଶରଧାରେ କିଏ ଗୋଟିଏ ଆଉଁସି ଦେଲାଣି, ମା ହେବ ବୋଧେ । ଅରୁଣାଭ ହାତ ଦେଖାଇଲା ସମସ୍ତଙ୍କୁ—ରୁହ ରୁହ । ସମସ୍ତେ ତା ମୁହଁକୁ ଚାହିଁଲେ । ଅରୁ ହଠାତ୍‌ ଯୋରରେ ଚମକେଇ କହିଲା—ଚାଲ ଚାଲ ସେଇ ପଡ଼ିଆକୁ ଯିବା, ସେଇଠି ବେଲୁନ୍‌ ଉଡ଼େଇବା । ତାପରେ ଦୌଡ଼ିବାକୁ ଆରମ୍ଭ କଲା । ପଛରେ ରହିଗଲା ତାର ଘର । ଘରଭିତରେ ବାପା, ମାଆ, ଭଉଣୀ, ଭାଇ ସମସ୍ତେ । ସିଏ ଦଉଡ଼ିଲା ଅନ୍ୟ ଏକ ପୃଥିବୀକୁ, ଯେଉଁଠି ଜଣେହେଲେ କିଏ ତାର ଚିହ୍ନା ନଥିବେ ।

Image

 

ପେଟେଣ୍ଟ ମେଡ଼ିସିନ୍‌

ଜଗନ୍‌ ମୋହନ୍‌ ସାହୁ

 

ଚନ୍ଦ୍ରମଣିବାବୁ ଦଶ ବର୍ଷ ହେବ ରାଉଲକେଲା ଷ୍ଟିଲ୍‌ପ୍ଳାଣ୍ଟରେ ଚାକିରୀଟିଏ ଧରିଛନ୍ତି । ଏଇ ଚାକିରୀଟି ତାଙ୍କ ପାରିବାରିକ ଜୀବନରେ ପ୍ରଧାନ ସମ୍ବଳ । ଏବେ ତାଙ୍କର ଦରମା ହଜାର ପାଖାପାଖି ହେଲାଣି । ତଥାପି ଚାକର ପୂଜାରୀଙ୍କ ମାସିକ ଖର୍ଚ୍ଚ ସହ ନିଜ ପରିବାରର ଅନ୍ୟାନ୍ୟ ଖର୍ଚ୍ଚ ନେଇ ମାସ ଶେଷକୁ ତାଙ୍କୁ ନିଅଣ୍ଟିଆ ଲାଗେ । ତେଣୁ କିଛି ସମୟ ଓଭର ଟାଇମ୍‌ ଡିଉଟି କରି ଅଧିକା କିଛି ପଇସା ରୋଜଗାର କରିବା ଗତ ତିନିବର୍ଷ ହେବ ତାଙ୍କର ଗୋଟିଏ ନିଶାରେ ପରିଣତ ହୋଇଛି । ଦିନ ନ’ଟା ବେଳେ କାମକୁ ବାହାରିଲେ ଫେରୁ ଫେରୁ ରାତି ଦଶ ବାଜେ । ସାତ ଆଠ ବର୍ଷ ତଳର ଚେହେରା ତାଙ୍କର ଏବେ ଆଉ ନାହିଁ । ଦିନ ରାତି ବିଭିନ୍ନ ବିଷୟରେ ଚିନ୍ତା କରି ଛାତି ହାଡ଼ ଦିଶିଲାଣି ।

 

ରାଉରକେଲାର ଗୋଟିଏ ନିର୍ଜ୍ଜନ କୋଣର ବାପାଙ୍କର ବହୁଦିନରୁ ପଡ଼ିଥିବା ଗୋଟିଏ ଛୋଟିଆ ଢିଅ ଉପରେ ଘରଟିର ସୌଭାଗ୍ୟ କ୍ରମେ କରିପାରିଛନ୍ତି । ସେଇଠି ତାଙ୍କର ପରିବାରଟି ଏବେ ରହୁଛନ୍ତି । ଘରଟିର ପଶ୍ଚିମପଟେ ବାହାରିଆ ହୋଇ ଗୋଟିଏ ଛୋଟ ଠାକୁର ଘର । କିନ୍ତୁ ଦିନେହେଲେ ଚନ୍ଦ୍ରମଣି ବାବୁ ଠାକୁର ଘରର ମୁହଁ ମାଡ଼ି ନାହାନ୍ତି । ସିଏ ପରମ ନାସ୍ତିକ ଲୋକ । କିନ୍ତୁ ସ୍ତ୍ରୀ ସୁଲୋଚନା ଦେବୀଙ୍କର ଅନୁରୋଧରେ ଠାକୁର ଘରଟିଏ କରିଥିଲେ । ସୁଲୋଚନା ଦେବୀ ଥିଲେ ପରମ ଈଶ୍ଵରବିଶ୍ଵାସୀ ।

 

ଚନ୍ଦ୍ରମଣିବାବୁଙ୍କ ସହ ସୁଲୋଚନା ଦେବୀଙ୍କର ବିବାହ ପନ୍ଦର ବର୍ଷ ହେଲାଣି । ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲାପିଲି ନାହାନ୍ତି । ସୁଲୋଚନା ଦେବୀ ଦିନେ ହେଲେ ସ୍ଵାମୀ ଆଗରେ ଠିଆହୋଇ ପଦେ ମିଠାକଥା କହିନାହାନ୍ତି । ଦିନ ସାରା ତାଙ୍କର ସେହି ଠାକୁର ଘରେ ସମୟ ବିତେ । ଚନ୍ଦ୍ରମଣି ବାବୁ ପରି ସରଳ ଓ ଉଦାର । ଜଂଜାଳମୟ ଜୀବନ ଭିତରେ ଏ କଥା ଭାବିବାକୁ ତାଙ୍କର ସମୟ ନଥାଏ । ସକାଳୁ ଉଠୁ ଉଠୁ ଆଠଟା ବାଜିଯାଏ । ତାପରେ ମକରା ଚା’ଆଣି ପହଞ୍ଚାଏ । ଚା’ ଖାଇସାରି ବେଡ଼୍‌ ଉପରେ ପଡ଼ି ପେପର ଦେଖୁ ଦେଖୁ ପୂଜାରୀ କହେ—ବାବୁ ନ’ଟା ବାଜିଲାଣି । ରୋଷେଇ ସରିଲାଣି, ଗାଧାନ୍ତୁ । ମୁଁ ଶୀଘ୍ର ଖାଇବାକୁ ଦେଲେ ଠାକୁର ଘରକୁ ଯିବି । ସାଆନ୍ତାଣୀ କେତେବେଳୁ ଠାକୁରଘରେ ଚିଡ଼ି ଚିଡ଼ି ହେଲେଣି । ଚନ୍ଦ୍ରମଣିବାବୁ ତରତରରେ ଗାଧୋଇ ପଡ଼ନ୍ତି । ପୂଜାରୀ ଦି’ଟା ଖାଇବାକୁ ଦିଏ । ଖାଇସାରିଲା ବେଳକୁ ମକରା ସାଇକେଲଟା ବାହାରକରି, ହ୍ୟାଣ୍ଡବ୍ୟାଗ୍‌ଟା ହ୍ୟାଣ୍ଡେଲ୍‌ରେ ଲଟକେଇ ଦେଇ ବାବୁଙ୍କ ପାଖରେ ପହଞ୍ଚିଯାଏ । ବାବୁ ପଚାରନ୍ତି—ସବୁ ଠିକ୍‌ ଅଛି ତ ? ମକରା କହେ—ହଁ ଆଜ୍ଞା ।

 

ବାବୁ ସାଇକେଲଟି ଧରି ଠାକୁରଘର ପଛପଟ ଦେଇ ରାସ୍ତା ଉପରକୁ ଉଠିଯାନ୍ତା । ସୁଲୋଚନା ଦେବୀ ଠାକୁରଘରୁ ଡାକ ଛାଡ଼ନ୍ତି—ନନା, ଏତେ ଡେରି କାହିଁକି ? ପୂଜାରୀ ତରତର ହୋଇ ଠାକୁର କାମରେ ବାହାରି ପଡ଼ନ୍ତି । ପାଖ ବଜାରରେ ଡେରି ଡେରି କରି ଆଞ୍ଚ ଲଗାଉଥିବା ଛୋଟ ଛୋଟ ଚା’ ଦୋକାନ ଆଡ଼େ ମକରା ଯାଇ ଟହଲ ମାରେ ।

 

ଉଦରଖିଆ ଟୋକା ସକାଳ ହେଲେ ଆସି ସେଇଠି ଆଡ୍‌ଡ଼ା ମାରେ । ମକରାର ସିଏ ଦୋସ୍ତ । ମକରାକୁ ବିଡ଼ି ଖଣ୍ଡେ ବଢ଼େଇ ଦେଇ କହେ—ତୋର ସେ ପୂଜାରୀ ସହ ଭଲ ପଟୁଛିତ ? ମକରା ହସେ । ଉଦରଖିଆ ଟୋକା କହେ—ତୋ ବାବୁ ଗଲେ ତାଙ୍କ ଅଫିସ କି, ତେଣିକି ପୂଜାରୀ ଚାଲିଲା ତା ଅଫିସ୍‌ କି । ମକରା କିଛି କହେନାହିଁ । ଇଏ ତାଙ୍କର ନିତିଦିନିଆଁ ଫାର୍ସ । ଦିନେ ଭଦରଖିଆ ଟୋକା ବିଗିଡ଼ିଯାଇ ମକରା କଲାର୍‌ ଧରି ପଚାରିଲା—ଶଳା ! ହଁ ନା ନାହିଁ କାହିଁ କହୁନୁ ? ମକରା କିନ୍ତୁ ସବୁ ଜାଣେ, ହେଲେ କାହାରି ଆଗରେ କିଛି ପ୍ରକାଶ କରେ ନାହିଁ । ମକରା କଣ କହିବ ଭାବି ଟିକେ ଛକିଗଲା । ଭଦରଖିଆ ଟୋକା ଦାନ୍ତ ନିକୁଟି ଦେଇ ପଚାରିଲା...ତୋ ବାବୁଟା ବୋକା କିରେ ? ମକରା କହିଲା ନଅଟା ବାଜିଲେ ବାବୁଙ୍କର ଅନୁକୂଳ ଯୁଆଡ଼େ ମୁହଁ ସିଆଡ଼େ, ଫେରୁ ଫେରୁ ପୁଣି ରାତି ଦଶ । ସିଏ କାହୁଁ ଏତେ କଥା ଜାଣିବେ ?

 

ଚନ୍ଦ୍ରମଣି ବାବୁ ଏ ବିଷୟରେ ଟିକେ ଟିକେ ଜାଣନ୍ତି । ରବିବାର ଦିନ ଘରେ ଥିଲାବେଳେ ସବୁ ଲକ୍ଷ୍ୟ କରନ୍ତି । ସୁଲୋଚନା ଦେବୀ ସକାଳୁ ସକାଳୁ ଗାଧୋଇ ପଡ଼ି ଠାକୁର ଘରକୁ ଚାଲିଯାନ୍ତି । ପାଣି ଆଣି ଠାକୁର ଘର ସଫାସଫି କରୁ ଦିନ ନ’ଟା ବାଜେ । ତା ପରେ ପୂଜାରୀ ପହଞ୍ଚିଯାଏ । ପୁରାଣ, ପୋଥି ଆଲୋଚନା କରି ଭୋଗରାଗ ସାରୁ ସାରୁ ଦିନ ବାର’ ବାଜେ । ତାପରେ ଟିକେ ଖାଇ ପିଇ ସମସ୍ତେ ବିଶ୍ରାମ ନିଅନ୍ତି । ପୁଣି ସଂଧ୍ୟା ଛଅଟା ବେଳଠାରୁ ସୁଲୋଚନା ଦେବୀଙ୍କର ଠାକୁର ଝାମେଲା ଆରମ୍ଭ ହୁଏ । ପୂଜାରୀ ରାତି ରୋଷେଇସାରି ଠାକୁର ଘରେ ଭୋଗରାଗ ଆରମ୍ଭ କରେ । ଠାକୁର ଧନ୍ଦା ସରୁ ସରୁ ରାତି ଦଶ ।

 

ଚନ୍ଦ୍ରମଣି ବାବୁଙ୍କ ଏସବୁ କିଛି ଭଲଲାଗେ ନାହିଁ । ବହୁ ସମୟରେ କିଛି କାରଣ ନଥାଇ ପୂଜାରୀ ଉପରେ ଖିଟ୍‌ ଖିଟ୍‌ ହୁଅନ୍ତି । ସମୟେ ସମୟେ ସୁଲୋଚନା ଦେବୀଙ୍କୁ ପାଖକୁ ଡାକି ବୁଝାନ୍ତି—ଦେଖି ପାରୁଛ, ନିୟମିତ ଖିଆପିଆ ନକରି ତୁମ ଦେହ କପରି କଣ୍ଟା ହେଲାଣି । ବେକାରରେ ପଥରକୁ ଧୋଇପୋଛି ସଫାକରି ଲାଭ କଣ ? ସୁଲୋଚନା ଦେବୀ ମୁହଁକୁ ନେଫେଡ଼ା କରି ଚାଲିଯାଆନ୍ତି । ଏ କଥାକୁ ତାଙ୍କର ଟିକେ ବି ଖାତିରି ନଥାଏ ।

 

ଦିନେ ଚନ୍ଦ୍ରମଣିବାବୁଙ୍କର ଓଭର ଡିଉଟି ନଥାଏ । ସମୟ ପାଞ୍ଚଟା ହେବ । ଧୀରେ ଧୀରେ ସାଇକେଲଧରି ଘରକୁ ଫେରୁଥାନ୍ତି । ସବୁଦିନ ପରି ଠାକୁରଘର ପଛପଟ ଦେଇ ସାଇକେଲଟି ଘୂରାଇ ଆଣିଲେ । ଠାକୁର ଘର ପଛପଟେ ଯାହା ଲେଖାଥିଲା, ଦେଖି ତାଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଗଲା । ଠାକୁର ଘର ପଛପଟେ ଲେଖା ହୋଇଥିଲା— “ପୂଜାରୀ—ସାଆନ୍ତାଣୀ ଅଫିସ୍‌ । ସାଇକେଲଟି ଥୋଇ ଦେଇ ଖପ ହୋଇ ଘର ଭିତରକୁ ପଶି ଆସିଲେ ଚନ୍ଦ୍ରମଣି ବାବୁ । ଦେଖିଲେ ମକରାକୁ ଛାଡ଼ି ଘରେ କେହି ନାହାନ୍ତି । ମକରାକୁ ପଚାରିବାକୁ ସେ କହିଲା—ନାନାଙ୍କ ସହିତ ସାଆନ୍ତାଣୀ ବଜାରକୁ ଯାଇଛନ୍ତି । ବର୍ତ୍ତମାନ ଫେରି ଆସିବେ । ବାବୁ ନୀରବ ହୋଇ ବେଡ୍‌ ଉପରେ ଗଡ଼ି ପଡ଼ିଲେ । କଣ କେତେ ଭାବନା ଆସି ତାଙ୍କ ମୁଣ୍ଡକୁ ଢୁକିଲା ।

 

କିଛି ସମୟପରେ ପୂଜାରୀ ଓ ସାଆନ୍ତଣୀ ଘରକୁ ଫେରିଲେ । ସାଆନ୍ତାଣୀ ବାବୁଙ୍କୁ ପଚାରିଲେ ଆଜି କ’ଣ ଓଭର ଟାଇମ ନଥିଲା ? ଚନ୍ଦ୍ରମଣିବାବୁ କହିଲେ—ନାଁ । ତାପରେ ସାଆନ୍ତାଣୀ ଠାକୁର ଘରକୁ ଚାଲିଗଲେ । ପୂଜାରୀ ରୋଷେଇ ଧନ୍ଦାରେ ଲାଗି ପଡ଼ିଲା । ବାବୁ କିନ୍ତୁ ସଂଧ୍ୟାବେଳଠାରୁ ରାତିନଅଟା ପର୍ଯ୍ୟନ୍ତ ସେମିତି ଶୋଇ ଶୋଇ ଆକାଶ ପାତଳ ଭାବୁଥାନ୍ତି ।

 

ରାତିନଅଟା ବେଳକୁ ପୂଜାରୀ ରୋଷେଇ ସାରି ବାବୁଙ୍କୁ ଖାଇବାକୁ ଡାକିଲା । ବାବୁ ଖାଇବା ପାଖରେ ବସିଲେ । ତାଙ୍କୁ କୌଣସି ଖାଇବା ଜିନିଷ ଭଲ ଲାଗିଲା ନାହିଁ । ଯାହା ଇଚ୍ଛା ତାହା ରୋଷେଇ କରୁଛୁ, କହି ପୂଜାରୀ ଉପରେ ବାବୁ ଭଡ଼ାଏ ଗରମ ଖାଇଗଲେ । ପୂଜାରୀ ଜୁଆଲ ସୁଆଲ ଆରମ୍ଭ କରିଦେଲା । ଚନ୍ଦ୍ରମଣି ବାବୁ ଆଉ ବିଲମ୍ବ ନକରି ଶୀଘ୍ର ପୂଜାରେ ଦରମାପତ୍ର ହିସାବ କରି ଦେଇ ତାକୁ ବିଦା କରିଦେଲେ । ପୂଜାରୀ ତମ ତମ ହୋଇ ଘରୁ ବାହାରିଲା । ସୁଲୋଚନା ଦେବୀଙ୍କୁ ଏକଥା ଜଣା ନଥାଏ । ସେ ଠାକୁର ଘରେ ବ୍ୟସ୍ତ ଥାଆନ୍ତି ।

 

ଚନ୍ଦ୍ରମଣିବାବୁଙ୍କ ମୁଣ୍ଡରେ ବଡ଼ ଯଂନ୍ତ୍ରଣା ହେଉଥାଏ । ସେ ବେଡ୍‌ ଉପରେ ନିଶ୍ଚଳ ହୋଇ ଶୋଇଥାନ୍ତି । ମକରା ବସି ଧୀରେ ଧୀରେ ମୁଣ୍ଡକୁ ଚିପୁଥାଏ । ଏହି ସମୟରେ ସାଆନ୍ତାଣୀ ଡାକ ଛାଡ଼ିଲେ—ମକରା, ମକରା, ଶୀଘ୍ର ବଜାର ଆଡ଼େ ଦେଖିଲୁ, ଏତେ ରାତି ହେଲାଣି ନନା କାହିଁ ଫେରିନାହାନ୍ତି । ମକରା ଟିକେ ବିଳମ୍ବ କଲାରୁ, ସାଆନ୍ତାଣୀ ଚିତ୍କାର କରି ପୁଣି ସେଇ କଥା କହିଲେ । ମକରା କହିଲା—ବାବୁଙ୍କର ମୁଣ୍ଡ ବିନ୍ଧୁଛି । ମୁଁ ଟିକେ ଏଠି ବସିଛି । ସାଆନ୍ତାଣୀ ବେଶୀ ରାଗିଗଲେ—କହିଲେ ଆଗ ଠାକୁର ପୂଜା ନା ଆଗ ମୁଣ୍ଡ ବିନ୍ଧା ?

 

ତାପରେ ଚନ୍ଦ୍ରମଣିବାବୁ ଟର୍ଚ୍ଚଟି ଧରି ବେଡ୍‌ ଉପରୁ ଉଠିଲେ । ସୁଲେଚନା ଦେବୀଙ୍କୁ କହିଲେ—ଆସ ଯିବା ବାହାରେ ନନାକୁ ଦେଖିବା । ସୁଲୋଚନାଦେବୀ ଆଗ୍ରହର ସହ ବାହାରି ପଡ଼ିଲେ । ଚନ୍ଦ୍ରମଣି ବାବୁଙ୍କ ଆଗେ ଆଗେ ରାସ୍ତା ଆଡ଼କୁ ସୁଲୋଚନା ଦେବୀ ମୁହାଁଉଥିଲେ, ହଠାତ୍‌ ଚନ୍ଦ୍ରମଣି ବାବୁ ସୁଲୋଚନା ଦେବୀଙ୍କର ମୁଣ୍ଡକୁ ଢାଉଁ କରି ଟର୍ଚ୍ଚରେ ପଟିଦେଇ ଠାକୁର ଘର ଆଡ଼କୁ ଯିବାକୁ ନିର୍ଦ୍ଦେଶ ଦେଲେ । ସୁଲୋଚନା ଦେବୀ କିଛି ବୁଝି ନପାରି କାବ୍‌ବା ହୋଇ ଠିଆହେଲେ । ଆଖିରୁ ତାଙ୍କର ଲୁହ ଜକେଇ ଆସୁଥାଏ । ବିଳମ୍ବ ନକରି ଚନ୍ଦ୍ରମଣି ବାବୁ ପଛପଟୁ ଧାଉଁ ଧାଉଁ ଦିଟା ଗୋଇଠା ହଗେଇ ଦେଲେ । ଚୁଟିଟାକୁ ଧରି ଘିଡ଼ି ଘିଡ଼ି କରି ଘୋଷାରି ନେଇ ଠାକୁରଘର ପଛପଟେ ପହଞ୍ଚାଇ ଦେଲେ । ଏଇଠି ନନା—କହି, କାନ୍ଥକୁ ଟର୍ଚ୍ଚ ପକାଇ ସୁଲୋଚନା ଦେବୀଙ୍କର ପଛପଟେ ଧକ୍‌ କାଏ ଦେଲେ ଯେ, ସେ ମାଟି କାମୁଡ଼ି ଆଣ୍ଠେଇ ପଡ଼ିଲେ । ତାପରେ ଧୀରେ ଧୀରେ ଚନ୍ଦ୍ରମଣିବାବୁ ଦ୍ଵାର ବନ୍ଦକରି ଘରେ ଶୋଇଲେ ।

 

ମକରା କଣ ଜାଣିପାରିଲା । ଧୀରେ କବାଟ ଖୋଲି ବାହାରକୁ ଆସି ଦେଖେତ ସାଆନ୍ତାଣି ତଳେ ପଡ଼ିଛନ୍ତି । ତାଙ୍କର ଚେତା ନାହିଁ । ଆଗ ଦାନ୍ତଦିଟା ଭାଙ୍ଗିଯାଇଛି । ମୁହଁଯାକ ରକ୍ତ । ବାବୁ ! ବାବୁ–ଚିତ୍‌କାର କରି ଘରକୁ ପଶି ଆସିଲା ମକରା । ଚନ୍ଦ୍ରମଣିବାବୁ ମକରାର ବ୍ୟସ୍ତତା ଦେଖି ଧୀରେ ଠାକୁର ଘର ପାଖରେ ପହଞ୍ଚିଲେ । ସୁଲୋଚନା ଦେବୀଙ୍କର ଅବସ୍ଥା ଦେଖି ତାଙ୍କୁ ବଡ଼ ଦୁଃଖ ଲାଗିଲା । ମକରା ସାଙ୍ଗେ ସାଙ୍ଗେ ସେବା ଶୁଶ୍ରୂଷାରେ ଲାଗିପଡ଼ିଲା । ବାବୁ ବିଞ୍ଚଣାଟିଏ ଧରି ବିଞ୍ଚୁଥାନ୍ତି । କିଛିସମୟ ପରେ ସୁଲୋଚନାଦେବୀ ଆଖି ଖୋଲିଲେ ।

 

ନୀରବରେ ଚନ୍ଦ୍ରମଣି ବାବୁଙ୍କ ମୁହଁକୁ କିଛିସମୟ ଚାହିଁଲେ । ଚନ୍ଦ୍ରମଣି ବାବୁଙ୍କ ଆଖିରୁ ଥୋପାଏ ଲୁହ ତଳେ ପଡ଼ିଗଲା । ସୁଲୋଚନାଦେବୀ ଚନ୍ଦ୍ରମଣି ବାବୁଙ୍କର ଲୁହ ପୋଛି ଦେଇ କହିଲେ-କ୍ଷମା କରିବ, ମୁଁ ତମ ମନରେ ବହୁତ ଦୁଃଖ ଦେଇଛି ।

 

ତା’ପରେ ଲୋକେ ଦେଖିଲେ ଠାକୁର ଘରେ ମକରା କୋଇଲା ବୋଝେଇ କରୁଛି ।

Image

 

ମୁହୂର୍ତର ଆବେଗ

ପ୍ରସନ୍ନକୁମାର ନାୟକ

 

ଫେବୃଆରୀ ସତର ଆଉ ମାତ୍ର ଦୁଇଦିନ ବାକି । ଲତା ଘର ସାମନା ଦେଇ କଲେଜ ଯାଉଥିଲି । ନିଇତି ତ ଯାଏ । ସେଇଟା ମୋର ବାଟ । ପଡ଼ିଶାଘର ବଗିଚାଚାରେ ଛାମୁଂଡ଼ିଆ । ଲତାର ବର ବସିବ ସେଠି । ମୁଁ ନୁହେଁ, କେଉଁ ଏକ ଅଜଣା ଓ.ଏ.ଏସ୍‌ କିମ୍ବା ଫୁଡ୍‌ କରପୋରେସନ୍‌ର କିରାଣୀ ଜଣକ । ଜୋତା ଭିତରେ ଗୋଡ଼ିଟିଏ ପଶିଗଲା ପରି ଯଂନ୍ତ୍ରଣା ଅନୁଭବ କଲି । ଉପନ୍ୟାସର ଧାଡ଼ିଟିଏ ମନକୁ ଆସିଲା । ସବୁ ମାଟିରେ ଫସଲ ହୁଏନି, କି ସବୁ ପୁରୁଷ ପ୍ରେମିକ ହୋଇ ପାରନ୍ତିନି । ଆରେ ସତେତ ମୁଁ କେତେ ବୋକା !

 

ଢଂ, ଢଂ....। କଲେଜ ପାଖେଇ ଆସୁଥିଲା । ଅଫିସ୍‍ ସାମ୍‌ନାରେ ରମେଶ ଘଣ୍ଟାପିଟି ତୃତୀୟ ପିରିୟଡ଼ର ସୂଚନା ଦେଉଥିଲା । ଛାଆଁକୁ ଛାଆଁ ଗୋଡ଼ ଦୁଇଟି ମୋର ଚଞ୍ଚଳ ହୋଇ ଉଠିଲା । ଧଇଁ ସଇଁ ହୋଇ କ୍ଲାସରେ ପଶିଲାବେଳକୁ ସାର୍‌ ପଢ଼ାଇଚାଲିଥିଲେ-

 

“ନ ଲିଭିବାକୁ ଗୋବିନ୍ଦ ପୀରତି

ଅଧୀରେ ଧୀରାରତନ ଆରତି,

କହନ୍ତି ଧରି ବିଶାଖିକା ହାଥ

କହ ପୀରତି କି ଜାତ ପଦାର୍ଥ ।”

 

ଅଜାଣତରେ ହଠାତ୍‌ ପାଟିରୁ ବାହାରିଲା, ନିଆଁ, ନିଆଁ । ସମସ୍ତ ଫେଁ ଫେଁ ହୋଇ ହସି ଉଠିଲେ । ସାର୍‌ଙ୍କ ଜିଜ୍ଞାସୁ ଦୃଷ୍ଟି ନିବଦ୍ଧ ହେଲା ମୋ ମୁଖମଣ୍ଡଳରେ । ନିଜ ପାଗଳାମିରେ ନିଜେ ଲଜ୍ଜିତ ହୋଇ ବହିଖୋଲି ଚୁପ୍‌ଚାପ୍‌ ବସିଗଲି, ସୁନାପିଲାଟିଏ ପରି ।

Image

 

ହାମଲେଟୀୟ ନାୟକ

ସଂତୋଷ କୁମାର ରଥ

 

ମୁନୁ ସୁନ୍ଦର । ପରିତୋଷ ବିଶ୍ୱାସ କରିପାରେନି । ନିରୀହପଣିଆ ପ୍ରତି ପରିତୋଷ ସବୁଦିନ ଦୁର୍ବଳ । ତା ଭିତରେ କିଛି ନିରୀହତା ଅଛି କି କଣ କାକୁସ୍ଥ ଲୋକଟିଏ ଦେଖିଲେ ତାକୁ କେମିତି କେମିତି ଲାଗେ । ନିଜର ସବୁ ଦେଇ ମଂଡ଼ଣୀ କରିବାକୁ ଭଲଲାଗେ । ତାକୁ ହସେଇବାକୁ ପରିତୋଷର ଖର୍ଚ୍ଚ ହୋଇଯିବ ଯେମିତି । ସୀମା ପାଇଁ ପରିତୋଷର ସେମିତି ଇଚ୍ଛା ହୁଏ । ସୀମାକୁ ଦେଖିଲେ ଏକ ଅଜବ ଭଲ ପାଇବା ମାଡ଼େ ।

 

ସୀମା ଓ ମୁନୁକୁ ନେଇ ଗପଟିଏ ଫାନ୍ଦିହେବ । ମୁନୁର ସବୁ କଥାରେ ଗୋଟିଏ ମୋସନ୍‌ ଅଛି, ଗୋଟିଏ ସ୍ପିଡ଼ । ସୀମା କିନ୍ତୁ ଶବ୍ଦ ସମର୍ପିତ ହୁଏ । ଭଲ ଲାଗେ । ମୁନୁର ସବୁକଥା ପହଁରିଯାଏ, ରହିଲା ପାଣି ପୁଣି ଥିର ହୁଏ । ସୀମାର କଥାରେ ଫୁଲ ଫୁଟେ । ତାର ହସସବୁ ଜୁକ୍‌ ଜୁକ୍‌ ତାର ହୋଇ ହରବର କରନ୍ତି ପରିତୋଷକୁ ।

 

ସୀମା ଓ ମୁନୁକୁ ନେଇ ପରିତୋଷ ଭିତରେ କଥାଟିଏ ଲାଗିଛି । ଏ ଭିତରେ କିଛି ଗୋଟେ ସାଲିସ ଆଣିବ ପରିତୋଷ, ଆଣିବାକୁ ହିଁ ପଡ଼ିବ ତାକୁ । ଅନ୍ଧାର ରାତିର ରୋମାଣ୍ଟିକ୍‌ ସହରଟିଏ ଆଗରେ । ଝରକା କାଚରେ ସାମନା ଆକାଶର ତାର ଓ ଜିକ୍‌ ଜିକ୍‌ କୋଇଲା ଝୁଲର ଭିଡ଼ । ଏଇ ଧାଇଁଯାଉଥିବା ତାରା, ପୋଡ଼ି ହୋଇ ଲିଭି ଯାଉଥିବା କୋଇଲା ଝୁଲ ଓ ସମୟ କେହି ଅପେକ୍ଷା କରୁନାହାନ୍ତି କାହାକୁ । ତାକୁ ବା ଟ୍ରେନରୁ ଓହ୍ଲେଇବା ପୂର୍ବରୁ କିଚି ସାଲିସ୍‌ ଟାଣିବାକୁ ହିଁ ପଡ଼ିବ ତାକୁ ।

 

ଜୀବନଟା ଖାଲି ମାଆର କୋଳ ନୁହେଁ । ଶୋଇ ଶୋଇ ସୁଖ ସ୍ଵପ୍ନ ଦେଖିହେବ । ଆଉ ବେପରୁଆ ଭାବେ ଦାୟିତ୍ଵକୁ ଫାଙ୍କି ହେବ । ବାଇଶବର୍ଷର ପରିତୋଷ ଜୀବନକୁ ମୁହାଁ ମୁହିଁ ହୁଏ ଏଥର । କିଏ ଆଣିଦେବ ଜୀବନର ପୂର୍ଣ୍ଣତା । ସୀମା ନା ମୁନୁ ? କିଏ କହି ପାରିବ ବଞ୍ଚିରହିବାର ସଫଳ ସଂଜ୍ଞା, ବସା ବାନ୍ଧିବାର ଟେକ୍‌ନିକ୍‌ । ମୁନୁ କହିଲେ ପରତୋଷ ମନେପଡ଼େ: ମାଡ଼ ଖାଇବ ପୁରୁଭାଇ ମାଡ଼ । କହିବି ପିଜୁଳି ଗଛକୁ ଚଢ଼ିଛି ଯେ ? କେମିତି ଉଦଣ୍ଡୀ କଣ୍ଠରେ ଡରାଉଛି । ଆଠ ବରଷର ଝିଅଟିଏ ଦଶ ବର୍ଷର ପୁଅକୁ । ସେଦିନୁ ମୁନୁ ନାଁ ସହିତ କେମିତି ଅହନ୍ତା ଭାବ ଲାଗିଯାଇଛି । ତାକୁ ଭଲ ଲାଗେନି । ପରିତୋଷ ଭୁଲିଯାଏ ଏ ଭିତରେ ଅନେକ ବର୍ଷ ବିତିଯାଇଛି-। ସମ୍ବଲପୁରରୁ ବାପାଙ୍କ ବଦଳି ହୋଇଛି ରାଉଲକେଲାରୁ । ବୁଢ଼ାରାଜା କଲେନୀର ସେଇ ଘରୁ ସେକ୍‌ଟର ପାଞ୍ଚକୁ ଓ ଷଷ୍ଠଶ୍ରେଣୀରୁ ସେ ପି.ଜି କୁ ଆସିଛି । ପୁଣି ଫେରିଆସିଛି ଜ୍ୟୋତିବିହାରର ସେକେଣ୍ଡ ହଷ୍ଟେଲ । ଡିପାର୍ଟମେଣ୍ଟରେ ତା ସହିତ ଦେଖାହେଲା ମୁନୁ କହୁଛି, ଆମ ଘରକୁ କେବେ ଯିବ ପୁରୁଭାଇ, ମାଆ ସବୁଦିନ ମୋତେ ପଚାରୁଛି । ଦେଖେ ମୋତେ ଏକା ସବୁ ନୋଟ୍‌ ଦେବ, ଏ ସେମିଷ୍ଟାରର ଆଉ ଆରସେମିଷ୍ଟାରର ।” ପୁଣି ରାଉରକେଲାରୁ ଗଲେ ମାଆ ପଚାରୁଛି; ମୁନୁ ସହିତ ହୁଏ, ତୋର ଦେଖାହୁଏ ପୁରୁ, ତୋ ତଳ କ୍ଲାସରେ ପଢ଼େ । କେଡ଼େଟିଏ ହୋଇଯିବଣି ଏ ଭିତରେ ।’

 

ତା ତଳ କ୍ଲାସରେ ପଢ଼ୁଥିବା ଏଇ ଝିଅଟି ଭିତରେ ତାକୁ ଯେମିତି ଦେଖିପାରେ ମାଆ, ତା ଭିତରେ ଥରେ ମୁନୁକୁ ଦେଖିଲେ ସେ କେତେ ଖୁସି ହୋଇଯିବ । ପରିତୋଷର ପୃଥିବୀ ବାହାରେ ଠିକ୍‌ ଏମିତି ମୁହୂର୍ତ୍ତରେ ମୁନୁ ନକ୍‌ କରେ । ପରିତୋଷ ହରବର୍‌ ହୁଏ, ସୀମା ହିଁ ମନେପଡ଼େ ।

 

ଏଇ ଅନୁଭୂତି ତାର ନୂଆ ନୁହେଁ, ଗହୀରିଆ । ବାହାଘର କହିଲେ ତା ଅଜାଣତରେ ମୁନୁ ମନେପଡ଼େ, ଆଉ ଶିତ୍କାରଟିଏ ଆସେ । ଖୁବ୍‌ ନିରୀହ କଣ୍ଠରେ ସୀମା କହେ । ମୁଁ ତୁମ ଭିତରେ କେମିତି ନୂଆ ଆତ୍ମାକୁ ଦେଖେଁ, ନୂଆ ଗନ୍ଧର ଆସନ୍ତା ପୃଥିବୀ । ସୀମାକୁ ନେଇ ପୃଥିବୀ ଗଢ଼ିବାର ଇଚ୍ଛା ସେତେବେଳେ ଅଚାନକ ଭାବେ ଆସେ । ଅସହାୟତରେ ପରିତୋଷ ବୁଡ଼ିଯାଏ ।

 

ପରିତୋଷ ଠିକ୍‌ କରୁଛି ।

 

ଷ୍ଟେସନ୍‌ରୁ ଓହ୍ଳେଇଗଲେ ଜେ.ପି. ହଷ୍ଟେଲରେ ବାକି ରାତିଟା କାଟିଦେବ । ଷ୍ଟେସନ୍‌ରୁ ଖୁବ୍‌ ପାଖ । କାଲି ସକାଳେ କ୍ଳାସ । ସୀମା ପଚାରିବ “ଛୁଟି କେମିତି କାଟିଲ, ଗୋଟିଏ ବି ଚିଠି ଦେଇନି ।’ ମୁନୁ ପଚାରିବ ‘ଘରୁ କଣ ସବୁ ଆଣିଛ ପୁରୁଭାଇ, ସବୁ ଏକା ଖାଇ ପକାଉଛ ।’ ମାଆର ଦେଇଥିବା ଚିଠିଟା ମୁନୁ ହାତରେ କାଲି ପଠାଇଦେବ ନାଁ ଆଜି ରାତିରେ ଯାଇ ଦେଇ ଆସିବ । ମାଆ କେତେକରି କହିଛି ଷ୍ଟେସନରୁ ସବୁବେଳେ ରିକ୍‌ସା ମିଳୁଛି ବୁଢ଼ାରଜା କଲୋନୀକୁ-

Image

 

ଜ୍ଵଳନ

କିରଣମୟୀ ମହାପାତ୍ର

 

ସେ ଆସେ ନୂଆ ରୂପରେ, ମୁଁ ସ୍ଵାଗତ କରେ । ମୋ ଉପରେ ସେ ଅଧିକାର ସାବ୍ୟସ୍ତ କରେ, ମୁଁ ସ୍ୱୀକୃତି ଦିଏ । ସେ ଅବୁଝା ହୁଏ, ମୁଁ ସାନ୍ତ୍ଵନା ଦିଏ । କ୍ରମେ କ୍ରମେ ସେ ହଠାତ୍‌ ମୋର ଅତି ପରିଚିତ ମନେହେଲା । ଅକାରଣରେ ମୁଁ ତାକୁ ଖୁବ୍‌ ଶ୍ରଦ୍ଧା କଲି ।

 

ଏ ଅକାରଣ ଦିନେ ହଠାତ୍‌ କାରଣ ହୋଇ ଦେଖାଦେଲା । ମେଘାଚ୍ଛନ୍ନ ଏକ ମଧ୍ୟାହ୍ନରେ ରଜନୀଗନ୍ଧାର ଏକ ଛୋଟ ସ୍ତବକଟିଏ ମୋ ଅବିନ୍ୟସ୍ତ କେଶ ରାଶିରେ ଖୋସିଦେଲା ସେ । ମୋର ହଠାତ୍‌ ମନେହେଲା କି ଆଡ୍‌ଭେନ୍‌ଚାରାସ ସତେ । ମୋ ମୁହଁ ଉଜ୍ଜଳ ହୋଇ ଉଠିଲା । ସେ ସ୍ମିତ ହସି କହିଲା ଏ ଫୁଲଟା ଭାରୀ ସୁନ୍ଦର’ ନା- ?

 

ମୁଁ ସମ୍ମତିସୂଚକ ସ୍ମିତ ହସିଲି ।

 

...ମୁଁ ଏମିତି ଅନେକ ଫୁଲ ଦେବି... ।

 

ମୁଁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ପ୍ରଶ୍ନକଲି, –ସତରେ ଅନେକ...କିଂତୁ... ?

 

ହଁ ମୁଁ ତୁମପାଇଁ ଅରଣ୍ୟ ଯିବି ।

 

ଉଦାସ ଆଖିରେ ଚାହିଁ ମୁଁ କହିଲି—ଅରଣ୍ୟ ନଗଲେ କେମିତି ହୁଅନ୍ତା । ସେ ମୋ ମୁହଁକୁ ନିରୀକ୍ଷଣ କରି କହିଲା—ରଜନୀଗନ୍ଧା ବଦଳରେ ଅନ୍ୟ ଆଜେବାଜେ ଫୁଲଟିଏ ଯଦି ତୁମ ମୁଣ୍ଡରେ ଫୁଟିଉଠେ ?

 

...ଆଚ୍ଛା ଅରଣ୍ୟରେ ଯଦି କୌଣସି ହିଂସ୍ରଜନ୍ତୁଙ୍କ କବଳରେ ପଡ଼ୁ... ?

 

ମୁଁ ଦୁର୍ବଳ ନୁହେଁ, ....ମୋ ଆଖିକୁ ଚାହାଁତ ।

 

ମୁ ନିର୍ନିମେଷ ନୟନରେ ଚାହିଁଲା । ଇସ୍‌ କି ବଡ଼ ବଡ଼ ଆଖି ଦୁଇଟା । ମୁଁ ଅକସ୍ମାତ୍‌ ଏକ ବ୍ରିଡ଼ାମୟୀ ତରୁଣୀ ପାଲଟିଗଲି । ମୋ ପାଦ ଆଙ୍ଗୁଠିକୁ ଚାହିଁ ତାର ବ୍ୟକ୍ତିତ୍ଵକୁ ହିଁ ଖୋଜୁଥିଲି । ମୋ ମୁହଁକୁ ତୋଳିଧରି ଅସଜଡ଼ା ଚର୍ଣ୍ଣକୁମ୍ଭର ଉପରେ ଥିବା ତା ପ୍ରଦତ୍ତ ଫୁଲଟି ଉପରେ ପ୍ରୀତିର ପ୍ରବୋଧନା ଦେଲା । ଫୁଲର ସବୁ ପାଖୁଡ଼ାତକ ନିଃଶବ୍ଦରେ ତଳେ ବିଚ୍ଛୁରିତ ହୋଇଗଲା । ମୁଁ ଆନମନା ହୋଇ ଉଠିଲି । ନଖରେ ତିନୋଟି ଗାର କାଟୁ କାଟୁ କହିଲି, –ସତରେ ତୁ କେବେ ଫେରିବୁ ଯେ ?

 

ମୁଁ ନିଶ୍ଚୟ, ନିଶ୍ଚୟ ଫେରିବି ଯେବେହେଲେ । ହୁଏତ ତୁ ଭୁଲିଯାଇଥିବୁ କି କଣ । ମୁଁ-x-x-x

 

ଦୂର ଦୂରାନ୍ତର ଏକ ଲୁଚକାଳି ଖେଳୁଥିବା ଘଞ୍ଚ ଅରଣ୍ୟରୁ ପୁଷ୍ପଗୁଚ୍ଛ ଆସି ମୋ କବରୀ ମଣ୍ଡନ କରୀବ । ସେହି ମୁହୂର୍ତ୍ତରେ ଲାଗିଲା ମୁଁ କେତେ ଫରଚୁନେଟ୍‌ ମ ?

 

ଏ ଫର୍‌ଚୁନେଟ୍ ସାନ୍ତ୍ଵନା ବେଶ କିଛିଦିନ ଅତିକ୍ରମ ହେବାପରେ ମୁଁ ତା ଚାଲିଯିବାର ବିଚ୍ଛେଦ ପାଇଁ ବ୍ୟସ୍ତ ହୋଇ ପଡ଼ିଲି । ଅଳସ ଦିନ ଗୁଡ଼ା ମୋର ସରିଲାନି । ମନଟା କେମିତି ଦୁର୍ବଳ ହୋଇଗଲା । ମୁଁ ଦୀର୍ଘଦିନ ଧରି ପ୍ରତୀକ୍ଷାମୟୀ ହେଲି । ନିଜ ଭିତରେ ମୋ ରଜନୀଗନ୍ଧାକୁ ଖୋଜିଲି । ଏମିତି ଅନେକ ଦିନ ପରେ ଏକ ନିଶୀଥର ପ୍ରଥମ ପ୍ରହରରେ ମୋ ଘର ସାମ୍ନାରେ ଯେଉଁଦିନ ପ୍ରଥମ କରି ମଲ୍ଲୀ ଫୁଲର ମୃଦୁମନ୍ଦ ବାସ୍ନା ଅନୁଭବ କଲି ସେଦିନ ମୁଁ ଯେମିତି ଆତ୍ମ ସମ୍ମୋହିତ ହୋଇ ପଡ଼ିଲି । ମୋ ମନ ଉଦ୍ୟାନରେ ବସନ୍ତ ଜାଗିଲା । ଏକ ବିସ୍ମୟ ପ୍ରଦେଶ ହୋଇ ରହିଗଲା ସବୁ ଦିନପାଇଁ । ମୁଁ ମୋ ସୃଷ୍ଟିର ଆଦ୍ୟ ସଂକେତଟିକୁ ଧରି ମୋ ମନର ଜ୍ଵଳନତନ ସବୁ ପୋଛିଦେଲି । ସେ ମୋ ମନ ସୁଖ ଦୁଃଖ ଅରଣ୍ୟର କାଳବୈଶାଖୀ ମୁହୂର୍ତ୍ତକୁ ଧରି ମୋତେ ଶାନ୍ତ କରିଦେଲା ।

 

କେତୋଟି ଦିନର ଅବସନ୍ନ ସ୍ମୃତି ବିସ୍ତାରି ଗଲାପରେ ମୁଁ କ୍ଳାନ୍ତିରେ ଅବଶ ହୋଇ ଟିକେ ଘୂମେଇ ପଡ଼ିଛି । ହଠାତ୍‌ ମୋ ଦୁଆର ନକ୍‌ ହେଲା । ଦୁଆର ନ ଫିଟେଇ ପ୍ରଶ୍ନକଲି କିଏ ? ନୀରବ... । ଏହି ଅଖଣ୍ଡ ନୀରବତା ମୋତେ କେମିତି ଚିହ୍ନା ଚିହ୍ନା ପରି ଲାଗିଲା । ମୁଁ କବାଟ ଖୋଲିଲି । ୧୫ ବର୍ଷର ବିସ୍ମରିତ ସ୍ମୃତିର ଅସ୍ତିତ୍ଵ ମୋ ଆଗରେ ଉଭା । ମୁଁ ବିଷ୍ଫାରିତ ନେତ୍ରରେ ଚାହିଁଲି କି ସୁନ୍ଦର ଚେହେରା ନାରଖାର ହୋଇଯାଇଛି । ରଜନୀଗନ୍ଧା ମଉଳି ଯାଇଛି । ମୁଁ ସ୍ତମ୍ଭୀଭୂତ ହୋଇଗଲି । ସାଧାରଣ ସୌଜନ୍ୟର ପ୍ରଥମ କମା, ସେମିକୋଲନ୍‌ ଇତ୍ୟାଦି ଭୁଲିଗଲି ।

 

ମୋ କବରୀରେ ଉଜ୍ଜଳ ମଲ୍ଲୀମାଳ । ତା ହାତରୁ ରଜନୀଗନ୍ଧା ଖସିପଡ଼ିଲା । ତା ଆଖିରେ ଅଗ୍ନିର ସ୍ପୁଲିଙ୍ଗ, ମୋ ମୁଣ୍ଡର କେଶରାଶିରେ ପ୍ରତିଫଳିତ ହେଲା । ମୁଁ ନଇଁପଡ଼ି ସେ ଫୁଲଗଛକୁ ତୋଳିଧରିବା ପୂର୍ବରୁ ସେ ତାହା ପାଦରେ ଫିଙ୍ଗିଦେଇ ଫେରିଗଲା । ମୁଁ କେମିତି କିଛି ବୁଝାଇବାକୁ ଯାଇ ଭାଷାର ଅନ୍ଵେଷଣ କରିଥିଲି ବୃଥାରେ । ଏମିତି ଏ ଦୁନିଆଟା ଅବୁଝା । ମୋ ଉଦ୍ୟାନ ଭିତରୁ ହଠାତ୍‌ ମୋ ଅଜାଣତାରେ ଅଚାନକ ବାଘଟିଏ ଆସି ମୋ କବରୀକୁ ଏମିତି ଓଲଟପାଲଟ କରିଦେବ ବୋଲି ମୁଁ କଣ ଜାଣିଥିଲି । ହିଂସାରେ ଜଳୁଥିବା ରଜନୀଗନ୍ଧାର ସ୍ତବକ ପାଖରେ ମୁଁ ଅସାଡ଼ ହୋଇ ବସିଯାଇ ସୃଗତୋକ୍ତି କରୁଥିଲି, “ମୋ କବରୀ ଅନ୍ୟତମ ଫୁଲଦ୍ଵାରା ମଣ୍ଡଳ ହେବା ପୂର୍ବରୁ ତୁ ପହଞ୍ଚିପାରିଲୁନି କାହିଁକି ଯେ... ?

Image